ହାଇଦ୍ରାବାଦ: ଆଜି ସାରା ଦେଶ ମନାଉଛି ଦିଶା ଦୁଷ୍କର୍ମକାରୀଙ୍କ ମୃତ୍ୟୁର ଉତ୍ସବ । ସେଫ ସିଟି ହାଇଦ୍ରାବାଦରେ ଗତ ମାସ 27ରେ ଯେଉଁ ଲୋମ ହର୍ଷଣକାରୀ କାଣ୍ଡ ଘଟିଥିଲା ତାକୁ ନେଇ ସାରା ଦେଶ ପ୍ରତିଶୋଧର ବହ୍ନିରେ ଜଳୁଥିଲା। ତେବେ ଶୁକ୍ରବାର ସକାଳୁ ଯେଉଁ ଖବର ଆସିଥିଲା ତାହା ଦେଶର ସବୁ ନାରୀ ଜାତିଙ୍କ ପାଇଁ ଏକ ଖୁସିର ଦିନ କହିଲେ ଅତ୍ୟୁକ୍ତି ହେବ ନାହିଁ ।
ହାଇଦ୍ରାବାଦ ଦିଶା ଦୁଷ୍କର୍ମ ଓ ହତ୍ୟା ଘଟଣା ସାରା ଦେଶକୁ ଦୋହଲାଇ ଦେଇଥିଲା । ଗଣଦୁଷ୍କର୍ମ ପରେ ଚେତନାପାଲି ଓଭର ବ୍ରିଜ ତଳେ ମହିଳା ଡାକ୍ତରାଣୀଙ୍କୁ ଜାଳିଦେଇଥିଲେ ଦୁର୍ବୃତ୍ତ । ତଦନ୍ତ ପରେ ଅଭିଯୁକ୍ତଙ୍କୁ 14 ଦିନିଆ ନ୍ୟାୟିକ ହେପାଜତକୁ ନିଆଯାଇଥିଲା । ଶୁକ୍ରବାର ଭୋରୁ ଅଭିଯୁକ୍ତ ମାନଙ୍କୁ ଘଟଣାସ୍ଥଳକୁ ନିଆଯାଇ ସିନ ରିକ୍ରିଏସନ କରିବା ବେଳେ ଅଭିଯୁକ୍ତ ମାନେ ଖସିଯିବାକୁ ଚେଷ୍ଟା କରିଥିଲେ । ଆଉ ସେହି ସମୟରେ ଅନ ଦ ସ୍ପଟ ଖେଳ ସାରିଥିଲା ପୋଲିସ । ଏନକାଉଣ୍ଟରରେ ତଳେ ମୁହଁ ମାଡି ପଡିଥିଲେ ସମସ୍ତ 4 ଅଭିଯୁକ୍ତ । ଆଉ ଏହି ଖବର ପ୍ରଘଟ ହେବା ପରେ କେବଳ ତେଲେଙ୍ଗାନା ନୁହେଁ ସାରା ଦେଶରେ ଖୁସିର ମାହୋଲ ନଜରକୁ ଆସିଛି।
ଜୟ ପୋଲିସ,ଜୟ ଜୟ ପୋଲିସ ଏମିତି ନାରାରେ ଫାଟି ପଡୁଛି ଆଜି ତେଲେଙ୍ଗାନାର ପ୍ରତିଟି ଗଳି। ଦୁଷ୍କର୍ମକାରୀଙ୍କୁ ଏମିତି ଦଣ୍ଡ ଦେବା ଜାଣି ଲୋକେ ବାଣ ଫୁଟାଇ ଖୁସି ମନାଉଛନ୍ତି । ତେବେ ଏସବୁ ଭିତରେ ନଜରକୁ ଆସିଛି ଗୋଟିଏ ଚେହେରା । ଆଉ ସେ ଚେହେରା ହେଉଛି ସାଇବେରାବାଦ ପୋଲିସ କମିଶନର ଭି.ସି ସଜ୍ଜନାରଙ୍କ ।
ଏବେ ପୁରା ସୋସିଆଲ ମିଡିଆରେ ଝଡ ସୃଷ୍ଟି କରିଛନ୍ତି ପୋଲିସ କମିଶନର ଭି.ସି ସଜ୍ଜନାର । ସାହୋ ସଜ୍ଜନାର ବୋଲି ଲୋକ ମାନେ ତାଙ୍କୁ ସମ୍ବୋଧିତ କରିବାରେ ଲାଗିଛନ୍ତି । ଏନକାଉଣ୍ଟର ସ୍ପେଶାଲିଷ୍ଟ ଭାବେ ବେଶ ପରିଚିତ ପୋଲିସ କମିଶନର ଭି.ସି ସଜ୍ଜନାର । ତେବେ ଏହି ଘଟଣା ପ୍ରଥମ ନୁହେଁ, ପୂର୍ବରୁ ବି ଏମିତି ଏକ ଏନକାଉଣ୍ଟରକୁ ନେଇ ଚର୍ଚ୍ଚାକୁ ଆସିଥିଲେ ସଜ୍ଜନାର । ଭି.ସି ସଜ୍ଜନାର 1996 ବ୍ୟାଚର ଆଇପିଏସ ଅଫିସର।
ଘଟଣାଟି ଥିଲା ୱାରଙ୍ଗଲ ଅଞ୍ଚଳର । ଏମିତି ଢଙ୍ଗରେ ଏସିଡ ଆଟାକ କରିଥିବା ତିନି ଜଣ ଅଭିଯୁକ୍ତଙ୍କୁ କରାଯାଇଥିଲା ଏନକାଉଣ୍ଟର । ସେତେବେଳେ ୱାରଙ୍ଗଲ ପୋଲିସ କମିଶନର ଥିଲେ ସଜ୍ଜନାର। ଆଉ ଶୁକ୍ରବାରର ଘଟଣାପରେ ପୁରା ଚର୍ଚ୍ଚାରେ ଏହି ଏନକାଉଣ୍ଟର ସ୍ପେଶାଲିଷ୍ଟ । ଏବେ ସଜ୍ଜନାରଙ୍କୁ ରିୟଲ ଲାଇଫ ସିଙ୍ଘମ କହି ସମ୍ବୋଧିତ କରୁଛନ୍ତି ଦେଶବାସୀ । କେବଳ ଏତିକି ନୁହେଁ ଏମିତି ଜଣେ ପୋଲିସ ଅଫିସରଙ୍କୁ ପାଇ ତେଲେଙ୍ଗାନା ରାଜ୍ୟ ଗର୍ବ ଅନୁଭବ କରୁଛି ବୋଲି କହିଛନ୍ତି ସହରବାସୀ ।