ନୂଆଦିଲ୍ଲୀ: କୋରୋନାକୁ ପ୍ରତିହତ କରିବା ପାଇଁ ସରକାର ଦେଶବ୍ୟାପୀ ଲକଡାଉନ ଘୋଷଣା କରିଥିଲେ । ଫଳରେ ଜନଜୀବନ ଏକ ପ୍ରକାର ଠପ୍ ହୋଇଯାଇଥିଲା । ଏପରିକି ସ୍କୁଲ କଲେଜ ମଧ୍ୟ ବନ୍ଦଥିଲା । ତେବେ ସ୍କୁଲ କଲେଜ ଖୋଲିବା ନେଇ ଛାତ୍ର, ଶିକ୍ଷକ ଏବଂ ଅଭିଭାବକଙ୍କ ମନରେ ଥିବା ଦ୍ବନ୍ଦକୁ ଆଜି ଦୂର କରିଛନ୍ତି ଏଚଆରଡି ମନ୍ତ୍ରୀ ରମେଶ ପୋଖରିଆଲ ନିଶ । 15 ଅଗଷ୍ଟ 2020 ପରେ ଶିକ୍ଷାନୁଷ୍ଠାନ ଖୋଲିପାରେ ବୋଲି ଏକ ସାକ୍ଷାତକାରରେ ଡକ୍ଟର ରମେଶ ପୋଖରିଆଲ କହିଛନ୍ତି।
ଏହି ପରିପ୍ରେକ୍ଷୀରେ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ଏଚଆରଡି ମନ୍ତ୍ରୀ ଡକ୍ଟର ରମେଶ ପୋଖରିଆଲ ନିଶଙ୍କଙ୍କୁ ସ୍କୁଲ ଖୋଲିବା ଯୋଜନା ସମ୍ପର୍କରେ ଏକ ଚିଠି ଲେଖିଥିଲେ । ଯାହାର ଉତ୍ତର ଟ୍ବିଟ ମାଧ୍ୟମରେ ରଖିଛନ୍ତି ପୋଖରିଆଲ । କୋରୋନା ସହଭାଗିତାକୁ ଗ୍ରହଣ କରି ଦେଶରେ ସ୍କୁଲ ଗୁଡ଼ିକର ଭୂମିକା ନୂଆ ପ୍ରକାରରେ ସ୍ଥିର କରିବାର ସମୟ ଆସିଯାଇଛି ବୋଲି ସିସୋଡିଆ ଚିଠି ମାଧ୍ୟମରେ ଜଣାଇଛନ୍ତି । ମହାମାରୀ କୋରୋନା ହେତୁ ଦେଶରେ ସମସ୍ତ ସ୍କୁଲ ଏବଂ କଲେଜ ମାର୍ଚ୍ଚରୁ ବନ୍ଦ ରହିଛି । ଏଭଳି ପରିସ୍ଥିତିରେ ଅନଲାଇନ୍ ମାଧ୍ୟମରେ ଅଧ୍ୟୟନ କରାଯାଉଥିଲେ ମଧ୍ୟ କୌଣସି ସ୍ଥାନରେ ଛାତ୍ରଛାତ୍ରୀଙ୍କ ଶିକ୍ଷା ଉପରେ ଏହା ପ୍ରଭାବ ପଡ଼ୁଥିବା ଦେଖିବାକୁ ମିଳିଛି । ତେଣୁ ଏହାକୁ ଦୂରେଇ ରଖାଯାଇପାରିବ ନାହିଁ। ଆମକୁ ଏହି କୋରୋନା ସହିତ ଆଗକୁ ବଢିବାକୁ ହେବ ବୋଲି ସିସୋଡ଼ିଆ କହିଛନ୍ତି ।
ସମସ୍ତ ହିତାଧିକାରୀଙ୍କ ପରାମର୍ଶରେ ସ୍କୁଲ ଗୁଡ଼ିକ ସେମାନଙ୍କ ଆବଶ୍ୟକତା ଏବଂ ସମ୍ବଳକୁ ଦୃଷ୍ଟିରେ ରଖି ନିଜସ୍ୱ ଯୋଜନା ପ୍ରସ୍ତୁତ କରିପାରିବେ | ବର୍ତ୍ତମାନ ବିଦ୍ୟାଳୟଗୁଡ଼ିକୁ ସମସ୍ତଙ୍କର ସମର୍ଥନ ଆବଶ୍ୟକ । ପିଲାମାନଙ୍କ ପରି, ଶିକ୍ଷା ଜଗତ ସହିତ ଜଡିତ ସମସ୍ତ ଲୋକ ଏବଂ ବିଦ୍ୟାଳୟଗୁଡ଼ିକ ମଧ୍ୟ ଶିଖିବା ଏବଂ ଦାୟିତ୍ବବାନ ହେବା ଆବଶ୍ୟକ ବୋଲି ସିସୋଡ଼ିଆ ତାଙ୍କ ପତ୍ରରେ ଲେଖିଛନ୍ତି ।