ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲର ମୂଲ୍ୟ ବୃଦ୍ଧିକୁ ନେଇ ଆଜି(ସୋମବାର) କଂଗ୍ରେସ ସାରା ଦେଶରେ ବିରୋଧ ପ୍ରଦର୍ଶନ କରୁଛି। ଏହାକୁ ନେଇ ସୋନିଆ ଗାନ୍ଧୀ, ମୋଦି ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ପେଟ୍ରୋଲ ଓ ଡିଜେଲ ଉପରେ 12 ଥର ଉତ୍ପାଦ ଶୁଳ୍କ ବୃଦ୍ଧି କରି ମୋଦି ସରକାର 18 ଲକ୍ଷ କୋଟି ଟଙ୍କା ହାତେଇଛନ୍ତି।
ସୋନିଆ ଗାନ୍ଧି କହିଛନ୍ତି ଯେ ଗୋଟିଏ ପଟେ କୋରୋନା ମହାମାରୀର କ୍ଷତି ଓ ଅନ୍ୟପଟେ ପେଟ୍ରୋଲ-ଡିଜେଲ ଦର ଦେଶବାସୀଙ୍କ ପାଇଁ କଷ୍ଟସାଧ୍ୟ ହୋଇପଡିଛି। ଆଜି ମଧ୍ୟ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ଦିଲ୍ଲୀ ତଥା ଦେଶର ଅନ୍ୟାନ୍ୟ ବଡ ସହରରେ ଲିଟର ପିଛା 80 ଟଙ୍କା ଅତିକ୍ରମ କରିଛି। ଲକଡାଉନ୍ ପରେ ମୋଦି ସରକାର ପେଟ୍ରୋଲ ଓ ଡିଜେଲର ମୂଲ୍ୟ 22 ଗୁଣ ବୃଦ୍ଧି କରିଛନ୍ତି।
ସେ କହିଛନ୍ତି ଯେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ହ୍ରାସ ପାଉଥିବା ସମୟରେ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ବୃଦ୍ଧି କରାଯାଉଛି। 2014 ପରେ ଅଶୋଧିତ ତୈଳ ମୂଲ୍ୟ ହ୍ରାସ ପାଇ ଜନସାଧାରଣଙ୍କୁ ଲାଭ ଦେବା ପରିବର୍ତ୍ତେ ମୋଦି ସରକାର ପେଟ୍ରୋଲ ଓ ଡିଜେଲ ଉପରେ 12 ଥର ଉତ୍ପାଦ ଶୁଳ୍କ ବୃଦ୍ଧି କରିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ଅସୁବିଧା ସମୟରେ ଦେଶର ଲୋକଙ୍କୁ ସାହାଯ୍ୟ କରିବା ସରକାରଙ୍କ ଦାୟିତ୍ବ । ପେଟ୍ରୋଲ ଓ ଡିଜେଲ ଦରରେ ବୃଦ୍ଧି ଦେଶବାସୀଙ୍କ ସହ ସରକାରଙ୍କ ଦ୍ବାରା ନିର୍ଯାତନାର ଏକ ନୂଆ ଉଦାହରଣ ଦେଇଛି। ଏହା କେବଳ ଅନ୍ୟାୟ ନୁହେଁ ବରଂ ସମ୍ବେଦନଶୀଳ ମଧ୍ୟ । ଏହାସହ ବର୍ଦ୍ଧିତ ମୂଲ୍ୟର ପ୍ରତ୍ୟକ୍ଷ ପ୍ରଭାବ କୃଷକ-ଗରିବ-ଚାକିରି ବୃତ୍ତିର ମଧ୍ୟବିତ୍ତ ତଥା କ୍ଷୁଦ୍ର ଶିଳ୍ପ ଉପରେ ପଡୁଛି। ମୁଁ ମୋଦି ସରକାରଙ୍କ ଠାରୁ ଦାବି କରୁଛି ଯେ କୋରୋନା ମହାମାରୀ ସଙ୍କଟରେ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ବୃଦ୍ଧି ତୁରନ୍ତ ପ୍ରତ୍ୟାହାର କରାଯାଉ। ଉତ୍ପାଦ ଶୁଳ୍କ ମଧ୍ୟ ପ୍ରତ୍ୟାହାର କରାଯିବା ଉଚିତ୍।