ବେଙ୍ଗାଲୁରୁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ୟେଦୁରପ୍ପାଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି କଂଗ୍ରେସ ନେତା ସିଦ୍ଧାରମୈୟା । ୟେଦୁରପ୍ପା ମୁସଲମାନ ସମ୍ପ୍ରଦାୟକୁ ଘୃଣା କରନ୍ତି ବୋଲି ସେ କହିଛନ୍ତି ।
ହୋସୁରରେ ଏକ ଜନସଭାକୁ ସମ୍ବୋଧିତ କରି ସେ କହିଛନ୍ତି, ୟେଦୁରପ୍ପା ମୁସଲମାନ ସମ୍ପ୍ରଦାୟକୁ ଘୃଣା କରନ୍ତି । ସେ କେବଳ ଏହି ଧର୍ମକୁ କାହିଁକି ଘୃଣା କରନ୍ତି ତାହା ଜାଣି ହେଉନାହିଁ । ଏହା ତାଙ୍କର ସାମ୍ପ୍ରଦାୟିକତାକୁ ଦର୍ଶାଉଛି । ମୁଁ ଯେତେବେଳେ ମୁଖ୍ୟମନ୍ତ୍ରୀ ଥିଲି ଅନେକ ଯୋଜନା ଆଣିଥିଲି । କିନ୍ତୁ ସେ କ'ଣ କରିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ସିଦ୍ଧାରମୈୟା ।
ସେ ଆହୁରି କହିଛନ୍ତି ଯେ, ମୁଁ ଟିପୁ ଜୟନ୍ତୀ ସହ କନକଦାସ ଜୟନ୍ତୀ ଏବଂ କେମ୍ବେଗୌଡା ଜୟନ୍ତୀର ଶୁଭାରମ୍ଭ କରିଥିଲି । ଟିପୁ ଜଣେ ମହାନ ରାଜା ଥିଲେ ଏବଂ ସେ ଇଂରେଜଙ୍କ ବିରୋଧରେ ସ୍ବର ଉତ୍ତୋଳନ କରିଥିଲେ । ତାଙ୍କ ପିତା ମଧ୍ୟ ଜଣେ ମହାନ ରାଜା ଥିଲେ ବୋଲି ସିଦ୍ଧାରମୈୟା କହିଛନ୍ତି ।