ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ବୁଧବାର ବଡ ସଫଳତା ମିଳିଛି । ଜମ୍ମୁ-କାଶ୍ମୀରର ସୋପୋର ଅଞ୍ଚଳରୁ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଇବାର 4 ସହଯୋଗୀଙ୍କୁ ଗିରଫ କରାଯାଇଛି । ଏମାନେ ଘାଟିରେ ଆତଙ୍କବାଦୀଙ୍କୁ ସାହାଯ୍ୟ କରୁଥିବା ଅଭିଯୋଗ ହୋଇଛି ।
ସୋପୋର ପୋଲିସ 52 ରାଷ୍ଟ୍ରୀୟ ରାଇଫଲ୍ସ ଏବଂ ସିଆରପିଏଫ ସହ ମିଳିତ ଭାବରେ ପୋସ୍କା ମୁକାମ ଏବଂ ଚନପୋରା ଅଧୁରା ଅଞ୍ଚଳରେ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ କରିଥିଲେ । ଏହି ସମୟରେ ଲସ୍କରର 4 ସହଯୋଗୀଙ୍କୁ ଗିରଫ କରାଯାଇଥିଲା । ତେବେ ପୋଲିସ ସେମାନଙ୍କୁ ଜେରା କରି ତଦନ୍ତ ଜାରି ରଖିଥିବା ଜଣାପଡିଛି ।
ସୂଚନାଯୋଗ୍ୟ ଯେ, ପୁଲୱାମାର ବନ୍ଦଜୁ ଅଞ୍ଚଳରେ ମଙ୍ଗଳବାର ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା । ଏଥିରେ 2 ଜଣ ଅଜ୍ଞାତ ଆତଙ୍କବାଦୀ ନିହତ ହୋଇଥିଲେ । ଘଟଣାରେ ଜଣେ ସିଆରପିଏଫ ଯବାନ ମଧ୍ୟ ଶହୀଦ ହୋଇଥିଲେ ।