ଡେରାଡୁନ: ସିଙ୍ଗଲ ୟୁଜ ପ୍ଳାଷ୍ଟିକ ବ୍ୟବହାରକୁ ସମ୍ପୂର୍ଣ୍ଣ ନିଷେଧ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ଆରମ୍ଭ ହୋଇଥିବା ଅଭିଯାନ ଉପରେ ପ୍ରଭାବ ପକାଉଛି କୋରୋନା ଭାଇରସ। କୋରୋନା ଯୋଗୁଁ ସିଙ୍ଗଲ ୟୁଜ ପ୍ଳାଷ୍ଟିକ ବ୍ୟବହାର ପୁଣିଥରେ ବଢିବାରେ ଲାଗିଛି ବୋଲି ପରିବେଶବିତ ଅନୁପ ନାଉଟିୟାଲ କହିଛନ୍ତି । ଦୀର୍ଘ ଦିନ ଧରି ଦେଶରେ ଲାଗିଥିବା ଲକଡାଉନ ପ୍ରଦୂଷଣ ସ୍ତରକୁ ହ୍ରାସ କରିବା ସହ ପରିବେଶ ଉପରେ ଭଲ ପ୍ରଭାବ ପକାଇଥିଲା । କିନ୍ତୁ କୋରୋନା ମହାମାରୀର ମୁକାବିଲା ପାଇଁ ମାସ୍କ, ଗ୍ଲୋଭସ୍, ପିପିଇ କିଟ୍ ଏବଂ ସାନିଟାଇଜର ବୋତଲ ଇତ୍ୟାଦିର ବ୍ୟବହାର ପରିବେଶ ପାଇଁ ନୂତନ ଚିନ୍ତାର କାରଣ ହୋଇଛି ବୋଲି ସେ କହିଛନ୍ତି।
ପରିବେଶବିତ ଅନୁପ ନାଉଟିୟାଲ କହିଛନ୍ତି, କୋରୋନା ଯୋଗୁଁ ସିଙ୍ଗଲ ୟୁଜ ପ୍ଳାଷ୍ଟିକର ବ୍ୟବହାରରେ ଏକ ବଡ ପ୍ରତ୍ୟାବର୍ତ୍ତନ ହୋଇଛି । ଏହାକୁ ଯେକେହି ବି ସ୍ୱୀକାର କରିବେ । ସିଙ୍ଗଲ ୟୁଜ ପ୍ଳାଷ୍ଟିକ ବ୍ୟବହାରକୁ ସମ୍ପୂର୍ଣ୍ଣ ନିଷେଧ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ସ୍ବାଧୀନତା ଦିବସରେ ଆରମ୍ଭ ହୋଇଥିବା ଅଭିଯାନ ଏବେ ଉଭା ହୋଇଯାଇଛି । ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ ପରେ ସମଗ୍ର ଦେଶରେ ସିଙ୍ଗଲ ୟୁଜ ପ୍ଲାଷ୍ଟିକକୁ ପରିତ୍ୟାଗ କରିବା ପାଇଁ ଏକ ପରିବେଶ ସୃଷ୍ଟି ହୋଇଥିଲା। ସ୍ବଚ୍ଛତା ହିଁ ସେବା ନାମକ ଏକ ବିଶାଳ ଅଭିଯାନ ଆରମ୍ଭ କରାଯାଇଥିଲା। ଏହି ଅଭିଯାନକୁ ସମର୍ଥନ କରିବା ପାଇଁ ଡେରାଡୁନରେ ପ୍ରାୟ 1 ଲକ୍ଷ ଲୋକ ମାନବ ଶୃଙ୍ଖଳା ସୃଷ୍ଟି କରିଥିଲେ। କିନ୍ତୁ ମାସ୍କ, ଗ୍ଲୋଭସ୍, ପିପିଇ କିଟ୍ ଆଦି ପିନ୍ଧିବା ବାଧ୍ୟତାମୂଳକ କରି ଏହି ଅଭିଯାନ ଉପରେ ପ୍ରଭାବ ପକାଯାଇଥିବା ସେ କହିଛନ୍ତି ।
ଦୀର୍ଘ ଦିନ ପର୍ଯ୍ୟନ୍ତ ସ୍ଥଗିତ ରହିଥିବା ଅନେକ କାର୍ଯ୍ୟକଳାପ ବର୍ତ୍ତମାନ ପୁଣିଥରେ ଆରମ୍ଭ ହୋଇଛି । ତେବେ ଅନଲକ୍-୨ ସମୟରେ ଏହି ଅଭିଯାନକୁ ପୁଣିଥରେ ପୁନର୍ଜୀବିତ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ମହାମାରୀ ବିରୁଦ୍ଧରେ ଲଢେଇ ପାଇଁ ପୁନଃବ୍ୟବହାର ଯୋଗ୍ୟ କପଡା ମାସ୍କ ଏବଂ କପଡା ଗ୍ଲୋଭସ୍ ଭଳି ବିକଳ୍ପ ରହିଛି ବୋଲି ଅନୁପ କହିଛନ୍ତି । ମହାମାରୀକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ନିର୍ଦ୍ଦେଶାବଳୀ ଅନୁଯାୟୀ ବାୟୋ-ମେଡିକାଲ ବର୍ଜ୍ୟବସ୍ତୁ ନିଷ୍କାସନ ପାଇଁ ଉତ୍ତରାଖଣ୍ଡରେ ଏକ ସୁଦୃଢ ଅନୁଷ୍ଠାନିକ ପ୍ରଣାଳୀ ସୃଷ୍ଟି କରିବାକୁ ଚେଷ୍ଟା କରିଥିଲେ ନାଉଟିୟାଲ । ରାଜ୍ୟର ପ୍ରାୟ 3000 ବେସରକାରୀ ତଥା ସରକାରୀ ଡାକ୍ତରଖାନା ଦ୍ବାରା ପ୍ରତିଦିନ ପ୍ରାୟ 5,500 କିଲୋଗ୍ରାମ ବାୟୋ-ମେଡିକାଲ୍ ବର୍ଜ୍ୟବସ୍ତୁ ଉତ୍ପନ୍ନ ହୁଏ ବୋଲି ଅନୁପ କହିଛନ୍ତି ।