ଗୌହାଟି: ନାଗରିକତା ସଂଶୋଧନ ଆଇନକୁ ନେଇ ଚାଲିଥିବା ବିରୋଧ ପ୍ରଦର୍ଶନ ଫଳରେ ଦେଶର ପୂର୍ବତ୍ତୋର ରାଜ୍ୟଗୁଡିକର ସ୍ଥିତି ଅଶାନ୍ତ ରହିଛି । ପ୍ରଦର୍ଶନକୁ ଦୃଷ୍ଟିରେ ରଖି ବହୁ ସଂଖ୍ୟାରେ ପୋଲିସ କର୍ମୀ ନିୟୋଜିତ କରାଯାଇଛି । କିଛି ସମ୍ଭେଦନଶୀଳ ଅଞ୍ଚଳରେ ବର୍ତ୍ତମାନ ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିଛି । ଅନ୍ୟପକ୍ଷେ ଆସାମର ସ୍ଥିତି ଏବେ ଧିରେ ଧିରେ ସୁଧୁରିବାରେ ଲାଗିଛି । ଆସାମ ସରକାର ରାଜ୍ୟରେ ଇଣ୍ଟରନେଟ ସେବା ଚାଲୁ କରିବା ସହ କର୍ଫ୍ୟୁ ହଟାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି ।
ମଙ୍ଗଳବାର ଆସାମର ସମସ୍ତ ଅଞ୍ଚଳରୁ କର୍ଫ୍ୟୁ ହଟାଇ ଦିଆଯିବ ବୋଲି ଆସାମର ମନ୍ତ୍ରୀ ହେମନ୍ତ ବିଶ୍ବଶର୍ମା ସୂଚନା ଦେଇଛନ୍ତି । ରାତିରେ ବି କର୍ଫ୍ୟୁ ନ ଲଗାଇବାକୁ ନିଷ୍ପତ୍ତି ନିଆଯାଇଛି । ନାଗରିକତା ସଂଶୋଧନ ଆଇନ ଫଳରେ ଆସାମରେ ବିରୋଧ ପ୍ରଦର୍ଶନ ହୋଇଥିଲା । ପ୍ରଦର୍ଶନ ଉଗ୍ରରୂପ ନେବାରୁ ପ୍ରଶାସନ ପକ୍ଷରୁ ଇଣ୍ଟରନେଟ ସେବା ବନ୍ଦ କରି ଦିଆଯାଇଥିଲା ।