ମୁମ୍ବାଇ: ନିଜ କାମ ଭଳି ଡାଏରୀରେ କ୍ଷୀର ଦେବା ତାର ନିତିଦିନିଆ କାମ । ଗାଁରେ ଥିବା ଡାଏରୀରେ ସକାଳେ ସଞ୍ଜରେ ଦେଇଥାଏ କ୍ଷୀର। ଆଉ ପୁଣି ଘରକୁ ଖାଲି ଟିଣ ଧରି ଫେରିଆସେ । ହେଲେ ଆପଣ ଭାବୁଥିବେ ଏହି କାମ କେଉଁ ବ୍ୟକ୍ତି କରୁଥିବେ ହେଲେ ନା । ଏହି କାମ କରୁଛି ଗୋଟିଏ ବଳଦ । ମହାରାଷ୍ଟ୍ର ସାଙ୍ଗଲୀରେ କିଛି ଦିନ ହେବ ଏହି ବଳଦକୁ ନେଇ ହେଉଛି ଚର୍ଚ୍ଚା ।
ବଳଦର ନାମ ହେଉଛି ସୋନ୍ୟା । ସାଙ୍ଗଲୀର ବାଲବା ଅଞ୍ଚଳର ଶିବାଜୀ ସାଲୁଖେଁଙ୍କ ବଳଦ ସାନ୍ୟା। ସେ ଶିବାଜୀଙ୍କ ଘରେ ହିଁ ଜନ୍ମ ନେଇଛି । ଆଉ ଶିବାଜୀଙ୍କ ବାପା ବଳଦଟିକୁ ନିଜ ପୁଅ ଭଳି ପାଳିଆସିଛନ୍ତି । ତେଣୁ ସେ ବିନା କାହା ସାହାଯ୍ୟରେ ଘରର କାମ କରିପାରେ ।
ଶିବାଜୀଙ୍କ ଘରେ ଆହୁରି ଗାଈ ଗୋରୁ ମଧ୍ୟ ଅଛନ୍ତି । ହେଲେ ସେମାନଙ୍କ ଠାରୁ ଭିନ୍ନ ସୋନ୍ୟା । ବର୍ତ୍ତମାନ ସୋନ୍ୟାର ବୟସ 10 ବର୍ଷ । ପୂର୍ବରୁ ଶିବାଜୀ ବଳଦ ଗାଡିରେ କ୍ଷୀର ବିକିବା ପାଇଁ ଡାଏରୀ ଯାଆନ୍ତି । ଦିନେ ସେ ବଳଦ ଗାଡି ରଖି ଚାରା ନେବା ପାଇଁ ଚାଲିଯାଇଥିଲେ । ହେଲେ ସୋନ୍ୟା ନିଜେ ଯାଇ ଡାଏରୀରେ କ୍ଷୀର ଦେଇ ଆସିଥିଲା। ଏହାପରେ ସେ ଏକାକୀ କ୍ଷୀର ଡାଏରୀରେ ଦେବାପାଇଁ ନେଇଯାଏ । ଆଉ ଏବେ ସ୍ଥାନୀୟ ଅଞ୍ଚଳର ସେଲିବ୍ରିଟି ପାଲଟିଗଲାଣି ସେ ।