ନୂଆଦିଲ୍ଲୀ: ବିଜେପିର ୩୯ତମ ପ୍ରତିଷ୍ଠା ଦିବସରେ ଦଳର ବିଦ୍ରୋହୀ ନେତା ତଥା ସାଂସଦ ଶତ୍ରୁଘ୍ନ ସିହ୍ନା କଂଗ୍ରେସରେ ଯୋଗ ଦେଇଛନ୍ତି । ବିଗତ ଦିନରୁ ବିଜେପିର ଶୀର୍ଷ ନେତୃତ୍ବ ସହ ତାଙ୍କ ସମ୍ପର୍କରେ ଦେଖା ଦେଇଥିଲା କଳହ । ଶେଷରେ ଅଧିକାରୀକ ଭାବେ ଶନିବାର କଂଗ୍ରେସର ଧରିଛନ୍ତି ହାତ ।
କଂଗ୍ରେସ ପ୍ରବକ୍ତା ରଣଦାପ ସିଂ ସୁର୍ଜେୱାଲା, ବିହାର କଂଗ୍ରେସ ପ୍ରଭାରୀ ଶକ୍ତିସିଂ ଗୋହିଲ, ଦଳର ବରିଷ୍ଠ ନେତା କେସି ବେନୁଗୋପାଳଙ୍କ ଉପସ୍ଥିତିରେ ଶତ୍ରୁଘ୍ନ କଂଗ୍ରେସରେ ସାମିଲ ହୋଇଥିଲେ । ଏହି ଅବସରରେ ସେ ପ୍ରଧାନମନ୍ତ୍ରୀ ମୋଦି ଓ ବିଜେପି ଶୀର୍ଷ ନେତୃତ୍ବ ଉପରେ ଜୋରଦାର ବର୍ଷିଛନ୍ତି । ବିଜେପିକୁ ୱାନ ମ୍ୟାନ ଶୋ, ଟୁ ମ୍ୟାନ ଆର୍ମି ବୋଲି କହିଛନ୍ତି ଶତ୍ରୁଘ୍ନ ।
ବିମୁଦ୍ରୀକରଣର ପ୍ରଚାର ପାଇଁ ନିଜ ମା'ଙ୍କୁ ଲାଇନରେ ଛିଡା କରାଇଥିଲେ ମୋଦି । ଏହା କଣ ଦେଖାଣିଆ ଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି । ଏହାସହ ସେ କହିଛନ୍ତି ଯେ ଦେଶ ନିର୍ମାଣରେ କଂଗ୍ରେସର ବଡ ଯୋଗଦାନ ରହିଛି । ଦୁଃଖ ଲାଗୁଛି ବିଜେପିର ପ୍ରତିଷ୍ଠା ଦିବସର ଦଳ ଛାଡିବାକୁ ପଡୁଛି । ବିଜେପି ନିଜ ନେତାଙ୍କୁ ଗୁରୁତ୍ବ ଦେଉ ନାହିଁ । ଅଟଳ ବିହାର ବାଜପେୟୀଙ୍କ ନିକଟତମ ବ୍ୟକ୍ତି ଯଶବନ୍ତ ସିଂ, ଅରୁଣ ଶୌରୀ, ମୁରଲୀ ମନୋହର ଯୋଶୀ ଓ ଲାଲକୃଷ୍ଣ ଆଡଭାନୀ ସହ ବିଜେପି ବହୁତ ଖରାପ ବ୍ୟବହାର କରିଛି । ଯଶବନ୍ତ ସିହ୍ନାଙ୍କୁ ଏତେ ପ୍ରତାରିତ କରାଯାଇଥିଲା ଯେ ଶେଷରେ ସେ ଦଳ ଛାଡିବାକୁ ବାଧ୍ୟ ହୋଇଥିଲେ ବୋଲି ସିହ୍ନା କହିଛନ୍ତି ।
ଲାଲକୃଷ୍ଣ ଆଡଭାନୀ ବ୍ଲଗ ଲେଖିଛନ୍ତି, ଭାବନ୍ତୁ ତାଙ୍କ ଭିତରେ କେତେ କଷ୍ଟ ଚାପି ରଖିଛନ୍ତି । ବିଜେପି ବର୍ତ୍ତମାନ ନିଜ ବିରୋଧୀଙ୍କୁ ଶତ୍ରୁ ଭାବେ ଦେଖୁଛି । ବିମୁଦ୍ରୀକରଣ ବିଶ୍ବର ସବୁଠାରୁ ବଡ ଦୁର୍ନୀତି ଥିଲା । ଏହାର ପ୍ରଭାବରେ ବହୁ ଲୋକ ଜୀବନ ମଧ୍ୟ ହରାଇଛନ୍ତି । ଇନ୍ଦିରା ଗାନ୍ଧୀଙ୍କ ପରି ପ୍ରଧାନମନ୍ତ୍ରୀ ନା ହୋଇଛନ୍ତି ନା ହେବେ । ଅଟଳଜୀ ଇନ୍ଦିରା ଗାନ୍ଧୀଙ୍କୁ ଦେବୀ ଦୁର୍ଗାଙ୍କ ସହ ତୁଳନା କରିଥିଲେ ବୋଲି ଶତ୍ରୁଘ୍ନ ସିହ୍ନା କହିଛନ୍ତି ।