ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ସରକାର ଗଠନ ନେଇ ନିର୍ଣ୍ଣାୟକ ନିଷ୍ପତ୍ତି ପାଇଁ ଅନେକ ବୈଠକ, ସାକ୍ଷାତକାର, ଆଲୋଚନା, ବୁଝାମଣା ଗୋଟିଏ ପରେ ଗୋଟିଏ ଜାରି ରହିଛି । ହେଲେ ଫଳାଫଳ ଶୂନ । ସସପେନ୍ସ ଉପରୁ ପରଦା ଉଠିବା ପରିବର୍ତ୍ତେ ନୂଆ ଚର୍ଚ୍ଚା ପୁଣିଥରେ ସସପେନ୍ସକୁ ମହାସସପେନ୍ସ ଆଡକୁ ଠେଲି ନେଉଛି । ପୁଣି ଥରେ ସୋମବାର ସୋନିଆ ଗାନ୍ଧୀ ଓ ଶରଦ ପାୱାରଙ୍କ ବୈଠକ ପରେ ପାୱାରଙ୍କ ବୟାନ ସ୍ଥିତିକୁ ଆହୁରି ଜଟିଳ କରିଦେଇଛି ।
ମହାରାଷ୍ଟ୍ରରେ ଶିବସେନା ଆଡକୁ ହାତ ବଢାଇ ଏନସିପି ଓ କଂଗ୍ରେସ ସରକାର ଗଠନ କରିବା ନେଇ ସୋମବାର ନୂଆଦିଲ୍ଲୀର 10-ଜନପଥରେ ସମସ୍ତଙ୍କ ନଜର ରହିଥିଲା । ମାତ୍ର କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ବାସଭବନରେ ଏନସିପି ସୁପ୍ରିମୋ ଶରଦ୍ ପାୱାରଙ୍କ ବୈଠକ ସରିବା ପରେ ମହାରାଷ୍ଟ୍ର ସିଏମ ସିଟ୍ ସମୀକରଣ ପୁଣି ଥରେ ଅନିଶ୍ଚିତତା ଭିତରେ ରହିଛି ।
ଏହି ବୈଠକ ପରେ ପରେ ଶରଦ ପାଓ୍ଵାର କହିଛନ୍ତି ଯେ ମହାରାଷ୍ଟ୍ର ରାଜନୈତିକ ସ୍ଥିତି ଉପରେ କେବଳ ଆଲୋଚନା ହୋଇଥିଲା । ଦୁଇ ଦଳର ବରିଷ୍ଠ ନେତା ମାନଙ୍କ ମତାମତକୁ ଆଧାର କରି ଆଗାମୀ ନିଷ୍ପତ୍ତି ନିଆଯିବ । ଏହାସହ ସୋନିଆଙ୍କ ସହ ସରକାର ଗଠନ ନେଇ କୌଣସି ଆଲୋଚନା ହୋଇନାହିଁ ବୋଲି ବୈଠକ ପରେ ସାମ୍ବାଦିକଙ୍କ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ଏଠାରେ ସୂଚନା ଯୋଗ୍ୟ ଯେ, ସୋନିଆଙ୍କ ସହ ବୈଠକ ପୂର୍ବରୁ ଶରଦ୍ ପାୱାର ସରକାର ଗଢିବା ପାଇଁ ବିଜେପି ଏବଂ ଶିବସେନାକୁ ଏହି ପ୍ରଶ୍ନ ପଚାରାଯିବା ଦରକାର ବୋଲି ସେ କହିଥିଲେ । ଏନସିପି ମୁଖ୍ୟ କହିଥିଲେ ଯେ, ଶିବସେନା ଏବଂ ବିଜେପି ଏକାସାଙ୍ଗରେ ନିର୍ବାଚନ ଲଢିଥିଲେ । ଆମେ ତାଙ୍କଠାରୁ ଅଲଗା ନିର୍ବାଚନ ଲଢିଥିଲୁ ।
ମହାରାଷ୍ଟରେ ସରକାର ଗଠନ କରିବା ପାଇଁ ଦାବି ରଖୁଥିବା ସମସ୍ତ ଦଳ ନିଜ ନିଜ ଅନୁସାରେ ରାସ୍ତା ଚୟନ କରିବା ଆବଶ୍ୟକ । ବିଜେପି ଓ ଶିବସେନା ଏକାଠି ଲଢିଥିଲେ ଏବେ ଦୁହିଁଙ୍କୁ ନିଜ ନିଜ ରାସ୍ତା ବାଛିବା ଦରକାର ବୋଲି କହିଥିଲେ । ଏବେ 10-ଜନପଛର ବୈଠକ ହିଁ ଆଗାମୀ ଚିତ୍ରକୁ ସ୍ପଷ୍ଟ କରିଦେବ । ମହାରାଷ୍ଟ୍ରରେ କିଏ ଗଢିବ ସରକାର ।