ଭୋପାଳ: ପୁଣି ବିବାଦରେ ଭୋପାଳ ସାଂସଦ ସାଧ୍ବୀ ପ୍ରଜ୍ଞା ସିଂ ଠାକୁର । ଏଥର ସେ ବିମାନ ଭିତରେ ଧାରଣା ଦେବା ନେଇ ଚର୍ଚ୍ଚାରେ ରହିଛନ୍ତି । ଏଥର ସେ ବିମାନ ଭିତରେ ଧାରଣାରେ ବସି ଚର୍ଚ୍ଚା ପରିସରକୁ ଆସିଛନ୍ତି ।
ସୂଚନାମୁତାବକ, ଦିଲ୍ଲୀରୁ ଭୋପାଳ ଆସୁଥିବା ସମୟରେ ସାଂସଦ ସାଧ୍ବୀଙ୍କୁ ସ୍ପାଇସ ଜେଟରେ ତାଙ୍କ ମନପସନ୍ଦର ସିଟ ମିଳିନଥିଲା । ଏହାପରେ ସେ ବିମାନ ଭିତରେ ହିଁ ଧାରଣାରେ ବସି ପଡିଥିଲେ । ବିମାନଟି ଏୟାରପୋର୍ଟରେ ପହଞ୍ଚିବା ପରେ ମଧ୍ୟ କିଛି ସମୟ ପର୍ଯ୍ୟନ୍ତ ତା ଭିତରେ ସାଂସଦ ବସି ରହିଥିଲେ । ଏୟାରପୋର୍ଟ ଡାଇରେକ୍ଟରଙ୍କ ଅନୁରୋଧ କ୍ରମେ ବହୁ କଷ୍ଟରେ ସେ ବିମାନରୁ ତଳକୁ ଓହ୍ଲାଇଥିଲେ।
ଶନିବାର ପ୍ରଜ୍ଞା ଠାକୁର ଦିଲ୍ଲୀରୁ ଭୋପାଳ ଆସୁଥିବା ସମୟରେ ବିମାନର ସେବା ଓ କର୍ମଚାରୀଙ୍କ ଖରାପ ବ୍ୟବହାର ନେଇ ବିମାନବନ୍ଦର ନିର୍ଦ୍ଦେଶକଙ୍କୁ ଅଭିଯୋଗ ଦେଇଥିଲେ। ଘଟଣାରେ ଭୋପାଳର ରାଜା ଭୋଜ ବିମାନ ବନ୍ଦର ନିର୍ଦ୍ଦେଶକ ଅନିଲ ବିକ୍ରମ କହିଛନ୍ତି ଯେ, ବିମାନରେ ସିଟକୁ ନେଇ ମତେ ଅଭିଯୋଗ ମିଳିଛି । ସେନେଇ ସୋମବାର ଏଘଟଣା ଉପରେ କିଛି ପଦକ୍ଷେପ ନେବୁ।
ଏହି ଘଟଣାକୁ କିନ୍ତୁ ସାଧ୍ବୀ ଖଣ୍ଡନ କରି ସେ ବିମାନରେ ଧାରଣା ଦେଇନଥିବା କହିଛନ୍ତି। ବିମାନର କର୍ମଚାରୀ ମାନେ ଲୋକଙ୍କୁ ଖରାପ ବ୍ୟବହାର ଦେଖାଇଥିଲେ ଏହା ପୂର୍ବରୁ ମଧ୍ୟ ତାଙ୍କ ସହ ଖରାପ ବ୍ୟବହାର ଦେଖାଇଥିଲେ । ଆଉ ଶନିବାର ସେ ଭୋପାଳ ଆସିବା ସମୟରେ ବିମାନ ଭିତରେ କର୍ମଚାରୀଙ୍କ ବ୍ୟବହାର ତାଙ୍କୁ ଖରାପ ଲାଗିଥିଲା। ସେ ଆହୁରି କହିଛନ୍ତି ଯେ, 'ତାଙ୍କ ପାଇଁ ବୁକ ହୋଇଥିବା ସିଟ ତାଙ୍କୁ ଦିଆଯାଇନଥିଲା' ଯାହାକୁ ନେଇ ସେ ନିର୍ଦ୍ଦେଶକଙ୍କୁ ଅଭିଯୋଗ କରିଥିବା କହିଛନ୍ତି ।