ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ ଓ ରାଷ୍ଟ୍ରୀୟ ନାଗରିକତା ରେଜିଷ୍ଟରକୁ ନେଇ ଦେଶରେ ବିରୋଧ ପ୍ରଦର୍ଶନ ହେଉଥିବା ବେଳେ ବୁଧବାର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମକୋର୍ଟରେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି । କୋର୍ଟ ପରିସରରେ ଆଇନଜୀବୀଙ୍କ ଏକ ଗୋଷ୍ଠୀ ସିଏଏ ସମର୍ଥନରେ 'ବନ୍ଦେମାତରମ୍' ଗାନ କରିଛନ୍ତି । ଆଇନଜୀବୀ ହରିଶଙ୍କର ଜୈନ, ବିଷ୍ଣୁ ଜୈନ ଓ ରାକେଶ ସିହ୍ନାଙ୍କ ନେତୃତ୍ବରେ ସୁପ୍ରମିକୋର୍ଟର ଆଇନଜୀବୀ ସିଏଏର ସମର୍ଥନ କରି ବନ୍ଦେମାତରମ୍ ଗାନ କରିଛନ୍ତି ।
ପୂର୍ବରୁ ଆଇନଜୀବୀଙ୍କ ଆଉ ଏକ ଗୋଷ୍ଠୀ କୋର୍ଟ ପରିସରରେ ସିଏଏ ଓ ଏନଆରସିକୁ ବିରୋଧ କରିଥିଲେ । ବରିଷ୍ଠ ଅଧିବକ୍ତା କାମିନୀ ଜୈଶଓ୍ବାଲ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ସଲମାନ ଖୁର୍ସିଦ, ସଞ୍ଜୟ ପାରିଖ ଓ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କ ନେତୃତ୍ବରେ ଆଇନଜୀବୀଙ୍କ ଏକ ଗୋଷ୍ଠୀ କୋର୍ଟ ପରିସରରେ ଏକାଠି ହୋଇ ସମ୍ବିଧାନର ମୁଖବନ୍ଧ ପାଠ କରିଥିଲେ । ଦେଶରେ ସବୁ କିଛି ଠିକ ଚାଲୁନଥିବାରୁ ସମ୍ବିଧାନର ମୁଖବନ୍ଧ ପାଠ କରାଯାଇଥିବା ଆଇନଜୀବୀଙ୍କ ପକ୍ଷରୁ କୁହାଯାଇଥିଲା ।