ମୁମ୍ବାଇ: କୋରୋନା ସଂକ୍ରମଣ ରୋକିବା ପାଇଁ ଲକଡାଉନ୍ ର ଦୀର୍ଘମିଆଦି ପ୍ରଭାବକୁ ନେଇ ଶିବସେନା ଉଦବେଗ ପ୍ରକାଶ କରିଛି। ଶିବସେନା କହିଛି ଯେ, ସମସ୍ତ ରାଜନୈତିକ ଦଳ ସାମ୍ପ୍ରଦାୟିକ ରାଜନୀତି ଛାଡି ଅର୍ଥନୀତିକୁ ଫେରାଇ ଆଣିବା ପାଇଁ କାର୍ଯ୍ୟ କରିବା ଉଚିତ।
ଦଳ କହିଛି ଯେ କୋଭିଡ-19 ର ପ୍ରଭାବ ଉପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ପୂର୍ବତନ ଆରବିଆଇ ଗଭର୍ଣ୍ଣର ରଘୁରାମ ରାଜନଙ୍କ ମଧ୍ୟରେ ହୋଇଥିବା ଆଲୋଚନା ଅର୍ଥନୀତି ପାଇଁ କେତେ କଷ୍ଟଦାୟକ ତାହା ଦର୍ଶାଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଅର୍ଥନୀତିଜ୍ଞ ରଘୁରାମ ରାଜନଙ୍କ ସହ ଡିଜିଟାଲ ମାଧ୍ୟମ ଦ୍ବାରା କଥା ହୋଇଛନ୍ତି। ରାଜନ କହିଥିଲେ ଯେ କୋରୋନା ଭାଇରସ ଜନିତ ଲକଡାଉନ୍ ହେତୁ ସରକାର ଗରିବ ଲୋକଙ୍କ ପାଇଁ 65000 କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିବ। ସମଗ୍ର ଦେଶକୁ ଲକଡାଉନର ଆର୍ଥିକ ସଙ୍କଟ ସହିବାକୁ ପଡିବ ।
ଏହାପରେ ସରକାରଙ୍କ ଗରିବଙ୍କ ସଜ୍ଞାରେ ପରିବର୍ତ୍ତନ ଆସିବ । ମଧ୍ୟବିତ୍ତ ଓ ଉଚ୍ଚ ମଧ୍ୟବିତ୍ତ ମଧ୍ୟ ଗରିବ ବର୍ଗରେ ପଡିବେ । ଆର୍ଥିକ ଦୃଷ୍ଟିରୁ ପଛୁଆ ହେବାର ପ୍ରମାଣପତ୍ର ମାଗିବା ଆରମ୍ଭ କରିବେ । ଆମେରିକା ଭଳି ବିକଶିତ ଦେଶରେ ମଧ୍ୟ ବେକାରୀ ସମସ୍ୟା ଭଳି ଏକ ଗମ୍ଭୀର ସମସ୍ୟା ଆରମ୍ଭ ହୋଇଛି।
ଶିବସେନା ମୁଖ୍ୟ ଉଦ୍ଧବ ଠାକରେ କହିଛନ୍ତି ଯେ, ଆମେରିକାରେ ବେକାରୀ ଭତ୍ତା ବ୍ୟବସ୍ଥା ଅଛି ଯାହା ଭାରତରେ ନାହିଁ। 10 କୋଟି ଲୋକ ଭାରତରେ ବେକାର ହୋଇଯିବେ, ଯାହା ଚିନ୍ତାର ବିଷୟ। ଦଳ କହିଛି ଯେ, ମହାରାଷ୍ଟ୍ରରେ 2019-20 ର ରାଜସ୍ବ ଆୟ 3.15 ଲକ୍ଷ କୋଟି ହୋଇଥିବାବେଳେ ବ୍ୟୟ ହେଉଛି 3.35 ଲକ୍ଷ କୋଟି ଟଙ୍କା। ମାତ୍ର ଲକଡାଉନ୍ କାରଣରୁ ରାଜସ୍ବ ହ୍ରାସ ପାଇବ ଓ ଆଗକୁ ଚଳାଇବା କଷ୍ଟକର ହୋଇ ପଡିବ ।
ଦଳ କହିଛି ଯେ ଭାରତର ସମସ୍ତ ରାଜନୈତିକ ଦଳ ଭାରତ-ପାକିସ୍ଥାନ, ଧର୍ମ ଏବଂ ଜାତି ରାଜନୀତି ଛାଡି ଅର୍ଥନୀତିକୁ ଫେରାଇ ଆଣିବା ପାଇଁ କାର୍ଯ୍ୟ କରିବା ଉଚିତ। ପ୍ରଧାନମନ୍ତ୍ରୀ ନେତୃତ୍ବ ନେବା ଉଚିତ୍ ଏବଂ ସମଗ୍ର ଦେଶ ତାଙ୍କ ସହିତ ଅଛନ୍ତି ।