ମହାଭାରତ ଯୁଦ୍ଧରେ କର୍ଣ୍ଣଙ୍କ ରଥର ଚକ ଭୂମିରେ ଦବିଯିବା ଭଳି କୋଭିଡ୍-19 ବିଶ୍ବ ମହାମାରୀ କାରଣରୁ ଅନେକ କ୍ଷେତ୍ର ଦବି ଯାଇଛି । ସେଗୁଡ଼ିକ ମଧ୍ୟରୁ ଗୋଟିଏ ହେଲା ଖୁଚୁରା ବ୍ୟବସାୟ କ୍ଷେତ୍ର । ଅତୀତର ଅଗଣିତ ଅନୁଧ୍ୟାନରୁ ଜଣାଯାଇଛି ଯେ ଖୁଚୁରା ବ୍ୟବସାୟ କ୍ଷେତ୍ରର ବିକାଶ ନିମନ୍ତେ ଅପରିମିତ ସୁଯୋଗ ରହିଛି । ହେଲେ, ଅଚାନକ ଏହି ବିଶ୍ବ ମହାମାରୀ ମାଡ଼ି ଆସିଲା ଏବଂ ଏହି କ୍ଷେତ୍ରକୁ ବିପର୍ଯ୍ୟସ୍ତ କରିଦେଲା । ବାଣିଜ୍ୟ କ୍ଷେତ୍ରରେ ପ୍ରତିଷ୍ଠିତ ପ୍ରାୟ 40,000 ସଂଘକୁ ନେଇ ଗଠିତ ଅଖିଳ ଭାରତୀୟ ବଣିକ ମହାସଂଘ, ଗତ ବର୍ଷ ଜୁଲାଇରେ ଘୋଷଣା କରିଥିଲା ଯେ ଲକ୍ଡାଉନ୍ର ପ୍ରଥମ 100 ଦିନରେ ସେମାନେ ପ୍ରାୟ 15.5 ଲକ୍ଷ କୋଟି ଟଙ୍କାର କ୍ଷତି ସହିଛନ୍ତି । ଯଦିଓ ଲକ୍ଡାଉନ୍ କଟକଣା କୋହଳ ହେବା ସହିତ ବିଭିନ୍ନ ପର୍ଯ୍ୟାୟରେ ଖୁଚୁରା ଦୋକାନଗୁଡ଼ିକ ଖୋଲାଯାଇଛି, ତଥାପି ବ୍ୟବସାୟରେ ପୂର୍ବ ଭଳି ଗତିଶୀଳତା ଆସିନାହିଁ ।
ଖୁଚୁରା ବ୍ୟବସାୟ କ୍ଷେତ୍ରରେ ଉପୁଜିଥିବା ସମସ୍ୟାର ମୁକାବିଲା ନିମନ୍ତେ ବଜେଟ୍ରେ ଏହି କ୍ଷେତ୍ରକୁ ସହାୟତା ପ୍ରଦାନ କରାଯିବା ଉଚିତ ବୋଲି ଭାରତୀୟ ଖୁଚୁରା ବିକ୍ରେତା ସଂଘ, ‘ରିଟେଲର୍ସ ଆସୋସିଏସନ୍ ଅଫ୍ ଇଣ୍ଡିଆ’ (RAI) ଦାବି କରୁଛି। ଆଗାମୀ ବଜେଟ୍ରେ ଏହି କ୍ଷେତ୍ର ପାଇଁ ରିହାତି ଭିତ୍ତିକ ସହାୟତା ବ୍ୟବସ୍ଥା କରିବାକୁ ସଂଘ ଦାବି କରିଛି । ଉପଭୋକ୍ତା ସାମଗ୍ରୀର ବ୍ୟବହାର ହିଁ ଦେଶର ଅର୍ଥବ୍ୟବସ୍ଥାକୁ ବିକାଶ ପଥରେ ଆଗେଇ ନେଇଥାଏ ଏବଂ ତେଣୁ ଏହାର ଅନ୍ୟତମ ପ୍ରବେଶପଥ ଖୁଚୁରା ବ୍ୟବସାୟ କ୍ଷେତ୍ରକୁ ପ୍ରୋତ୍ସାହିତ କରିବା ଆବଶ୍ୟକ । ସଂଘର କହିବା କଥା ଯେ, ସରକାରୀ ନୀତି ସଂପର୍କିତ ବାଧାବିଘ୍ନକୁ ଦୂରେଇ ଦେଇ ଏହି କ୍ଷେତ୍ରର ବିକାଶ ନିମନ୍ତେ ଆବଶ୍ୟକ ପୁଞ୍ଜି ଉପଲବ୍ଧ କରାଇଲେ ଏହି କ୍ଷେତ୍ର ଶକ୍ତିଶାଳୀ ହେବା ସହିତ ଏହାର ଅଭିବୃଦ୍ଧି ସାଧିତ ହୋଇପାରିବ । ଏହା ସହିତ ଜାତୀୟ ସ୍ତରରେ ତୁରନ୍ତ ଏକ ଖୁଚୁରା ବିକ୍ରେତା ନୀତି ପ୍ରଣୟନ ସହିତ ଏହାକୁ ଅବ୍ୟବହିତ ଭାବରେ କାର୍ଯ୍ୟକାରୀ କରିବା ଦରକାର ବୋଲି RAI ମତପ୍ରକାଶ କରିଛି । ଖୁଚୁରା ବ୍ୟବସାୟ କ୍ଷେତ୍ରକୁ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବା MSMEର ମାନ୍ୟତା ପ୍ରଦାନ ଏବଂ ମୁଦ୍ରା ଯୋଜନା ଅଧୀନରେ ତେଜରାତି ଦୋକାନ ବା କିରାନା ଷ୍ଟୋର୍ଗୁଡ଼ିକର ଡିଜିଟାଇଜେସନ୍ ପାଇଁ ଆର୍ଥିକ ସହାୟତା ଦେବାକୁ ସଂଘ ଦାବି କରିଛି । ଖୁଚୁରା ବ୍ୟବସାୟ କ୍ଷେତ୍ରରେ ଏକ ବ୍ୟାପକ ଜାତୀୟ ନୀତି ପ୍ରଣୀତ ହୋଇପାରିଲେ, 2024 ସୁଦ୍ଧା ଏଥିରେ 30 ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ବୋଲି ବିଭିନ୍ନ ଅନୁଧ୍ୟାନରୁ ସଂକେତ ମିଳିଥିବାରୁ ଏ କ୍ଷେତ୍ରରେ କେନ୍ଦ୍ର ସରକାର ବଳିଷ୍ଠ ପଦକ୍ଷେପ ନେବାର ସମୟ ଉପନୀତ ।
ବିଭିନ୍ନ ରିପୋର୍ଟ ଅନୁସାରେ, 2017ରେ ଦେଶର ଖୁଚୁରା ବ୍ୟବସାୟ କ୍ଷେତ୍ରର ଆକାର 79,500 କୋଟି ଟଙ୍କା ଥିବା ବେଳେ 2026 ମସିହାରେ ଏହା 1 ଲକ୍ଷ 75 ହଜାର କୋଟିକୁ ବୃଦ୍ଧି ପାଇବ । 2019 ମସିହାରେ ପ୍ରକାଶିତ ବିଶ୍ବ ଖୁଚୁରା ବ୍ୟବସାୟ ସୂଚୀରେ ଭାରତ ଦ୍ବିତୀୟ ସ୍ଥାନରେ ରହିଛି । ମୋଟ ଘରୋଇ ଉତ୍ପାଦ ବା GDPରେ ଖୁଚୁରା ବ୍ୟବସାୟର ଅଂଶ 10 ପ୍ରତିଶତ । ଦେଶରେ ସୃଷ୍ଟି ହେଉଥିବା ମୋଟ ନିଯୁକ୍ତି ସୁଯୋଗର ପାଖାପାଖି 8 ପ୍ରତିଶତ ଏହି କ୍ଷେତ୍ର ଯୋଗୁଁ ସମ୍ଭବ ହୋଇଥାଏ । ଅଥଚ, 88 ପ୍ରତିଶତ ଖୁଚୁରା ବ୍ୟବସାୟ ଅଣସଂଗଠିତ କ୍ଷେତ୍ରରେ ରହିଛି । ଏହି କାରଣରୁ GDPରେ ଖୁଚୁରା ବ୍ୟବସାୟ କ୍ଷେତ୍ରର ଯେତିକି ପରିମାଣର ଅବଦାନ ରହିବା କଥା ତାହା ସମ୍ଭବ ହୁଏ ନାହିଁ । ଯାହାକି ମାଲେସିଆ ଏବଂ ଥାଇଲାଣ୍ଡରେ ହୋଇଥାଏ ।
ଲକ୍ଡାଉନ୍ ଅବସରରେ ନଗଦ ଅର୍ଥର ଘୋର ଅଭାବ ଯୋଗୁଁ ପାଖାପାଖି 7 ଲକ୍ଷ ଖୁଚୁରା ଦୋକାନ ବନ୍ଦ ହୋଇଗଲା । ଏଥିରୁ ଜଣାଯାଏ ଯେ, କେବଳ ଚାହିଦା ଓ ଯୋଗାଣ ଶୃଙ୍ଖଳ ଛିନ୍ନ ହୋଇଯିବା କାରଣ ଜନିତ ସ୍ଥିତି ନୁହେଁ, ଏହି ସମସ୍ୟା ଆହୁରି ଗମ୍ଭୀର । ଅନ୍ୟପକ୍ଷରେ, ଖୁଚୁରା ବ୍ୟବସାୟ କ୍ଷେତ୍ରରେ ସୁଗମ କାରବାରକୁ ପ୍ରୋତ୍ସାହିତ କରିବା, ପ୍ରଚଳିତ ସର୍ତ୍ତାବଳୀରେ ଉଦାରୀକରଣ ନୀତି ପ୍ରୟୋଗ ଏବଂ ଏହି କ୍ଷେତ୍ର ସହ ସଂପର୍କିତ କର୍ମଶକ୍ତିର ଦକ୍ଷତା ବିକାଶ ସହିତ ଇଣ୍ଟରନେଟ୍ରୁ ଉପଲବ୍ଧ ସୁଯୋଗର ସର୍ବୋତ୍ତମ ଉପଯୋଗ ଲକ୍ଷ୍ୟ ନେଇ ଏକ ଜାତୀୟ ଖୁଚୁରା ବ୍ୟବସାୟ ନୀତିକୁ ଚୂଡ଼ାନ୍ତ ରୂପରେଖ ଦିଆଯାଉଛି ବୋଲି କେନ୍ଦ୍ର ସରକାର କହୁଛନ୍ତି । ବିକ୍ରେତା ସଂଗଠନଗୁଡ଼ିକ ଏଥିପାଇଁ କ୍ଷୋଭ ପ୍ରକାଶ କରୁଛନ୍ତି ଯେ, ଗୋଟିଏ ଖୁଚୁରା ଦୋକାନ ସ୍ଥାପନ କରିବା ଲାଗି ଜଣେ ବ୍ୟକ୍ତିଙ୍କୁ 16ରୁ 25ଟି ଲାଇସେନ୍ସ ହାସଲ କରିବାକୁ ପଡୁଛି । ଅଲଗା ଅଲଗା ରାଜ୍ୟରେ ଭିନ୍ନ ଭିନ୍ନ ପ୍ରକାରର ଲାଇସେନ୍ସ ପ୍ରଚଳିତ । ତେଣୁ ବିଭିନ୍ନ ବିକ୍ରେତା ସଂଗଠନ ଚାହୁଁଛନ୍ତି ଯେ ଏ କ୍ଷେତ୍ରରେ ‘ସିଙ୍ଗଲ ଉଇଣ୍ଡୋ କ୍ଲିଅରାନ୍ସ’ ବ୍ୟବସ୍ଥା ପ୍ରଚଳିତ ହେଉ ଏବଂ ତାହା ବି ଇଣ୍ଟରନେଟ୍ ଜରିଆରେ ହେଉ । କୌଣସି ବ୍ୟବସାୟ ପାଇଁ କାମଚଳା ପୁଞ୍ଜି ଏବଂ ଆଧୁନିକ ଜ୍ଞାନକୌଶଳ ପ୍ରୟୋଗ ନିମନ୍ତେ ଅନୁମତି ପ୍ରଦାନ ଦିଗରେ ପ୍ରାରମ୍ଭିକ ବ୍ୟବସ୍ଥା କରାଯାଉ ବୋଲି ସେମାନେ ଚାହୁଁଛନ୍ତି । ପର୍ଯ୍ୟାପ୍ତ ପଣ୍ୟାଗାର, ଶୀତଳ ଭଣ୍ଡାର ସୁବିଧା ଓ ପରିବହନ ସେବା ଅଭାବରୁ ଏ କ୍ଷେତ୍ରରେ ପ୍ରାୟ 8 ପ୍ରତିଶତ ଖର୍ଚ୍ଚବୃଦ୍ଧି ହେଉଛି । ଜାତୀୟ ନୀତିରେ ଏଭଳି ମୌଳିକ ସମସ୍ୟାର ସମାଧାନ ପନ୍ଥା ନିର୍ଦ୍ଧାରିତ ହୋଇପାରିଲେ ହିଁ ଖୁଚୁରା ବ୍ୟବସାୟ କ୍ଷେତ୍ର ସମୃଦ୍ଧ ହୋଇପାରିବ ।