ଜୟପୁର: ନିଜ ଜିଦରେ ଅଟଳ ରାହୁଲ ଗାନ୍ଧି । 2019 ଲୋକସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବାକୁ ଅଡି ବସିଛନ୍ତି ରାହୁଲ ଗାନ୍ଧି । ଆଉ ଦଳର ଏଭଳି ସ୍ଥିତିରେ ଯଦି ରାହୁଲ ସଭାପତି ପଦରୁ ଇସ୍ତଫା ଦେବା ନିଷ୍ପତ୍ତିରେ ଅଟଳ ରୁହନ୍ତି । ତେବେ ସଚିନ ପାଇଲଟ ମଧ୍ୟ ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ପଦ ଛାଡି ପାରନ୍ତି । ଏଭଳି କିଛି ମତ ପ୍ରକାଶ କରିଛନ୍ତି ରାଜସ୍ଥାନ କଂଗ୍ରେସର ଜଣେ ବରିଷ୍ଠ ନେତା ।
ରାହୁଲ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ ନିଜ ବିଧାୟକଙ୍କ ଟିମ ସହ ସଚିନ ମଧ୍ୟ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ପଦ ଛାଡିବା ନେଇ ଚର୍ଚ୍ଚା ହେଉଛି । ରାହୁଲ ଗାନ୍ଧି 2014ରେ ପାଇଲଟଙ୍କୁ ପ୍ରଦେଶ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଥିଲେ ।
ଲୋକସଭା ନିର୍ବାଚନରେ ବଡ ଝଟକା ପରେ କଂଗ୍ରେସର ସଭାପତି ପଦ ଛାଡିବାକୁ ରାହୁଲ ଗାନ୍ଧି ଜିଦି ଧରିଥିବାବେଳେ ତାଙ୍କୁ ମନାଇବାରେ ସଭିଏଁ ଲାଗିଛନ୍ତି । ଅନ୍ୟପଟେ ରାଜସ୍ଥାନରେ ମଧ୍ୟ ସଙ୍କଟରେ କଂଗ୍ରେସ ସରକାର ।
ରାଜସ୍ଥାନରେ କଂଗ୍ରେସ କେବଳ ୨୫ ଲୋକସଭା ଆସନରେ ହାରିଛି । ଯାହାକୁ ନେଇ ରାଜସ୍ଥାନ କଂଗ୍ରେସର ଶୀର୍ଷ ନେତୃତ୍ବ ଉପରେ ପ୍ରଶ୍ନ ଉଠିଥିଲା । ଅନ୍ୟପଟେ ବିଧାନସଭା ନିର୍ବାଚନରେ ରାଜସ୍ଥାନରେ କଂଗ୍ରେସ କ୍ଷମତାକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଟଣାଓଟରା ଆରମ୍ଭ ହୋଇଥିଲା । କିଛି ଅଶୋକ ଗେହଲଟଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଚାହୁଁଥିବା ବେଳେ ଆଉ କିଛି ସଚିନ ପାଇଲଟଙ୍କ ସପକ୍ଷରେ ଯୁକ୍ତି ବାଢ଼ିଥିଲେ ।
ଶେଷରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଘଟଣାରେ ହସ୍ତକ୍ଷେପ କରି ଗେହଲଟଙ୍କୁ ମୁଖ୍ୟମନ୍ତ୍ରୀ ଏବଂ ସଚିନ ପାଇଲଟଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବେ ଦାୟୀତ୍ବ ଦେଇଥିଲେ । ଏବେ ସାଧାରଣ ନିର୍ବାଚନରେ ଦଳର ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ସଚିନ ପାଇଲଟଙ୍କ କିଛି ସମର୍ଥକ ଗେହଲଟଙ୍କୁ ଦାୟୀ କରିଛନ୍ତି । ଆଉ ଏସବୁ ଭିତରେ କଂଗ୍ରେସ ନେତାଙ୍କ ଇସ୍ତଫା ଦେବା ଚର୍ଚ୍ଚା ରାଜସ୍ଥାନ ରାଜନୀତିର ପାରାକୁ ଆହୁରି ବଢାଇ ଦେଇଛି ।