ଜୟପୁର: ରାଜସ୍ଥାନ ରାଜନୀତିରେ ଘଡିକେ ଘୋଡା ଛୁଟୁଛି । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ସଚିନ ପାଇଲଟଙ୍କ ମଧ୍ୟରେ ଜାରି ବିବାଦରେ ପୂର୍ଣ୍ଣଛେଦ କେବେ ପଡିବ, ତାହା ଏବେ ସସପେନ୍ସରେ । ଏପରିସ୍ଥିତିରେ ବିଧାୟକ କିଣାବିକା ମାମଲାରେ ଗିରଫ ହୋଇଥିବା ସଞ୍ଜୟ ଜୈନଙ୍କ ଭଏସ ସ୍ପେକ୍ଟୋଗ୍ରାଫି ଟେଷ୍ଟ ହେବ ବୋଲି ଜଣାପଡିଛି । ତେବେ ଆସନ୍ତା ଜୁଲାଇ 29ରେ ସଞ୍ଜୟଙ୍କ ଭଏସ ସ୍ପେକ୍ଟୋଗ୍ରାଫି ଟେଷ୍ଟ କରାଯିବ ।
ଏହାରି ମଧ୍ୟରେ ସଞ୍ଜୟଙ୍କ ରିମାଣ୍ଡ ଅବଧିକୁ ପୁଣି ବଢାଇଦିଯାଇଛି । 5 ଅଗଷ୍ଟ ଯାଏଁ ସେ ନ୍ୟାୟିକ ହେପାଜତରେ ରହିବେ । ପୂର୍ବରୁ 24 ଜୁଲାଇ ତଥା ଶୁକ୍ରବାର ପର୍ଯ୍ୟନ୍ତ ପୋଲିସ ରିମାଣ୍ଡରେ ଥିଲେ ସଞ୍ଜୟ ।
ସଞ୍ଜୟର ରିମାଣ୍ଡ ଅବଧି ବଢାଇବା ପାଇଁ କୋର୍ଟଙ୍କୁ ଅନୁରୋଧ କରିଥିଲା ଏସଓଜି । ଏସଓଜିଙ୍କ ପକ୍ଷର ଆଇନଜୀବୀ ସନ୍ଥ କୁମାର କହିଥିଲେ ଯେ ଅଭିଯୁକ୍ତର 2 ଦିନର ମୋବାଇଲ ଲୋକେଶନ ମାନେସନରର ବୋଲି ଜଣାପଡିଛି । ଅନ୍ୟପକ୍ଷେ ରିମାଣ୍ଡ ଅବଧି ବୃଦ୍ଧିକୁ ସଞ୍ଜୟ ଜୈନଙ୍କ ଓକିଲ ବିରୋଧ କରିଥିଲେ । ପୋଲିସ ଧାର୍ଯ୍ୟ ରିମାଣ୍ଡ ଅବଧିରେ କିଛି ବି ପଚରା ଉଚୁରା କରୁନଥିବା ଅଭିଯୁକ୍ତଙ୍କ ଓକିଲ କୋର୍ଟରେ ପକ୍ଷ ରଖିଥିଲେ ।
ରାଜସ୍ଥାନରେ ଜାରି ରାଜନୈତିକ ସଙ୍କଟ ମଧ୍ୟରେ ଅଶୋକ ଗେହଲଟ ସରକାର ଭାଙ୍ଗିବାକୁ ନେଇ ଭାଇରାଲ ହୋଇଥିଲା ଏକ ଅଡିଓ । ଏହି ମାମଲାରେ ସଞ୍ଜୟ ଜୈନଙ୍କୁ ଗିରଫ କରିଥିଲା ଏସଓଜି । ସଞ୍ଜୟଙ୍କୁ ଜୟପୁରରୁ ଗିରଫ କରାଯାଇଥିଲା ।