ଓ୍ବାଶିଂଟନ: କାର୍ଣ୍ଣିଜ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସ ଦ୍ବାରା ସଦ୍ୟ ପ୍ରକାଶିତ ଏକ ରିପୋର୍ଟ ମୁତାବକ ଆଗାମୀ କିଛି ଦିନ ମଧ୍ୟରେ ଶନି ଗ୍ରହର ସର୍ବାଧିକ ଉପଗ୍ରହ ରହିବ । ଶନିର ସର୍ବାଧିକ 82ଟି ଜହ୍ନ ରହିଥିବା ଉକ୍ତ ରିପୋର୍ଟରେ ଉଲ୍ଲେଖ ରହିଛି । ଏହାଦ୍ବାରା ବୃହସ୍ପତିକୁ ପଛରେ ପକାଇଛି ଶନି । ବୃହଷ୍ପତିର 79ଟି ଉପଗ୍ରହ ରହିଛି ।
ମିଳିଥିବା ସୂଚନା ମୁତାବକ କାର୍ଣ୍ଣିଜ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସର ଏକ 3 ଜଣିଆ ଟିମ ଏହା ଉପରେ ଗବେଷଣା କରି ଆସୁଛନ୍ତି । ଏହି ଟିମର ନେତୃତ୍ବ ନେଉଛନ୍ତି ସ୍କଟ ଏସ ସେପାର୍ଡ । ଏହି ଟିମର ଅନ୍ୟ ସଦସ୍ୟ ମାନେ ହେଉଛନ୍ତି କାଲିଫର୍ଣ୍ଣିଆ ବିଶ୍ବବିଦ୍ୟାଳୟର ଡାଭିଡ ଜୁଏଟ ଏବଂ ହଓ୍ବାଲୀ ବିଶ୍ବବିଦ୍ୟାଳୟର ଜାନ କ୍ଲିନ । ଏହି 3 ଜଣିଆ ଟିମ ନିକଟରେ ଏକ ରିପୋର୍ଟ ପ୍ରକାଶ କରିଥିଲେ ।ଏହି ଟିମ ଗବେଷଣା କରୁଥିବା ବେଳେ ଶନିର 20 ନୂତନ ଚନ୍ଦ୍ର ସମ୍ପର୍କରେ ଜାଣିବାକୁ ପାଇଥିଲା । ସେଥି ମଧ୍ୟରୁ 5ଟି ଜହ୍ନର ବ୍ୟାସ ପାଖାପାଖି 5 କିଲୋମିଟର ହେବ ବୋଲି ସ୍କଟ ଉକ୍ତ ରିପୋର୍ଟରେ ଉଲ୍ଲେଖ କରିଛନ୍ତି ।
ସେହିଭଳି 20ଟି ଜହ୍ନ ଶନିକୁ ପରିକ୍ରମା କରୁଛନ୍ତି । ସେଥିମଧ୍ୟରୁ 17ଟି ଜହ୍ନ ଶନିର ବିପରୀତ ଦିଗରେ ପରିକ୍ରମା କରୁଥିବା ଦେଖିବାକୁ ମିଳିଛି । ଅନ୍ୟ 3ଟି ଜହ୍ନ ଶନିର ଘୂର୍ଣ୍ଣନ ଦିଗରେ ପରିକ୍ରମା ଜଣାପଡ଼ିଛି । ତେବେ ଶନିର ଘୂର୍ଣ୍ଣନ ଦିଗରେ ଗତି କରୁଥିବା ଦୁଇଟି ଜହ୍ନ ଗ୍ରହର ନିକଟତମ ଏବଂ ଶନି ଥରେ ଘୁରିବାକୁ ପାଖାପାଖି ଦୁଇବର୍ଷ ସମୟ ଲାଗିଥାଏ ବୋଲି ସ୍କଟ ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି ।
ସେହିଭଳି ଅନ୍ୟ ଜହ୍ନଟି ଶନିଠାରୁ ସର୍ବାଧିକ ଦୂରତାରେ ରହିଛି ଏବଂ ଏହା ଶନି ଚାରିପଟେ ଥରେ ଘୁରିବାକୁ ପାଖାପାଖି 3 ବର୍ଷ ସମୟ ନେଇଥାଏ ବୋଲି ଜଣାପଡ଼ିଛି । ତେବେ ଏହି ଜହ୍ନ ଗୁଡ଼ିକର ମହାକାଶରେ ସୃଷ୍ଟି ହେବା ଦିନରୁ ଶନି ଚାରିପଟେ ଘୁରି ଆସୁଛନ୍ତି । ଏହାସହ ଏକ ବଡ଼ ଚନ୍ଦ୍ରମାରୁ ଏଗୁଡ଼ିକର ସୃଷ୍ଟି ହୋଇଥାଇପାରେ ବୋଲି ସ୍କଟ ତାଙ୍କ ରିପୋର୍ଟରେ ପ୍ରକାଶ କରିଛନ୍ତି ।
ଉକ୍ତ ଟିମଟି ଗବେଷଣା ସମୟରେ ସୁବାରୁ ଟେଲିସ୍କୋପ ମାଧ୍ୟମରେ ଏହି ଜହ୍ନ ଗୁଡ଼ିକ ବୁଲୁଥିବା ଦେଖିବାକୁ ପାଇଥିଲେ । ଅନୂରୁପ ଭାବେ ବୃହସ୍ପତି ଗ୍ରହର ମଧ୍ୟ ଜହ୍ନ ଗୁଡ଼ିକ ଦେଖିବାକୁ ମିଳିଛି । ଏହି ଉପଗ୍ରହ ଗୁଡ଼ିକ ଧୁମକେତୁ ସହିତ ଧକ୍କା ଖାଇ ସୃଷ୍ଟି ହେଇଥିବା ସେ କହିଛନ୍ତି । ସୂଚନା ଯୋଗ୍ୟ ସେପାର୍ଡ ଗତବର୍ଷ ଗବେଷଣା କରି 12ଟି ନୂଆ ଜହ୍ନକୁ ଆବିଷ୍କାର କରିଥିଲେ ।