କୋରୋନା ଭାଇରସ୍ ସଂକ୍ରମଣ ଦ୍ବାରା ସାରା ବିଶ୍ବ ପ୍ରଭାବିତ ହୋଇଥିବା ସମୟରେ ଜନସ୍ବାସ୍ଥ୍ୟର ଗୁରୁତ୍ବ ବୃଦ୍ଧି ପାଇଛି। 2019 ଡିସେମ୍ବର 1 ତାରିଖରେ ଜଣେ ରୋଗୀଙ୍କ ନିକଟରୁ ଆରମ୍ଭ ହୋଇ ସାରା ବିଶ୍ବର ପ୍ରାୟ 200 ଦେଶ ବା କ୍ଷେତ୍ରକୁ ଏହି ଭୂତାଣୁ ବ୍ୟାପି ଯାଇଛି ଏବଂ ପାଖାପାଖି 6 ଲକ୍ଷ ଲୋକଙ୍କୁ ସଂକ୍ରମିତ କରିଛି ଏବଂ ମାତ୍ର 4 ମାସ ସମୟ ଭିତରେ, ସେମାନଙ୍କ ମଧ୍ୟରୁ 1% ଲୋକଙ୍କ ଜୀବନ ନେଇଛି । ମାନବ ସଭ୍ୟତାର ଇତିହାସରେ ଏତେ ଦ୍ରୁତ ଗତିରେ ଏତେ ଅଧିକ ସ୍ଥାନକୁ କୌଣସି ରୋଗ ବ୍ୟାପି ନଥିଲା କି ଏତେ ଲୋକଙ୍କୁ ପ୍ରଭାବିତ କରି ନଥିଲା । ଏହି ରୋଗରୁ ମୁକ୍ତିଲାଭ ଦିଗରେ ଡାକ୍ତରୀ ପ୍ରତିକ୍ରିୟା ଜାରି ରହିଥିବା ସମୟରେ ଏହା କେବଳ ମୋଟ ଲୋକସଂଖ୍ୟାର 1ରୁ 10% ଲୋକଙ୍କ ମଧ୍ୟରେ ସୀମିତ ରହିଛି । ରୋଗୀ ଚିକିତ୍ସାରେ ବ୍ୟବହୃତ ଗାଡ଼ିକୁ ବାଦ ଦେଲେ, ଲୋକଙ୍କ ଯାତାୟାତକୁ, ଏବଂ ସାମଗ୍ରୀ ଓ ସେବା ଯୋଗାଣରେ ବ୍ୟବହୃତ ଗାଡ଼ି ଚଳାଚଳକୁ ମଧ୍ୟ ଏହା ପ୍ରଭାବିତ କରିଛି ।
ସାରା ବିଶ୍ବରେ, ଦେଶ ଦେଶ ମଧ୍ୟରେ, ସହର ସହର ମଧ୍ୟରେ ଏବଂ ଏବେ ଘର ଘର ମଧ୍ୟରେ ମଧ୍ୟ ଯିବାଆସିବା ବନ୍ଦ ହୋଇଯାଇଛି । କେଉଁ କାରଣରୁ ସ୍ପଷ୍ଟତଃ ସୁସ୍ଥ ରହିଥିବା ବିଶ୍ବ ଜନସଂଖ୍ୟାର 90% ଲୋକଙ୍କୁ ଘରେ ବସିବାକୁ କୁହାଯାଇଛି ? ନିଜକୁ ନିଜେ ଅଲଗା ରଖିବା ଦ୍ବାରା ଆମେ କିଭଳି ଏହି ସମସ୍ୟାର ସମାଧାନରେ ଯୋଗଦାନ କରୁଛୁ ? ଠିକ୍ ଏହି ସ୍ଥାନରେ ହିଁ ଜନସ୍ବାସ୍ଥ୍ୟ ପ୍ରସଙ୍ଗ ଆଗକୁ ଆସେ- ଯାହା କେବଳ ରୋଗୀଙ୍କ ସହ ନୁହେଁ, ବରଂ ସବୁ ଲୋକଙ୍କ ସହ ସଂପୃକ୍ତ । ଯେତେବେଳେ ଜଣେ ବ୍ୟକ୍ତି ଅସୁସ୍ଥତା ଅନୁଭବ କରନ୍ତି, ସେ ଜଣେ ସ୍ବାସ୍ଥ୍ୟସେବା ପ୍ରଦାନକାରୀ ବା ଡାକ୍ତରଙ୍କ ପାଖକୁ ଯାଆନ୍ତି, ରୋଗର ନିଦାନ କରାଇ ନିଅନ୍ତି, ଔଷଧପତ୍ର ଖାଆନ୍ତି ଏବଂ ଡାକ୍ତରଙ୍କ ସୁପାରିସ ମୁତାବକ ନିଜର ଯତ୍ନ ନିଅନ୍ତି । ଏହା ଫଳରେ ସେ ଆରୋଗ୍ୟ ଲାଭ କରନ୍ତି । ବ୍ୟକ୍ତିଗତ ଭାବେ ରୋଗୀଙ୍କ ଡାକ୍ତରୀ ସେବା କ୍ଷେତ୍ରରେ ଡାକ୍ତର ଏବଂ ପାରା-ମେଡିକାଲ କର୍ମଚାରୀମାନେ ସାମିଲ ହୁଅନ୍ତି ।
ଅପରପକ୍ଷରେ, ଜନସ୍ବାସ୍ଥ୍ୟ ଦିଗରେ ପଦକ୍ଷେପ କହିଲେ ଅନେକ ଲୋକଙ୍କ ପାଇଁ ଅନେକ ଲୋକଙ୍କ ଦ୍ବାରା ସଂଗଠିତ ଉଦ୍ୟମକୁ ବୁଝାଏ, କେବଳ ରୋଗୀମାନଙ୍କ ଚିକିତ୍ସାକୁ ନୁହେଁ । ସବୁ ଲୋକଙ୍କୁ ସମ୍ଭାବ୍ୟ ଅସୁସ୍ଥତା ଏବଂ ଆଘାତରୁ ସୁରକ୍ଷିତ ରଖିବା ପାଇଁ ଏବଂ ସେମାନଙ୍କ ଶାରୀରିକ, ଆର୍ଥିକ ଏବଂ ସାମାଜିକ କାର୍ଯ୍ୟକ୍ଷମତାକୁ ସୁନିଶ୍ଚିତ କରିବା ଲାଗି ଏହା କରାଯାଏ । ଏଥିପାଇଁ ସ୍ବାସ୍ଥ୍ୟରକ୍ଷା କ୍ଷେତ୍ରରେ ବହୁସଂଖ୍ୟକ ନିର୍ଦ୍ଧାରକ ତତ୍ତ୍ବ ସମୂହର ଗଭୀର ଓ ବ୍ୟାପକ ଅନୁଶୀଳନ ଆବଶ୍ୟକ ହୁଏ ।
କୋରୋନା ଭାଇରସ୍ କ୍ଷେତ୍ରରେ ଯେଉଁ ସବୁ ଜନସ୍ବାସ୍ଥ୍ୟ ଭିତ୍ତିକ ପ୍ରୟାସ କରାଯାଉଛି ସେଥିରେ ରହିଛି,
କ) ଲୋକଙ୍କ ଆଚରଣରେ ପରିବର୍ତ୍ତନ ଲାଗି ରୋଗ ସଂପର୍କିତ ଜ୍ଞାନର ବିକାଶ ଦିଗରେ ସଚେତନତା ସୃଷ୍ଟି କାର୍ଯ୍ୟକ୍ରମ
ଖ) ସଂକ୍ରମଣ ସମ୍ଭାବନାକୁ ହ୍ରାସ କରିବା ଲାଗି ଲକ୍ଡାଉନ୍ ବା ତାଲାବନ୍ଦ ଏବଂ ସାମାଜିକ ଦୂରତା ଜରିଆରେ ଲୋକଙ୍କ ଗତି ଉପରେ କଟକଣା ଏବଂ ସମ୍ଭାବିତ ସମସ୍ତ ଲୋକଙ୍କ ପାଇଁ ହାତ ଧୋଇ ପରିଷ୍କାର ରଖିବା ଉପାୟ ଏବଂ ସମ୍ଭାବ୍ୟ ସମସ୍ତ
ସ୍ଥାନକୁ ସଂକ୍ରମଣମୁକ୍ତ କରିବା ।
ଗ) ସନ୍ଦିଗ୍ଧ ସଂକ୍ରମିତ ବ୍ୟକ୍ତିଙ୍କ ଚିହ୍ନଟ ଏବଂ ତାଙ୍କୁ ଏକାକୀ ରଖିବା ।
ଘ)ସଂକ୍ରମିତ ବ୍ୟକ୍ତିଙ୍କୁ ଅଲଗା ଘରେ ରଖି ଚିକିତ୍ସା କରିବା ଏବଂ
ଘ) ପୀଡ଼ିତ କିମ୍ବା ସଂକ୍ରମିତ ବ୍ୟକ୍ତିଙ୍କ ପରିବାର ଉପରେ ସାମାଜିକ ଓ ଆର୍ଥିକ କୁପ୍ରଭାବକୁ ଲାଘବ କରିବା ।
ଡାକ୍ତରଖାନାରେ ବ୍ୟକ୍ତିଗତ ଭାବେ ରୋଗୀଙ୍କ ଚିକିତ୍ସା ବ୍ୟତିରେକ ଅଣ-ଡାକ୍ତରୀ ବ୍ୟକ୍ତିମାନଙ୍କ ଦ୍ବାରା ସଂଗଠିତ ପ୍ରୟାସ ଜରିଆରେ ସମଗ୍ର ସମାଜ ପାଇଁ ଏହି ସବୁ ଉଦ୍ୟମ କରାଯାଏ ।
ଯେଉଁ ସବୁ କ୍ଷେତ୍ର ସହିତ କରୋନା ଭାଇରସର ରୋଚକ ସଂପର୍କ ରହିଛି ସେଗୁଡ଼ିକ ହେଲା....
କ) ଦେଶାନ୍ତର ଏବଂ ସହରୀକରଣ ଦୃଷ୍ଟିକୋଣରୁ ଜନସଂଖ୍ୟା ଓ ଉନ୍ନୟନ କାର୍ଯ୍ୟକ୍ରମ ।
ଖ) ରୋଜଗାର ହାନି ଦୃଷ୍ଟିରୁ ସୂକ୍ଷ୍ମ ଅର୍ଥବ୍ୟବସ୍ଥା ଏବଂ ରୋଗ ନିଦାନ ଏବଂ ଚିକିତ୍ସାରେ ନିହିତ ଆର୍ଥିକ ଭାର, ସର୍ବବ୍ୟାପୀ ମହାମାରୀର ପ୍ରତିରୋଧ ଏବଂ ନିୟନ୍ତ୍ରଣ ଦିଗରେ ଉପଲବ୍ଧ ସମ୍ବଳର ପୁନର୍ବିନିଯୋଗ ଦୃଷ୍ଟିରୁ ବୃହତ୍ ଅର୍ଥବ୍ୟବସ୍ଥା ଏବଂ ମାନ୍ଦାବସ୍ଥାର ପ୍ରଭାବ ପ୍ରଶମନ ।
ଗ) ସାମାଜିକୀକରଣ ଏବଂ ସାମାଜିକ ଦୂରତା ଦୃଷ୍ଟିରୁ ସାମାଜିକ ଏବଂ ଆଚରଣ ବିଜ୍ଞାନ ।
ଘ) ସାଧନ ପରିଚାଳନା ଏବଂ ଡାକ୍ତରୀ ଓ ଅଣ-ଡାକ୍ତରୀ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ।
ଙ) ମହାମାରୀ ବ୍ୟାପିବା ପ୍ରଣାଳୀ ସଂପର୍କରେ ସଠିକ୍ ପୂର୍ବାନୁମାନ ଏବଂ ମୁକାବିଲା ଯୋଜନା ସଂପର୍କିତ ପରିସଂଖ୍ୟାନ ।
ଚ) ଶାସନ ଏବଂ ଆଇନ ଶୃଙ୍ଖଳା ବ୍ୟବସ୍ଥା ଏବଂ
ଛ) ଅର୍ଥନୀତି ଉପରେ ରୋଗ ପ୍ରଭାବର ମୁକାବିଲା ଲାଗି ଉପଲବ୍ଧ ଏବଂ ପ୍ରାପ୍ତି ଆଶା କରାଯାଉଥିବା ସମ୍ବଳର ଯଥାର୍ଥ ପୁନର୍ବଣ୍ଟନକୁ ସୁନିଶ୍ଚିତ କରିବା ସହିତ ଅର୍ଥଲଗାଣ ।
ବିଂଶ ଶତାବ୍ଦୀରେ ବିଭିନ୍ନ ଆଣ୍ଟିବାୟୋଟିକ୍ସ ଏବଂ ପ୍ରତିଷେଧକ ଟିକା ଯାହା କରିଥିଲା ଏକବିଂଶ ଶତାବ୍ଦୀରେ ଜନସ୍ବାସ୍ଥ୍ୟ ଦିଗରେ ପ୍ରୟାସ ତାହା ହିଁ କରିବ । ଭବିଷ୍ୟତ କାର୍ଯ୍ୟପନ୍ଥାରେ ଏହି ଉକ୍ତିର ପ୍ରତିଫଳନ ଦିଗରେ କୋରୋନା ଭାଇରସ ସର୍ବବ୍ୟାପୀ ମହାମାରୀ ବାଟ ଦେଖାଇଛି ।
ମୟୂର ତ୍ରିବେଦୀ
ସହାୟକ ପ୍ରାଧ୍ୟାପକ, ଭାରତୀୟ ଜନସ୍ୱାସ୍ଥ୍ୟ ସଂସ୍ଥାନ, ଗାନ୍ଧିନଗର