ରାକ୍ଷୀ, ରକ୍ଷା ବନ୍ଧନ, ଗହ୍ମା ପୂର୍ଣ୍ଣିମା ଅନେକ ନାମ ଥିବା ଏହି ପର୍ବରେ ଭାଇ ଭଉଣୀଙ୍କ ସମ୍ପର୍କକୁ ଆହୁରି ମଜବୁତ କରି ଧରି ରଖେ ଛୋଟ ଏକ ରାକ୍ଷୀର ଡୋର । ଭାଇ ହାତରେ ରାକ୍ଷୀ ଟିଏ ବାନ୍ଧି ସାରା ଜୀବନ ରକ୍ଷା କରିବାକୁ କହିଥାଏ ଭଉଣୀ ତେଣୁ କରି ତ ଏହା ‘ରକ୍ଷା ବନ୍ଧନ’ । ଶ୍ରାବଣ ମାସ ପୂର୍ଣ୍ଣମୀ ତିଥିରେ ପାଳନ ହୁଏ ଏହି ପର୍ବ । ତେବେ କଣ ରହିଛି ଏହାର ପୌରାଣିକ ମାନ୍ୟତା, ଜାଣନ୍ତୁ ରକ୍ଷା ବନ୍ଧନ ବିଷୟରେ କିଛି ଅଜଣା କଥା ।
ଏହି ଦିନ ଭଗବାନ ଶ୍ରୀକୃଷ୍ଣଙ୍କ ବଡ଼ଭାଇ ପ୍ରଭୁ ଶ୍ରୀ ବଳଭଦ୍ର ଜନ୍ମ ହୋଇଥିଲେ ବୋଲି ଏହା ବଳଭଦ୍ର ଜନ୍ମ ଭାବରେ ମଧ୍ୟ ପାଳନ କରାଯାଏ । ତେବେ ପୁରାଣ ଯୁଗରୁ ଆରମ୍ଭ ହୋଇଥିବା ଏହି ପରମ୍ପରା ଆଜି ମଧ୍ୟ ସମାନ ଉତ୍ସାହ ଉଦ୍ଦୀପନାର ସହ ପାଳନ କରାଯାଏ ।
ଦ୍ରୌପଦୀ ବାନ୍ଧି ଥିଲେ କୃଷ୍ଣଙ୍କୁ ରାକ୍ଷୀ
ମହାଭାରତରେ ବର୍ଣ୍ଣିତ କଥା ଅନୁସାରେ ଉଦ୍ଧତ ଶିଶୁ ପାଳକୁ ବଦ୍ଧ କରିବା ସମୟରେ ସୁଦର୍ଶନ ଚକ୍ରରେ କୃଷ୍ଣଙ୍କ ହାତ ଖଣ୍ଡିଆ ହୋଇ ରକ୍ତ ଝରିବାକୁ ଲାଗିଲା । ଏହାଦେଖି ଦ୍ରୌପଦୀ ତୁରନ୍ତି ତାଙ୍କ ଶାଢ଼ିର କାନି ଚିରି ତାଙ୍କ ହାତରେ ବାନ୍ଧି ଦେଇଥିଲେ । ଯାହା ପରେ କୃଷ୍ଣ ତାଙ୍କର ରକ୍ଷା କରିବେ ବୋଲି ପ୍ରତିଶୃତି ଦେଇଥିଲେ । ଆଉ ସେଇ ଛୋଟ କପଡ଼ା ବଦଳରେ ଦ୍ରୌପଦୀଙ୍କ ବସ୍ତ୍ର ହରଣ ସମୟରେ କୃଷ୍ଣ ତାଙ୍କୁ 55 କୋଟି ବସ୍ତ୍ର ଦେଇ ତାଙ୍କ ସମ୍ମାନ ରଖିଥିଲେ ।
ଇନ୍ଦ୍ରଙ୍କୁ ରାକ୍ଷୀ ବାନ୍ଧିଥିଲେ ଇନ୍ଦ୍ରାଣୀ
ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ କେବଳ ଭାଇ ଭଉଣୀ ନୁହେଁ ଦେବରାଜ ଇନ୍ଦ୍ରଙ୍କ ହାତରେ ମଧ୍ୟ ଏକ ରକ୍ଷା ସୁତ୍ର ବାନ୍ଧିଥିଲେ ତାଙ୍କ ପତ୍ନୀ ସଚୀ । ରାକ୍ଷସଙ୍କ ସହ ଯୁଦ୍ଧ କରିବାକୁ ଯିବା ବେଳେ ସଚୀ ଏହା ଇନ୍ଦ୍ରଙ୍କ ରକ୍ଷା ପାଇଁ ବାନ୍ଧି ଥିଲେ ।
ରବିନ୍ଦ୍ରନାଥ ଟାଗୋର ଓ ରକ୍ଷା ବନ୍ଧନ
ଅନେକ ହୁଏତ ଜାଣି ନଥିବେ ଗୁରୁ ରବିନ୍ଦ୍ରନାଥ ଟାଗୋର ରାକ୍ଷୀକୁ ଏକ ସାମାଜିକ ବନ୍ଧନ ଭାବେ ବ୍ୟବହାର କରିଥିଲେ । ମହାନ କବି ତଥା ସ୍ବଧୀନତା ସଂଗ୍ରାମୀ ଟାଗୋର ସ୍ବାଧୀନତା ସଂଗ୍ରାମ ବେଳେ ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟ ସମ୍ପର୍କକୁ ମଜବୁତ କରିବା ପାଇଁ ରାକ୍ଷୀ ବନ୍ଧିବା ପରମ୍ପରାକୁ ପ୍ରୋତ୍ସାହିତ କରିଥିଲେ । ଆଉ ଏହି ପରମ୍ପରା ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ହୋଇଥିଲା ପାଳନ ।
ଆଲେକଜାଣ୍ଡରଙ୍କୁ ବଞ୍ଚାଇଥିଲା ରାକ୍ଷୀ
ବିଶ୍ବ ବିଜୟ ପାଇଁ ବାହାରିଥିବା ଆଲେକଜାଣ୍ଡର ପ୍ରଥମ ଥର ପୁରୁଙ୍କ ହାତରେ ପରାଜିତ ହୋଇଥିଲେ । କିନ୍ତୁ ସେ ତାଙ୍କୁ ହତ୍ୟା କରି ନଥିଲେ କାରଣ ଆଲେକଜାଣ୍ଡରଙ୍କ ପତ୍ନୀ ପୁରୁଙ୍କ ପାଇଁ ଏକ ରାକ୍ଷୀ ପଠାଇ ଥିଲେ । ତେଣୁ ଭଉଣୀକୁ ସମ୍ମାନ ଦେଇ ସେ ଆଲେକଜାଣ୍ଡରଙ୍କୁ ଛାଡ଼ି ଦେଇଥିଲେ ।
ରାକ୍ଷୀର ପ୍ରତିଶୃତି ରଖିଥିଲେ ହୁମାୟୁନ
ଇତିହାସରେ ରାକ୍ଷୀକୁ ନେଇ ଆଉ ଏକ ଘଟଣା ହେଉଛି ଚିତ୍ତୋର ରାଣୀ କର୍ଣ୍ଣାବତୀ ଓ ହୁମାୟୁନଙ୍କର । ଗୁଜୁରାଟର ସୁଲତାନ ବାହାଦୁର ଶାହ ଚିତ୍ତୋର ଆକ୍ରମଣ କରିଥିବା ବେଳେ ରାଣୀ କର୍ଣ୍ଣାବତୀ ହୁମାୟୁନଙ୍କୁ ତାଙ୍କ ରାଜ୍ୟ ବଞ୍ଚାଇବା ପାଇଁ ଏକ ରାକ୍ଷୀ ପଠାଇଥିଲେ । ତେବେ ହୁମାୟୁନଙ୍କୁ ଅଳ୍ପ ବିଳମ୍ବ ହୋଇଯିବାରୁ ସେ କର୍ଣ୍ଣାବତୀଙ୍କୁ ବଞ୍ଚାଇ ପାରିନଥିଲେ କିନ୍ତୁ ରାକ୍ଷୀର ମର୍ଯ୍ୟାଦା ରକ୍ଷା କରି ବାହାଦୁର ଶାହ ଜଫରକୁ ପରାଜିତ କରି ରାଜ୍ୟ କର୍ଣ୍ଣାବତୀଙ୍କୁ ପୁତ୍ରକୁ ପ୍ରଦାନ କରିଥିଲେ ।
ନେପାଳ, ମରିସସ, ଆମେରିକା, ଶ୍ରୀଲଙ୍କା ଓ ୟୁଏଇରେ ମଧ୍ୟ ପାଳନ ହୁଏ ରାକ୍ଷୀ
ରକ୍ଷା ବନ୍ଧନ ଭାରତର ଏକ ପର୍ବ କିନ୍ତୁ ଏହା ଭାରତ ବାହାରେ ମଧ୍ୟ ଖୁବ ଧୁମଧାମରେ ପାଳନ ହୁଏ । ନେପାଳ, ମରିସସ, ଆମେରିକା, ଶ୍ରୀଲଙ୍କା ଓ ୟୁଏଇରେ ପାଳନ ହୁଏ । ଏହି ପର୍ବର ପରମ୍ପରା ହେତୁ ଏହାକୁ ଅଣଭାରତୀୟ ମାନେ ମଧ୍ୟ ଖୁବ ଶ୍ରଦ୍ଧାର ସହ ଗ୍ରହଣ କରିଛନ୍ତି ।