ନୂଆଦିଲ୍ଲୀ: ସାଧାରଣତନ୍ତ୍ର ସମାରୋହ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । 71ତମ ସାଧାରଣତନ୍ତ୍ର ଦିବସକୁ ଅଧିକ ସ୍ବତନ୍ତ୍ରତା କରିବା ପାଇଁ ସମସ୍ତ ପଦକ୍ଷେପ ନିଆଯାଉଛି । ଚଳିତ ବର୍ଷ ପ୍ରଥମ ଥର ପାଇଁ ଜମ୍ମୁ କାଶ୍ମୀର ଓ ଜଳଶକ୍ତି ମନ୍ତ୍ରଣାଳ ଦ୍ବାରା ପ୍ରସ୍ତୁତ ପ୍ରଜ୍ଞାପନ ମେଢ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିବାକୁ ଯାଉଛି ।
ଜମ୍ମୁ କାଶ୍ମୀରରୁ ଧାରା 370 ଧାରା ଉଛେଦ ପରେ ପ୍ରଥମ ଥର କେନ୍ଦ୍ର ଶାସିତ ରାଜ୍ୟ ଭାବେ ସ୍ବତନ୍ତ୍ର ଭାବେ ଆସିବ ପ୍ରଜ୍ଞାପନ ମେଢ । ସାଧାରଣତନ୍ତ୍ର ପାଇଁ ଜମ୍ମୁର ଚଳିତ ବର୍ଷ ଥିମ ରହିଛି ‘ ଗାଁକୁ ଚାଲ’ ଏହି ଥିମ ଦ୍ବାରା କେନ୍ଦ୍ର ସରକାର ଏକ ସୁଦୃଢ, ସୁରକ୍ଷା ଓ ବିକାଶ ର ସନ୍ଦେଶ ଦେବାକୁ ଚାହିଁଛନ୍ତି । ଏହାଦ୍ବାରା କାଶ୍ମୀରୀ ପଣ୍ଡିତଙ୍କ ଉପରେ ବେଶ ପ୍ରଭାବ ପକାଇବ ବୋଲି ସରକାର ଆଶା କରିଛନ୍ତି ।
ଜଳଶକ୍ତି ମନ୍ତ୍ରଣାଳୟର ପ୍ରଜ୍ଞାପନ ମେଢ
ଜଳ ସଂକଟକୁ ଦୂର କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଯେଉଁ ଆହ୍ବାନ ଦେଇଛନ୍ତି ତାହାକୁ ବାସ୍ତବ ରୂପ ଦେବାପାଇଁ ନୂତନ ଭାବେ ଗଠନ ହୋଇଥିବା ଜଳ ଶକ୍ତି ମନ୍ତ୍ରଣାଳୟ ମଧ୍ୟ ପରେଡରେ ସାମିଲ ହେବ । ଏଥିରେ ମନ୍ତ୍ରଣାଳୟର ଥିମ ରହିଛି ଜଳ ସଂକଟ ଦୂର ପାଇଁ ପଦକ୍ଷେପ । ଯେଉଁଥିରେ ବାର୍ତ୍ତା ରହିଛି ‘ହର୍ ଘର୍ ତକ ଜଳ୍ ପହୁଞ୍ଚାନେ ଔର ହର୍ ବୁନ୍ଦ୍ କୋ ବଚାନେ କା’ ବାର୍ତ୍ତା ରହିଛି ।
ସାଧାରଣତନ୍ତ୍ର ଦିବସରେ ଓଡିଶାର ପ୍ରଜ୍ଞାପନ ମେଢ
ସେହିପରି 2 ବର୍ଷ ପରେ ଓଡିଶା ସାମିଲ ହେବ ସାଧାରଣତନ୍ତ୍ର ଦିବସରେ । ଓଡିଶାର କଳା, ସଂସ୍କୃତି, ପରମ୍ପରା ଦେଖିବ ସାରା ଦେଶ । ଚଳିତ ବର୍ଷ ପରେଡରେ ସାମିଲ ହେବା ପାଇଁ ଯୋଗ୍ୟ ବିବେଚିତ ହୋଇଛି ମହାପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ଓ ରୁକୁଣା ରଥ ପ୍ରତିକୃତି। ଏହି ରଥ ଉପରେ ୮ ଜଣ ନୃତ୍ୟଶିଳ୍ପୀ ଓଡିଶୀ ଛନ୍ଦରେ ନୃତ୍ୟ ପରିବେଷଣ କରିବେ। ସେହପରି ମେଢ ଚାରିପାଖେ ୨୦ଜଣ ଶିଳ୍ପୀ ଓଡିଶୀ ନୃତ୍ୟ ପରିବେଷଣ କରିବେ। ଏହି ମେଢର ପରିକଳ୍ପନା କରିଛନ୍ତି ବିଶିଷ୍ଟ ଚିତ୍ରଶିଳ୍ପୀ ଗଜେନ୍ଦ୍ର ପ୍ରସାଦ ସାହୁ ଓ ତାଙ୍କ ଟିମ । ତେବେ ସାଧାରଣତନ୍ତ୍ର ଦିବସ ଉତ୍ସବ ସମାରୋହରେ ମୋଟ ୨୨ ପ୍ରଜ୍ଞାପନ ମେଢ ପ୍ରଦର୍ଶନ ହେବାକୁ ଥିବାବେଳେ ରାଜ୍ୟର ନମ୍ବର ରହିଛି ୧୧ ।
ପ୍ରଥମ ଥର ପ୍ରଧାନମନ୍ତ୍ରୀ ଯିବେ ଜାତୀୟ ଯୁଦ୍ଧ ସ୍ମାରକୀ
ସାଧାରଣତନ୍ତ୍ର ଦିବସ ସମାରୋହ ପୂର୍ବରୁ ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକୀ ଯିବେ ମୋଦି । ସେଠାରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବେ ପ୍ରଧାନ ମନ୍ତ୍ରୀ । ଉପସ୍ଥିତ ରହିବେ ତିନି ସେନା ମୁଖ୍ୟ ସମେତ ସିଡିଏସ ଜେନେରାଲ ରାୱତ । ବାୟୁସେନା ପ୍ରବକ୍ତା ଗ୍ରୁପ କ୍ୟାପଟେନ ଅନୁପମ ବାନାର୍ଜୀ କହିଛନ୍ତି ଏଥର ପରେଡରେ ‘ଇଣ୍ଟର ସର୍ଭିସ ଗାର୍ଡ’ର ପ୍ୟାରେଡ ୱିଙ୍ଗ କମାଣ୍ଡର ବିପୁଲ ଗୋପାଲ ତୁଳାଇବେ ।
ପରେଡରେ ବାୟୁସେନା ଦେଖାଇବ କଳା କୌଶଳ ଓ ଶକ୍ତି
71ତମ ଗଣତନ୍ତ୍ର ଦିବସରେ କଳା, କୌଶଳ ଓ ଶକ୍ତି ଦେଖାଇବ ଭାରତୀୟ ବାୟୁସେନା । ବାୟୁସେନା ଫ୍ଲାଇଙ୍ଗ ଅଫିସର ଅମନ ରାଜପଥରେ ତ୍ରୀରଙ୍ଗା ଉଡାଇବା ଦାୟିତ୍ବ ତୁଳାଇବେ । ଚଳିତବର୍ଷ ସ୍ଥଳସେନା, ନୌସେନା ଏବଂ ବାୟୁସେନାରୁ ୧୬ ଟି ମାର୍ଚିଂ କଣ୍ଟିଜେଣ୍ଟ ଭାଗ ନେବେ। ଏହାସହ ଦୀର୍ଘ ୪ ବର୍ଷ ପରେ ସ୍ପେଶାଲ ଫୋର୍ସ ପ୍ୟାରେଡକୁ ଫେରୁଛନ୍ତି। ଏତତ ବ୍ୟତିତ ବାୟୁସେନାର 72 ଜଣ ସଂଗୀତକାର 3 ଟି ଡ୍ରୋମ ମେଜର ସାମିଲ ହେବେ । ସେହିଭଳି ବାୟୁସେନା ପାଖରେ ଥିବା ସମସ୍ତ ଅସ୍ତ୍ର ଶସ୍ତ୍ର ମଧ୍ୟ ପ୍ରଦର୍ଶିତ ହେବ ପ୍ୟାରେଡରେ । ଯେଉଁଥିରେ ସାମିଲ ହେବେ ଯୁଦ୍ଧ ବିମାନ ମିରାଜ, ଆପାଚି ଭଳି ଅତ୍ୟାଧୁନିକ ଯୁଦ୍ଧ ବିମାନ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ