ନୂଆଦିଲ୍ଲୀ: ସିଙ୍ଗାପୁର-ଭାରତ ଦ୍ବିପାକ୍ଷିକ ସଂପର୍କର ନିଦର୍ଶନ ନୌ-ସମରାଭ୍ୟାସ ସିମ୍ବେକ୍ସ-19 ଗତକାଲିଠାରୁ ଦକ୍ଷିଣ ଚୀନ ସାଗରରେ ଆରମ୍ଭ ହୋଇଛି । ଏହା ହେଉଛି ସିମ୍ବେକ୍ସର 26ତମ ସଂସ୍କରଣ । ଏହି ସମରାଭ୍ୟାସ ଆସନ୍ତା 22 ତାରିଖ ପର୍ଯ୍ୟନ୍ତ ଚାଲିବ ।
ଚାରିଦିନ ଧରି ହେବାକୁ ଥିବା ଏହି ସମରାଭ୍ୟାସରେ ଆଡଭାନ୍ସ ଏରିଅଲ ଟ୍ରାକିଙ୍ଗ, ସମନ୍ବିତ ଲକ୍ଷ୍ୟଭେଦ, ଭୂପୃଷ୍ଠ ଓ ଆକାଶମାର୍ଗରେ ଟାର୍ଗେଟ କରିପାରୁଥିବା ଅସ୍ତ୍ରର ଫାୟାରିଙ୍ଗ ଭଳି ସାମରିକ ଅଭ୍ୟାସ କରାଯିବ ।
ଭାରତର କୋଲକାତା ଓ ଶକ୍ତି ନୌ-ଜାହାଜ ସହ ସାମୁଦ୍ରିକ ପେଟ୍ରୋଲରେ ବ୍ୟବହୃତ ପି8ଆଇ ଏୟାରକ୍ରାଫ୍ଟ ଏଥିରେ ଯୋଗ ଦେଉଥିବା ବେଳେ ସିଙ୍ଗାପୁରର ଷ୍ଟେଡ୍ ଫାଷ୍ଟ, ଭାଲିଆନ୍ତ ଭଳି ନୌ-ଜାହାଜ ଏବଂ ଫକର୍, ଏଫ-18 ଭଳି ଲଢୁଆ ବିମାନ ଭାଗ ନେଉଛନ୍ତି ।