ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ଉତ୍ତର 24 ପରଗନା ଜିଲ୍ଲାର ଭାଟପାରାରେ ସପ୍ତାହ ଧରି ଚାଲିଥିବା ହିଂସା ଘଟଣାରେ ଗୃହମନ୍ତ୍ରୀ ଅମିତ୍ ଶାହାଙ୍କୁ ରିପୋର୍ଟ ପ୍ରଦାନ କରାଯାଇଛି । ଏସଏସ ଅହଲୁୱାଲିଆଙ୍କ ନେତୃତ୍ବାଧୀନ ବିଜେପି ସାଂସଦଙ୍କ ତିନି ଜଣିଆ ପ୍ରତିନିଧି ମଣ୍ଡଳୀ ମଙ୍ଗଳବାର ଶାହାଙ୍କୁ ଏହି ରିପୋର୍ଟ ହସ୍ତାନ୍ତର କରିଛନ୍ତି । ପଶ୍ଚିମବଙ୍ଗ ସରକାରଙ୍କ ଚାପରେ ସ୍ଥାନୀୟ ପୋଲିସ ଭେଦଭାବ କରି କାର୍ଯ୍ୟାନୁଷ୍ଠାନ ନେଉଥିବା ଏହି ରିପୋର୍ଟରେ ଦର୍ଶାଯାଇଛି ।
ପଶ୍ଚିମବଙ୍ଗର ଭାଟପାରାରେ ଗତ କିଛି ଦିନ ତଳେ ବିଜେପି ଏବଂ ଟିଏମସି ସମର୍ଥକଙ୍କ ମଧ୍ୟରେ ହିଂସାଘଟି 2 ବିଜେପି କର୍ମୀଙ୍କ ମୃତ୍ୟୁ ଘଟିଥିଲା । ସେପଟେ ହିଂସାକୁ ରୋକିବା ପାଇଁ ପୋଲିସକୁ ବାଧ୍ୟ ହୋଇ ଗୁଳି ଚଳାଇବାକୁ ପଡିଥିଲା । ଏହା ପରେ ହିଂସାର ଅନୁଧ୍ୟାନ ପାଇଁ କେନ୍ଦ୍ର ସରକାର ବିଜେପିର ପ୍ରତିନିଧି ମଣ୍ଡଳୀକୁ ଭାଟପୋରା ପଠାଇଥିଲେ । ସେମାନେ ମୃତକଙ୍କ ପରିବାରବର୍ଗଙ୍କୁ ଭେଟିବା ସହ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା ମଧ୍ୟ କରିଥିଲେ ।
ସୂଚନା ଯୋଗ୍ୟ ଯେ, ନିର୍ବାଚନ ପରଠାରୁ ପଶ୍ଚିମବଙ୍ଗରେ ହିଂସା ଥମିବାର ନାଁ ନେଉନାହିଁ । ବିଜେପି ଏବଂ ଟିଏମସି ସମର୍ଥକଙ୍କ ମଧ୍ୟରେ ଲଗାତାର ହିଂସାତ୍ମକ କାର୍ଯ୍ଯକଳାପ ଜାରି ରହିଛି ।