ରାୟପୁର: ମହାତ୍ମା ଗାନ୍ଧୀଙ୍କ 150ତମ ଜୟନ୍ତୀ ପାଳନ ଅବସରରେ ଦେଶବାସୀଙ୍କୁ ପ୍ଲାଷ୍ଟିକ ମୁକ୍ତ ପରିବେଶ ପାଇଁ ଆହ୍ବାନ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ହେଲେ ମୋଦିଙ୍କ ଆହ୍ବାନର ଠିକ୍ 5 ବର୍ଷ ପୂର୍ବରୁ ପ୍ଲାଷ୍ଟିକ ବିରୋଧରେ ଲଢେଇ ଆରମ୍ଭ କରିଥିଲା ଛତିଶଗଡର ଅମ୍ବିକାପୁର ନଗର ନିଗମ ।
ନଗର ନିଗମ ପକ୍ଷରୁ ଡୋର-ଟୁ-ଡୋର ଅଳିଆ ଆବର୍ଜନା ସଂଗ୍ରହ ସହ ପ୍ଲାଷ୍ଟିକ ମୁକ୍ତ ପରିବେଶ ପାଇଁ ଆରମ୍ଭ ହୋଇଥିଲା ଅଭିଯାନ । ବର୍ଜ୍ୟବସ୍ତୁ ପରିଚାଳନା ପାଇଁ 2014ରୁ ନଗର ନିଗମ ଆରମ୍ଭ କରିଥିବା ଏହି ପ୍ରୟାସ ଅନ୍ୟ ରାଜ୍ୟ ପାଇଁ ମଡେଲ ଭଳି ସାବ୍ୟସ୍ତ ହୋଇଛି । ଅନ୍ୟପକ୍ଷରେ ସହରର ସଂଗୃହିତ ହେଉଥିବା ଆବର୍ଜନା ଗୁଡିକୁ ନିଗମ ପ୍ରଥମେ ବିଭିନ୍ନ ଭାଗରେ ବିଭକ୍ତ କରେ । ପରେ ଏହାକୁ ପୁନଃ ବ୍ୟବହାର ପାଇଁ ବ୍ୟବସାୟୀଙ୍କୁ ବିକ୍ରି କରାଯାଏ ।
ବର୍ଜ୍ୟବସ୍ତୁରୁ ମିଳୁଥିବା ରଙ୍ଗୀନ ପଲଥିନ ଗୁଡିକୁ ସିମେଣ୍ଟ କାରାଖାନାକୁ ବିକ୍ରି କରାଯାଉଥିବା ବେଳେ ପଲିଥିନ ଓ ପ୍ଲାଷ୍ଟିକକୁ ପୁନଃବ୍ୟବହାର ଉପଯୋଗୀ କରାଯାଇ ବିକ୍ରି କରାଯାଇଥାଏ । ନଗର ନିଗମର ଏହି ପଦକ୍ଷେପ ଯୋଗୁଁ ପରିବେଶ ସୁରକ୍ଷିତ ରହିବା ସହ ମହିଳାଙ୍କୁ ଯୋଗାଉଛି ରୋଜଗାରର ପନ୍ଥା । ସେପଟେ ବର୍ଜ୍ୟବସ୍ତୁ ପରିଚାଳନାରେ ନଗର ନିଗମ କେବଳ ଉଲ୍ଲେଖନୀୟ କାର୍ଯ୍ୟ କରିଛି ତାହା ନୁହେଁ, ଦେଶର ପ୍ରଥମ ଅଳିଆ କାଫେ ଖୋଲି ଭୋକିଲା ପେଟକୁ ଯୋଗାଉଛି ଆହାର ।
ଏହି କାଫେ କିଲୋଗ୍ରାମ ଆବର୍ଜନା ବଦଳରେ ଦେଉଛି ମାଗଣା ଭୋଜନ । ଅନ୍ୟପଟେ କାଫେରୁ ସଂଗୃହିତ ହେଉଥିବା ଅଳିଆକୁ ପ୍ରଥମେ ସାନିଟାରି ପାର୍କକୁ ନିଆଯାଏ । ସେଠାରେ ପୁନଃଚକ୍ରଣ କରାଯାଇ ରାସ୍ତା ନିର୍ମାଣରେ ବ୍ୟବହାର କରାଯାଏ । ଆଜି ଦେଶ ଏକକ ବ୍ୟବହୃତ ପ୍ଲାଷ୍ଟିକ ବ୍ୟବହାର ଉପରେ ଅଙ୍କୁଶ ଲଗାଇବା କଥା କହୁଛି । ହେଲେ ସରକାରଙ୍କ ପକ୍ଷରୁ ପ୍ଲାଷ୍ଟିକ ବ୍ୟବହାର ବନ୍ଦ କରିବା ଉପରେ କୌଣସି କଡା କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ ।
ଏପରିସ୍ଥଳେ ଅମ୍ବିକାପୁର ନଗର ନିଗମର ଏଭଳି ପ୍ରୟାସ ନିହାତି ପ୍ରଶଂସାଯୋଗ୍ୟ । ଯଦି ସବୁ ରାଜ୍ୟ ଅମ୍ବିକାପୁର ନଗର ନିଗମ ପରି ପଦକ୍ଷେପ ନେବେ ନିହାତି ଦେଶକୁ ପ୍ଲାଷ୍ଟିକ ମୁକ୍ତ ଅଭିଯାନରେ ସଫଳ ହେବାରୁ କେହି ରୋକି ପାରିବେ ନାହିଁ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ