ସ୍ବାସ୍ଥ୍ୟ ପାଇଁ ଡ୍ରାଏଫ୍ରୁଟ୍ସ ଯଥା- କାଜୁ, ବାଦାମ, ପିସ୍ତାବାଦମ, କିସମିସ୍, ଅଖରୋଟ ଇତ୍ୟାଦି ଅତ୍ୟନ୍ତ ଲାଭଦାୟକ । ଏସବୁ ଡ୍ରାଏଫ୍ରୁଟ୍ସ ପୋଷକ ତତ୍ତ୍ବରେ ଭରପୁର ହୋଇଥାଏ । ଖାସ୍ କରି ପିସ୍ତାବାଦାମ ବା ଆଲମଣ୍ଡ ଖାଇଲେ ଶରୀରକୁ ଅନେକ ଲାଭ ମିଳିଥାଏ । ଏଥିରେ ହାଇ ପ୍ରୋଟିନ, ଫାଇବର, ହେଲ୍ଦି ଫ୍ୟାଟ୍, ଭିଟାମିନ, ମିନେରାଲ ଭରି ରହିଛି, ଯାହାକି ଶାରିରୀକ ବିକାଶରେ ସାହାଯ୍ୟ କରେ । ସ୍ମୃତି ଶକ୍ତି ପ୍ରଖର କରେ । ଗର୍ଭବତୀମାନେ ମହିଳା ଖାଇଲେ ଶିଶୁର ଉଭୟ ଶାରିରୀକ ଓ ମାନସିକ ଅଭିବୃଦ୍ଧି ହୋଇଥାଏ । ଏଥିପାଇଁ ଛୋଟ ପିଲାଠୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ସକାଳୁ ଭିଜା ବାଦାମ ଖାଇଥାନ୍ତି ।
ଏହି ବାଦାମ ଅତ୍ୟନ୍ତ ସ୍ବାସ୍ଥ୍ୟପଯୋଗୀ ହେଲେ ମଧ୍ୟ ଏହାକୁ ଅଧିକ ଖାଇବା ସ୍ବାସ୍ଥ୍ୟ ପ୍ରତି ଘାତକ ସାବ୍ୟସ୍ତ ହୋଇପାରେ । ସେହିପରି କିଛି ସ୍ବାସ୍ଥ୍ୟ ସମସ୍ୟା ଥିବା ଲୋକମାନଙ୍କୁ ମଧ୍ୟ ବାଦାମ ଖାଇବାକୁ ବାରଣ କରାଯାଏ । ଏହି ଖବରରେ ଜାଣନ୍ତୁ ଦିନକୁ କେତୋଟି ବାଦାମ ଖାଇବା ଉଚିତ୍ ଏବଂ କେଉଁମାନେ ଏହାକୁ ଖାଇପାରିବେ ନାହିଁ ।
ପିସ୍ତାବାଦାମ ଖାଇବାର ଫାଇଦା:
ବାଦାମରେ ପ୍ରଚୁର ଭିଟାମିନ ଇ, ଫାଇବର, ପଲିଅନସାଚୁରେଟେଡ ଫ୍ୟାଟ୍ ରହିଛି ଯାହା ଆମର ହୃଦୟ ପାଇଁ ସ୍ବାସ୍ଥ୍ୟକର । ଏକ ଅଧ୍ୟୟନ ଅନୁଯାୟୀ, ଅଧିକ ଭିଟାମିନ ଇ ଯୁକ୍ତ ଖାଦ୍ୟ ହୃଦରୋଗ ଆଶଙ୍କା କମାଇଥାଏ । ଡାଇବେଟିସ ରୋଗୀମାନେ ନିୟମିତ ସକାଳୁ 2ରୁ 3ଟି ପିସ୍ତାବାଦାମ ଖାଇଲେ ସୁଗାର ସ୍ତର ନିୟନ୍ତ୍ରଣ ରହିଥାଏ । ଖରାପ କୋଲେଷ୍ଟ୍ରଲ କମ୍ ହୁଏ । ଏହାଛଡା ଏଥିରେ ଥିବା ହେଲ୍ଦି ଫ୍ୟାଟ ତ୍ବଚାକୁ ସୁସ୍ଥ ରଖିବାରେ ଏବଂ ଭିଟାମିନ ଏ ଓ ଇ ତ୍ବଚାର ରଙ୍ଗ ସଫା କରେ ।
ଦିନକୁ କେତୋଟି ବାଦାମ ଖାଇପାରିବେ ?
ପୋଷଣ ବିଶେଷଜ୍ଞ ରାଜେଶ ଜର୍ଜଙ୍କ ଅନୁସାରେ, ପିସ୍ତାବାଦାମରେ ଥିବା ଆଇରନ, ମ୍ୟାଗ୍ନେସିୟମ, କ୍ୟାଲସିୟମ, ଫସଫରସ, ପୋଟାସିୟମ, ଭିଟାମିନ ଇ ସ୍ବାସ୍ଥ୍ୟ ପାଇଁ ଖୁବ୍ ଲାଭଦାୟକ । ଛୋଟ ପିଲା ହୁଅନ୍ତୁ ଅବା ବୟସ୍କ ବ୍ୟକ୍ତି ସମସ୍ତେ ଭିଜା ବାଦାମ ଖାଇବା ଉଚିତ୍ । ଏହାଦ୍ବାରା ସ୍ମୃତିଶକ୍ତି ପ୍ରଖର ହୁଏ । ପେଟ ଓ ତ୍ବଚା ସୁସ୍ଥ ରଖିବାରେ ସାହାଯ୍ୟ କରେ । ଏଥିରେ ଡାଇବେଟିସ ନିୟନ୍ତ୍ରିତ ରହିଥାଏ । 2017ରେ ଜର୍ନାଲ ଅଫ ଡର୍ମେଟୋଲୋଜି ରିସର୍ଚ୍ଚ ଆଣ୍ଡ ପ୍ରାକ୍ଟିସରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ, ବାଦାମ ଖାଇଲେ ତ୍ବଚାରେ ଚର୍ମ କୁଞ୍ଚନ କମ୍ ହୋଇପାରେ ।
ଜଣେ ବ୍ୟକ୍ତି ପ୍ରତିଦିନ 28-30 ଗ୍ରାମ ପିସ୍ତାବାଦାମ ଖାଇପାରିବେ, ଯାହାକି 22ରୁ 23ଟି ଅଟେ । ଏହା କେବଳ ଯୁବକ ଓ ବୟସ୍କ ଲୋକଙ୍କ ପାଇଁ । ସେହିପରି:-
- 1 ବର୍ଷରୁ 3 ବର୍ଷର ପିଲାମାନେ ଦିନକୁ 3-4 ପିସ୍ତାବାଦାମ ଖାଇପାରିବେ
- 4ରୁ 8 ବର୍ଷର ପିଲାମାନେ ଦିନକୁ 5-8 ଖାଇପାରିବେ
- 9ରୁ 18 ବର୍ଷର ପିଲାମାନେ ଦିନକୁ 10ଟି ଖାଇପାରିବେ
ଅତ୍ୟଧିକ ପିସ୍ତାବାଦାମ ଖାଇଲେ ସ୍ବାସ୍ଥ୍ୟ ଉପରେ କେତେକ ଖରାପ ପ୍ରଭାବ ପଡିଥାଏ । ଯେମିତିକି:-
କିଡନୀ ଷ୍ଟୋନ: ପିସ୍ତାବାଦମରେ ଅକ୍ସାଲେଟ ନାମକ ଏକ ପ୍ରାକୃତିକ ରାସାୟନିକ ଥାଏ । ଅଧିକ ବାଦାମ ଖାଇଲେ ଏହା କିଡନୀରେ ଜମା ହୋଇ କିଡନୀ ଷ୍ଟୋନର କାରଣ ହୋଇପାରେ ।
ପେଟ ଖରାପ: ଏଥିରେ ପ୍ରଚୁର ଭିଟାମିନ-ଇ ଥିବାବେଳେ ଏହାର ଅତ୍ୟଧିକ ମାତ୍ରା ଡାଇରିଆ, ପେଟ ଯନ୍ତ୍ରଣା ଭଳି ହଜମ ସମସ୍ୟା ସୃଷ୍ଟି କରିପାରେ । ସେହିପରି ପ୍ରଚୁର ପରିମାଣରେ ଫାଇବର ଥିବାରୁ ଅଧିକ ଖାଇଲେ ଓ ପର୍ଯ୍ୟାପ୍ତ ପାଣି ନ ପିଇଲେ କୋଷ୍ଠକାଠିନ୍ୟ ସମସ୍ୟା ହୋଇପାରେ । ତେଣୁ ବାଦାମ ଖାଇବା ପରେ ପ୍ରଚୁର ପାଣି ପିଅନ୍ତୁ ।
ଓଜନ ବୃଦ୍ଧି: ପିସ୍ତାବାଦମରେ ଅଧିକ କ୍ୟାଲୋରୀ ଓ ହେଲ୍ଦି ଫ୍ୟାଟ ଥାଏ । 100 ଗ୍ରାମ ବାଦାମରେ ପ୍ରାୟ 50 ଗ୍ରାମ ଫ୍ୟାଟ୍ ରହିଥାଏ । ଏହାକୁ ଅଧିକ ଖାଇଲେ ଓଜନ ବୃଦ୍ଧି ହେବାର ଆଶଙ୍କା ଥାଏ ।
ଆଲର୍ଜି: ବାଦାମରେ ଆଲର୍ଜି ଥିବା ଲୋକମାନେ ଆଦୌ ପିସ୍ତାବାଦମ ଖାଇବା ଦୂରେଇ ରହିବା ଉଚିତ୍ । ନଚେତ୍ ମୁହଁ ଫୁଲିବା ଓ ନିଶ୍ବାସ ନେବାରେ ସମସ୍ୟା ହୋଇପାରେ ।
(Disclaimer- ଏଠାରେ ଦିଆଯାଇଥିବା ସୂଚନା କେବଳ ଆପଣଙ୍କ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଭଲ । )