ଭାରତ ଏଇମାତ୍ର କୋଭିଡ୍-19 ସମ୍ବନ୍ଧିତ ଜାତୀୟ ଲକ୍ଡାଉନ୍ର 14 ଦିନିଆ ‘କ୍ରମାନୁବର୍ତ୍ତୀ’ସଂପ୍ରସାରଣ ଘୋଷଣା କରିଛି, ଯାହାକି ମେ ମାସ ମଧ୍ୟ ଭାଗ ଯାଏଁ ସଂପ୍ରସାରିତ ହୋଇଛି ଏବଂ ସେତେବେଳେ ହିଁ ଏ ସଂପର୍କରେ ଏକ ବିସ୍ତୃତ ସମୀକ୍ଷା କରାଯିବ ଯେ, ଏହି ଦୁରାଚାରୀ ଭୂତାଣୁକୁ ପୃଥକ୍ବାସରେ ରଖିବା କିମ୍ବା ପ୍ରତିହତ କରିବାରେ କେଉଁ ଧରଣର ସଫଳତା ମିଳିଛି । ବିଶେଷଜ୍ଞମାନେ ଆଶା କରୁଛନ୍ତି ଯେ, ନାଗରିକମାନଙ୍କ ଦ୍ବାରା ପ୍ରଭାବଶାଳୀ ଅନୁପାଳନ ଯୋଗୁଁ ପ୍ରଗତିଶୀଳ ରୀତିରେ ସାମୂହିକ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବ ଏବଂ ଏହା ଫଳରେ ଆଗକୁ ଲକ୍ଡାଉନ୍ କଟକଣା କୋହଳ ହେବା ସହିତ ସାରା ଦେଶରେ କିଛି ମାତ୍ରାରେ ସ୍ବାଭାବିକ ଅବସ୍ଥା ଫେରିଆସିବ ।
ସେଇ ଏକା ସମୟରେ, ନିର୍ଦ୍ଦିଷ୍ଟ ଭାବରେ ମୁସଲମାନ ବିରୋଧୀ ଚିନ୍ତାଧାରାରେ ଗଠିତ ସାଂପ୍ରଦାୟିକ ବିଦ୍ବେଷର ଆଉ ଏକ ହାନିକାରକ ଭୂତାଣୁ ଭାରତୀୟ ନାଗରିକ ସମାଜ ଭିତରେ ବ୍ୟାପିବାରେ ଲାଗିଛି । ଯଦି ଏହି ସାମାଜିକ ଭୂତାଣୁର ପ୍ରସାରକୁ ନିଷ୍ପକ୍ଷ ଭାବରେ ଚିହ୍ନଟ କରିବା ସହିତ ଏହାକୁ ପ୍ରଭାବପୂର୍ଣ୍ଣ ଢଙ୍ଗରେ ପୃଥକ୍ବାସରେ ରଖା ନଯାଏ, ତେବେ, ଭବିଷ୍ୟତରେ ଏହା ଭାରତର ପରିବ୍ୟାପ୍ତ ସୁରକ୍ଷା ଏବଂ ଏହାର 130 କୋଟି ଲୋକଙ୍କ ସୁଖଦ ସ୍ଥିତିକୁ ଅଧିକ ବିପନ୍ନ କରିଦେବାର ଗମ୍ଭୀର ଆଶଙ୍କା ରହିଛି । ଏହି ପ୍ରଚ୍ଛନ୍ନ ମୁସଲିମ୍ ବିରୋଧୀ ଭାବନାର ମୂଳ କାରଣ ଥିଲା ନୂଆଦିଲ୍ଲୀର ନିଜାମୁଦ୍ଦିନରେ ଏପ୍ରିଲ୍ ମଧ୍ୟଭାଗରେ ଆୟୋଜିତ ତବଲିଗୀ ସମାବେଶର ବିଭିନ୍ନ ରୀତିନୀତି । ଏବଂ ଏହି ସମାବେଶରେ ଆୟୋଜକଙ୍କ ପକ୍ଷରୁ କୋଭିଡ୍ ବିଧିବ୍ୟବସ୍ଥାକୁ ଅଣଦେଖା କରାଯାଇଥିଲା ଯାହା ଫଳରେ କୋଭିଡ୍ ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ଅଚାନକ ବୃଦ୍ଧି ପାଇଥିବା ପ୍ରମାଣିତ ହୋଇଥିଲା । ଏଭଳି ପରିହାର୍ଯ୍ୟ ଆଚରଣ ବିରୋଧରେ ଆଇନାନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ହେଲେ, ନିର୍ଦ୍ଦିଷ୍ଟ କେତେକ ଗଣମାଧ୍ୟମ ଦ୍ବାରା ଏହି ଘଟଣାକୁ ସାଧାରଣ ଲୋକଙ୍କ ଚେତନା ଭିତରେ ଅତି କ୍ଷୀପ୍ର ଗତିରେ ଏବଂ ଛଳନାପୂର୍ଣ୍ଣ ଢଙ୍ଗରେ ପ୍ରବେଶ କରାଇ ଦିଆଗଲା ଏବଂ ଏଥିରୁ ନିଃସୃତ ଅବକ୍ଷୟମାନ ଚିନ୍ତାଧାରାରେ ଭାରତ ବିରୋଧରେ ‘କୋରୋନା ଜିହାଦ୍’ ଆରମ୍ଭ ହୋଇଛି ବୋଲି କୁହାଗଲା । ବିଭିନ୍ନ ସ୍ଥାନରେମୁସଲମାନ ନାଗରିକମାନଙ୍କ ଉପରେ, ନିର୍ଦ୍ଦିଷ୍ଟ ଭାବେ ଫେରିବାଲା ଏବଂ ପରିବା ବିକ୍ରେତାମାନଙ୍କ ଉପରେ ଅତ୍ୟାଚାର ଏବଂ ସେମାନଙ୍କୁ ଧମକଚମକ ଦେଇ ଡରାଇବାର କେତେକ ଘଟଣା ନଜରକୁ ଆସିଲା । କେତେକ କ୍ଷେତ୍ରରେ ମୁସଲମାନ ବିରୋଧୀ ଭାବନାକୁ ଉସୁକାଇବାରେ ନିର୍ବାଚିତ ଲୋକ ପ୍ରତିନିଧିମାନେ (ବିଧାୟକମାନେ) ମଧ୍ୟ ସଂପୃକ୍ତ ରହିଲେ ।
ଦେଶରେ ସାଂପ୍ରଦାୟିକ ପକ୍ଷପାତିତା ବୃଦ୍ଧି ପାଇବାରେ ଲାଗିଲା ଏବଂ ଏହା ହିଁ ଏ ଦିଗରେ ଆବଶ୍ୟକ ସଂଶୋଧନଧର୍ମୀ ପଦକ୍ଷେପ ନେବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ମୁଖ୍ୟ ମୋହନ ଭାଗବତଙ୍କୁ ପ୍ରେରିତ କଲା । ରବିବାର ଦିନ (ଏପ୍ରିଲ 26 ) ଟେଲିଭିଜନରେ ପ୍ରସାରିତ ଏକ ସମ୍ବୋଧନରେ ଭାଗବତ ସତର୍କ କରାଇ ଦେଲେ ଯେ, କୋଭିଡ୍ ଭୂତାଣୁର ପ୍ରସାରକୁ ପ୍ରତିହତ କରିବା ଦିଗରେ ଜାତୀୟ ସ୍ତରରେ ବିରାଟ ଏକ ଆହ୍ବାନ ସୃଷ୍ଟି ହୋଇଥିବା ସମୟରେ, କେତେକ ଆଇନ ଉଲ୍ଲଂଘନ କରିଥିବା ଲୋକଙ୍କୁ ଦୃଷ୍ଟିରେ ରଖି କୌଣସି ଗୋଟିଏ ନିର୍ଦ୍ଦିଷ୍ଟ ସଂପ୍ରଦାୟ ଉପରେ ଦୋଷାରୋପ କରିବା ବାଞ୍ଛନୀୟ ନୁହେଁ । “ଯଦି କେହି ଜଣେ କ୍ରୋଧରେ କିମ୍ବା ଭୟରେ କିଛି ଭୁଲ କରିବସେ ତେବେ ଆମେ ସମଗ୍ର ସଂପ୍ରଦାୟକୁ ଦୋଷ ଦେଇ ସେମାନଙ୍କ ନିକଟରୁ ଦୂରେଇ ଯାଇପାରିବା ନାହିଁ ।”
ଗୋଟିଏ ସପ୍ତାହ ପୂର୍ବରୁ (ଏପ୍ରିଲ 19) ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରି କ୍ଷୁବ୍ଧ ନାଗରିକମାନଙ୍କୁ ପରାମର୍ଶ ଦେଇ କହିଥିଲେ ଯେ କୋରୋନା ସଂକଟର ମୁକାବିଲା ଲାଗି ଏକତା ଓ ଭ୍ରାତୃତ୍ବ ଭାବ ହିଁ ସମୟର ଆବଶ୍ୟକତା । ଏକ ଟ୍ବିଟ୍ରେ ସେ ଉଲ୍ଲେଖ କରିଥିଲେ, “ଆକ୍ରମଣ କରିବା ପୂର୍ବରୁ କୋଭିଡ୍-19 ବଂଶ, ଧର୍ମ, ରଙ୍ଗ, ଜାତି, ବିଶ୍ବାସଧାରା, ଭାଷା କିମ୍ବା ସୀମାରେଖା ଦେଖେନାହିଁ । ତେଣୁ ପରବର୍ତ୍ତୀ ସମୟରେ ଆମ ପ୍ରତିକ୍ରିୟା ଏବଂ ଆଚରଣରେ ଏକତା ଏବଂ ଭ୍ରାତୃତ୍ବ ଭାବକୁ ପ୍ରାଥମିକତା ଦେବା ଉଚିତ । ଏହି ସଂଗ୍ରାମରେ ଆମେ ଏକତ୍ର ରହିଛୁ; ପିଏମ୍ @ନରେନ୍ଦ୍ରମୋଦି ।” ଏବଂ ଭାରତର ଏକ ଗୁରୁତ୍ବପୂର୍ଣ୍ଣ ବୈଶିଷ୍ଟ୍ୟ ଦର୍ଶାଇବାକୁ ଯାଇ ମୋଦି ସେଥିରେ ଯୋଡ଼ିଲେ, “ଏକତା ଏବଂ ସହନଶୀଳତାକୁ କେନ୍ଦ୍ର କରି ଆମ ଭବିଷ୍ୟତ ଗଢ଼ି ଉଠିବ ।”
କିନ୍ତୁ, ମୋଦି ଓ ଭାଗବତଙ୍କ ପରାମର୍ଶ ବିଜେପି କର୍ମୀଙ୍କ ଉପରେ କୌଣସି ମହତ୍ତ୍ବପୂର୍ଣ୍ଣ ପ୍ରଭାବ ପକାଇଲା ଭଳି ମନେ ହେଉନାହିଁ ଏବଂ ଏପ୍ରିଲ ଶେଷ ଭାଗରେ ଉତ୍ତର ପ୍ରଦେଶର ଦୁଇ ଜଣ ବିଜେପି ବିଧାୟକ, ମୁସଲମାନ ପରିବା ବିକାଳିଙ୍କୁ ଆବାସିକ କ୍ଷେତ୍ରରେ ପ୍ରବେଶ କରାଇ ନଦେବା ସହିତ ସେମାନଙ୍କ ପାଖରୁ ପରିବା ନ କିଣିବାକୁ ସେଠାକାର ଲୋକଙ୍କୁ କହୁଥିବା ଦେଖାଯାଇଥିଲା । ଅଭିଯୋଗ କରାଯାଇଥିଲା ଯେ ଏହି ବୁଲାବିକାଳିମାନେ କୋଭିଡ୍ ସଂକ୍ରମିତ ହେବାର ସମ୍ଭାବନା ଅଧିକ ଏବଂ ସେଥିଯୋଗୁଁ ସେମାନେ ଏହି ଭୂତାଣୁକୁବ୍ୟାପିବାରେ ସହାୟତା କରିପାରିବେ ।
ବିଜେପି ସପକ୍ଷରେ ଦେଖିବାକୁ ଗଲେ, ଦଳ ପକ୍ଷରୁ ଉତ୍ତର ପ୍ରଦେଶର ଏହି ଦୁଇ ଜଣ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି ଏବଂ ଏଭଳି ସାଂପ୍ରଦାୟିକ ବିଭାଜନକାରୀ ବକ୍ତବ୍ୟକୁ ପ୍ରତିହତ କରିବାରେ ବିଫଳ ହୋଇଥିବା ସ୍ଥାନୀୟ ନେତୃତ୍ବକୁ ବିଜେପି ସଭାପତି ଜେ.ପି.ନଡ୍ଡା ‘ତାଗିଦ କରିଦେଇଥିବା’ ଜଣାଯାଇଛି । ଏଭଳି ଅପ୍ରୀତିକର ଘଟଣାବଳୀ ଯୋଗୁଁ ଅନ୍ତର୍ଜାତୀୟ କ୍ଷେତ୍ରରେ ମଧ୍ୟ ଭାରତର ଭାବମୂର୍ତ୍ତି ସମାନ୍ତରାଳ ଭାବେ ନଷ୍ଟ ହୋଇଛି । ଧର୍ମ ସହ ସଂପର୍କିତ ଯେ କୌଣସି ପ୍ରସଙ୍ଗରେ, ବିଦେଶରେ ଅନ୍ତର୍ନିହିତ ପକ୍ଷପାତିତା ପରିପ୍ରକାଶିତ ହୁଏ ଏବଂ ସେହି ଅନୁଭବ ଆଧାରରେ, ଭାରତରେ କୋଭିଡ୍ ସଂକ୍ରମଣ ସମ୍ବନ୍ଧିତ ମୁସଲମାନ ବିରୋଧୀ ଘଟଣାବଳୀର ଉଦାହରଣକୁ ନେଇ ସଂପାଦିତ ବିବରଣୀ ଏବଂ ଖବର ପ୍ରସାରିତ ହୁଏ ।
ସାମାଜିକ ଗଣମାଧ୍ୟମରେ ଉତ୍କଟ ଅଭିଯୋଗର ଏକ ଧାରାପ୍ରବାହ ପରେ ସଂଯୁକ୍ତ ଆରବ ସାମ୍ରାଜ୍ୟ (ୟୁଏଇ)ର ରାଜକୁମାରୀ ହୈଦ୍ ଅଲ୍-କାସିମୀ ଏକ ଅଭୂତପୂର୍ବ ବିବୃତି ପ୍ରଦାନ କଲେ । ଏମିରେଟ୍ରେ କାର୍ଯ୍ୟରତ ଜଣେ ପ୍ରବାସୀ ଭାରତୀୟଙ୍କ ଦ୍ବାରା ସାମାଜିକ ଗଣମାଧ୍ୟମରେ ପ୍ରସାରିତ ମୁସଲମାନ ବିରୋଧୀ କେତେକ ପୋଷ୍ଟ୍ ବିରୋଧରେ ସେ କହିଲେ ଏବଂ ମହାତ୍ମା ଗାନ୍ଧୀଙ୍କ ଦେଶରେ ଯାହା ସବୁ ଘଟିବାକୁ ଦିଆଯାଉଛି ତାହାକୁ ନେଇ ଅସନ୍ତୋଷ ପ୍ରକାଶ କଲେ । ଅନ୍ୟ ଏକ କ୍ଷୋଭଭରା ବିବୃତିରେ ସେ ପଚାରିଲେ “ଭାରତର କ’ଣ ହୋଇଗଲା ?” ଏବଂ ଆଗକୁ ଆହୁରି କହିଲେ: “ସବୁଠାରୁ ଶାନ୍ତିପ୍ରିୟ ଧର୍ମ ଭିତରେ ହିନ୍ଦୁ ଧର୍ମ ଅନ୍ୟତମ । ବୋଧହୁଏ, ଇସ୍ଲାମ, ଖ୍ରୀଷ୍ଟ ଏବଂ ୟହୁଦୀ ଧର୍ମଠାରୁ ବି ଅଧିକ ଶାନ୍ତିପ୍ରିୟ ।”
ଅନ୍ୟ ଏକ ଅଣ-ସମ୍ବନ୍ଧିତ ଘଟଣାକ୍ରମରେ, ଯୁକ୍ତରାଷ୍ଟ୍ର ଆମେରିକାର USCIRF (ଅନ୍ତର୍ଜାତୀୟ ଧାର୍ମିକ ସ୍ବାଧୀନତା ସଂକ୍ରାନ୍ତ ଯୁକ୍ତରାଷ୍ଟ୍ର ଆମେରିକାର କମିସନ) ନାମକ ଏକ ସଂସ୍ଥା, ଏହାର ବାର୍ଷିକ ରିପୋର୍ଟରେ, 2019 ମସିହାରେ ଭାରତୀୟ ଜନତା ପାର୍ଟି (ବିଜେପି) ପୁଣି ନିର୍ବାଚିତ ହେବା ପରବର୍ତ୍ତୀ ସମୟରେ ଭାରତକୁ “ନିର୍ଦ୍ଦିଷ୍ଟ ଉଦ୍ବେଗର ଏକ ଦେଶ” ରୂପେ ଚିହ୍ନଟ କଲା । USCIRF ହେଉଛି ଯୁକ୍ତରାଷ୍ଟ୍ର ଆମେରିକା ସଂଘୀୟ ସରକାରଙ୍କର ଏକ ସ୍ବାଧୀନ, ଦ୍ବିଦଳୀୟ କମିସନ । କିନ୍ତୁ ନିର୍ଦ୍ଦିଷ୍ଟ ଏକ ରାଜନୈତିକ ଚିନ୍ତାଧାରାକୁ ବାଦ ଦେଇ ଏହାର ତଥ୍ୟ ପ୍ରକାଶିତ ହୋଇ ନଥାଏ ବୋଲି ବିଶେଷଜ୍ଞମାନେ ଜୋର ଦେଇ କହନ୍ତି । ତେଣୁ, ପୂର୍ବାନୁମାନ ଅନୁସାରେ ପଦକ୍ଷେପ ନେଇ ଭାରତ ଏହି ରିପୋର୍ଟର ତଥ୍ୟକୁ ପ୍ରତ୍ୟାଖ୍ୟାନ କରି ଏହାକୁ “ପକ୍ଷପାତମୂଳକ” ଏବଂ “ମିଥ୍ୟା ଉପସ୍ଥାପନାର ଏକ ନୂତନ ସ୍ତର” ବୋଲି ବର୍ଣ୍ଣନା କଲା ।
ବିଦେଶରେ ଅବସ୍ଥାପିତ ବାର୍ତ୍ତାକାରମାନଙ୍କ ପାଇଁ ଭାରତର ଭାବମୂର୍ତ୍ତି ଯାହା, ତାହାକୁ ଦେଶ ଭିତରର ବାସ୍ତବିକତାରୁ ସଂପୂର୍ଣ୍ଣ ଅଲଗା କରିହେବ ନାହିଁ । ଏବଂ ଯେମିତି କି ଉଭୟ ମୋଦି ଓ ଭାଗବତ ସତର୍କ କରାଇ ଦେଇଛନ୍ତି ଯେ, ବର୍ତ୍ତମାନ ସମୟରେ, ବିଶ୍ବର 30 ଲକ୍ଷରୁ ଅଧିକ ଲୋକଙ୍କୁ ସଂକ୍ରମିତ କରିଥିବା ଏବଂ ପ୍ରାୟ 240,000 ଲୋକଙ୍କୁ ମୃତ୍ୟୁମୁଖରେ ପହଞ୍ଚାଇଥିବା ଏକ ଅତି ଜଟିଳ ସର୍ବବ୍ୟାପୀ ମହାମାରୀ ସହିତ ସାରା ଦେଶ ଯୁଝୁଥିବା ସମୟରେ, ଏହି ସଂକଟପୂର୍ଣ୍ଣ ସ୍ଥିତିର ମୁକାବିଲା ଲାଗି ଭାରତ ଏକତା ଓ ଭ୍ରାତୃତ୍ବଭାବ ପୋଷଣ କରିବା ଆବଶ୍ୟକ । ଉଭୟ କୋଭିଡ୍ ଭୂତାଣୁ ଏବଂ ଏହାର ସାମାଜିକ ରୂପାନ୍ତର ସଂପର୍କରେ, ବିଜେପି ଏବଂ ଆର୍ଏସ୍ଏସ୍ର ନେତାମାନେ ସର୍ବସାଧାରଣରେ ଯାହା କହୁଛନ୍ତି, ତାହାକୁ ଅକ୍ଷରେ ଅକ୍ଷରେ ପାଳନ କରିବା ଲାଗି ସେମାନଙ୍କ କର୍ମୀମାନଙ୍କୁ ଦୃଢ଼ ନିର୍ଦ୍ଦେଶ ଦିଆଯିବା ଦରକାର ।
ସି. ଉଦୟ ଭାସ୍କର, ନିର୍ଦ୍ଦେଶକ, ସୋସାଇଟି ଫର୍ ପଲିସି ଷ୍ଟଡିଜ୍