ନୂଆଦିଲ୍ଲୀ: ଆତଙ୍କୀ ନିରୋଧ ଆଇନ(ୟୁଏପିଏ)ରେ ମୋଦି ସରକାର ଆଣିଥିବା ସଂଶୋଧନକୁ ବିରୋଧ କରି ଆସିଥିବା ଜନସ୍ବାର୍ଥ ମାମଲାର ସମୀକ୍ଷା କରିବେ ସୁପ୍ରିମକୋର୍ଟ । ଏନେଇ ସୁପ୍ରିମକୋର୍ଟ ଶୁକ୍ରବାର କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି ।
ତେବେ ପୂର୍ବରୁ ଥିବା ଆଇନରେ କେବଳ ସଂଗଠନକୁ ଆତଙ୍କୀ ଘୋଷଣା କରାଯାଉଥିବା ବେଳେ ସଂଶୋଧିତ ନୂଆ ଆଇନ ବଳରେ କେନ୍ଦ୍ର ସରକାରଙ୍କୁ ଯେକୌଣସି ବ୍ୟକ୍ତିକୁ ଆତଙ୍କବାଦୀ ଘୋଷଣା କରିବାର ଅଧିକାର ପ୍ରାପ୍ତ ହୋଇଛି । ତେବେ ଏହାର ସାମ୍ବିଧାନିକ ବୈଧତା ଉପରେ ପ୍ରଶ୍ନ କରି ଏକାଧିକ ଆବେଦନ ସୁପ୍ରିମକୋର୍ଟରେ ଆଗତ ହୋଇଥିଲା। ଏହାର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ରାଜି ହୋଇଛନ୍ତି। ଏହା ସହିତ ଏନେଇ ନିଜ ପକ୍ଷ ରଖିବାକୁ କେନ୍ଦ୍ର ସରକାରଙ୍କୁ ନୋଟିସ ମଧ୍ୟ ଜାରି କରିଛନ୍ତି।
ୟୁଏପିଏ ବିରୋଧରେ ଜନସ୍ବାର୍ଥ ମାମଲା ରୁଜୁ କରିଥିବା ସଜଳ ଅଓ୍ଵସ୍ଥି ନାମକ ଜଣେ ଆବେଦନକାରୀଙ୍କ କହିବା ଅନୁଯାୟୀ, ଏହି ନୂଆ ଆଇନ ସମ୍ବିଧାନର ମୌଳିକ ନିୟମ ଉଲ୍ଲଂଘନ କରୁଛି । ଆତଙ୍କବାଦୀ ଘୋଷିତ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯିବା ପୂର୍ବରୁ ତାଙ୍କୁ ତାଙ୍କର ଯର୍ଥାଥତା ସାବ୍ୟସ୍ତ କରିବାକୁ ସୁଯୋଗ ଦେଉନାହିଁ। ଏହି ଆଇନ ସମ୍ବିଧାନର ଧାରା 14, 19 ଏବଂ 21 କୁ ଉଲଙ୍ଘନ କରୁଛି ବୋଲି ସେ କହିଛନ୍ତି ।
ସୂଚନାଯୋଗ୍ୟ ଯେ, ଆତଙ୍କୀ ନିରୋଧ ଆଇନ-1967 ରେ ସଂଶୋଧନ କରି ଆଗତ ହୋଇଥିବା ବିଲ ଗତ ଅଗଷ୍ଟ 2 ତାରିଖରେ ରାଜ୍ୟସଭାରେ ପାରିତ ହୋଇଥିଲା । ଏହି ବିଲ ଲୋକସଭାରେ ପୂର୍ବରୁ ହିଁ ପାରିତ ହୋଇଥିଲା ।