ନୂଆଦିଲ୍ଲୀ: ଆଇସିୟୁରେ କଂଗ୍ରେସର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ଅହମ୍ମଦ ପଟେଲ । ଅହମ୍ମଦ ପଟେଲଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିବାରୁ ତାଙ୍କୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। 71 ବର୍ଷିୟ କଂଗ୍ରେସ କୋଷାଧ୍ୟକ୍ଷ ଶୁକ୍ରବାର ଦିନ ଗୁରୁଗାଓଁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସେ ପୂର୍ବରୁ ଫରିଦାବାଦର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ।
ଉଲ୍ଲେଖଯୋଗ୍ୟ ଯେ, ଗତ ଅକ୍ଟୋବର ୧ ରେ ପଟେଲଙ୍କର କୋରୋନା ରିପୋର୍ଟ ପଜିଟିଭ ଆସିଥିଲା । ରିପୋର୍ଟ ପଜିଟିଭ ଆସିବା ପରେ ସେ ଦିଲ୍ଲୀସ୍ଥିତ ତାଙ୍କ ବାସଭବନରେ ସଙ୍ଗରୋଧରେ ଥିଲେ। ତେବେ ପରେ ଅବସ୍ଥା ଅଧିକ ସଂକଟଜନକ ହୋଇପଡ଼ିବାରୁ ତାଙ୍କୁ ମେଦାନ୍ତ ହସ୍ପିଟାଲକୁ ନିଆଯାଇଛି। ପଟେଲଙ୍କ ସ୍ବାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ରହିଛି ବୋଲି ଏନେଇ ପଟେଲଙ୍କ ପୁଅ ଫୈସଲ ଟ୍ୱିଟ କରି ସୂଚନା ଦେଇଛନ୍ତି । ତୁରନ୍ତ ସେ ସୁସ୍ଥ ହୋଇ ଘରକୁ ଫେରନ୍ତୁ ବୋଲି ପରିବାର ପକ୍ଷରୁ ପ୍ରାର୍ଥନା କରାଯାଇଛି।
ଏହା ସହ ବରିଷ୍ଠ ନେତା ରାହୁଲ ଗାନ୍ଧୀ ଟ୍ବିଟ୍ କରିଛନ୍ତି ଯେ, “ମୁଁ ଅହମ୍ମଦ ପଟେଲ ଜୀଙ୍କ ଆରୋଗ୍ୟ କାମନା କରୁଛି। ଦଳର ପ୍ରତ୍ୟେକ ପଦକ୍ଷେପରେ ତାଙ୍କର ଦକ୍ଷ ମାର୍ଗଦର୍ଶନ ନିହାତି ଆବଶ୍ୟକ । ’’ ଏନ୍ୟପଟେ ଆନନ୍ଦ ଶର୍ମା, ଶଶି ଥାରୁର ଏବଂ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସମେତ ଅନ୍ୟ ନେତାମାନେ ମଧ୍ୟ ପଟେଲଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।