ନୂଆଦିଲ୍ଲୀ: ସୋମବାର କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ତାଙ୍କ ଦିଲ୍ଲୀ ସ୍ଥିତ ତାଙ୍କ ବାସଭବନରେ ଭେଟିଛନ୍ତି ଏନସିପି ମୁଖ୍ୟ ଶରଦ ପାୱାର। ଏହି ସାକ୍ଷାତକାର ପରେ ଶରଦଙ୍କ ବୟାନ ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଆସନ ପାଇଁ ଏନସିପି-କଂଗ୍ରେସର ସମର୍ଥନ ସସପେନ୍ସକୁ ବଳବତ୍ତର ରଖିଛି ।
10-ଜନପଥ ସ୍ଥିତ କଂଗ୍ରେସ ହାଇକମାଣ୍ଡ ସୋନିଆଙ୍କ ବାସଭବନରେ ସାକ୍ଷାତ କରିଛନ୍ତି ଏନସିପି ସୁପ୍ରିମୋ ଶରଦ ପାୱାର । ବୈଠକ ପରେ ପାୱାରଫୁଲ ଷ୍ଟେଟମେଣ୍ଟ ଦେଇଛନ୍ତି ଶରଦ । ଏହି ବୈଠକ କେବଳ ମହାରାଷ୍ଟ୍ର ରାଜନୀତିର ବର୍ତ୍ତମାନର ଦୃଶ୍ୟପଟ୍ଟ ସମ୍ପର୍କରେ ଅବଗତ ପାଇଁ ସୋନିଆଙ୍କ ସହ ସମ୍ୟକ ଆଲୋଚନା ହୋଇଥିବା କହିଛନ୍ତି ଏନସିପି ସୁପ୍ରିମୋ । ଆଲେଚନାରେ ସରକାର ଗଠନ ବିଷୟରେ ବିଷଦ ଚର୍ଚ୍ଚା ହୋଇନଥିବା କଥା ସେ କହିଛନ୍ତି।
ଏହାସହ ସେ କହିଛନ୍ତି ଯେ, ଏନସିପି-କଂଗ୍ରେସକୁ ବିପକ୍ଷ ଆସନରେ ବସିବା ପାଇଁ ଜନାଦେଶ ମିଳିଛି । ସରକାର ଗଠନ ପାଇଁ ନା ଶିବସେନା ଆମ ସହ ଆଲୋଚନା କରିଛି ନା ଆମେ ଶିବସେନା ସହ କଥା ହୋଇଛୁ ବୋଲି କହିଛନ୍ତି ଶରଦ ପାୱାର।
ଉଲ୍ଲେଖ ଯୋଗ୍ୟ ଯେ, ବର୍ତ୍ତମାନ ସୁଦ୍ଧା ବିଜେପି-ଶିବସେନା କଳି ତୁଟି ନାହିଁ । ଏପରି ସ୍ଥଳେ ଏନସିପି ସୁପ୍ରିମୋଙ୍କ ପରୋକ୍ଷ ଇସାରା ଶିବସେନାକୁ ହରଡଘଣାରେ ପକାଇପାରେ । ଏବେ ତିନି ଘାଟରେ ପାଣି ପିଉଥିବା ମହାରାଷ୍ଟ୍ରରେ ଚାରି ପ୍ରମୁଖ ଦଳଙ୍କ ସିଏମ ସିଟ୍ ପାଇଁ ଆଭିମୁଖ୍ୟ କଣ ହେଉଛି ତାହା ଦେଖିବାକୁ ରହିଲା।