କରୋନା ଭାଇରସ ଜନିତ ସଙ୍କଟର ମୁକାବିଲା ଦିଗରେ ଦକ୍ଷିଣ ଏସୀୟ ଦେଶ ସମୂହ ଦ୍ବାରା ଏକ କ୍ଷେତ୍ରୀୟ ରଣକୌଶଳ ନିର୍ଦ୍ଧାରଣ ଲାଗି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଚାନକ ଏକ ଟ୍ବିଟ ଜରିଆରେ ଆହ୍ବାନ ଦେବାର ଦୁଇ ଦିନ ପରେ, ଆଠଟି ସାର୍କ ସଦସ୍ୟ ରାଷ୍ଟ୍ରର ଶୀର୍ଷସ୍ଥାନୀୟ ନେତାମାନେ ଭାରତ ନେତୃତ୍ବରେ ଆୟୋଜିତ ଏକ ଭିଡିଓ କନଫରେନ୍ସରେ ଅଂଶଗ୍ରହଣ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଆୟୋଜିତ ଦେଢ଼ ଘଣ୍ଟାର ଏହି ଭିଡିଓ କନଫରେନ୍ସରେ ପାକିସ୍ତାନ ବ୍ୟତୀତ ସମସ୍ତ ସାର୍କ ସଦସ୍ୟ ରାଷ୍ଟ୍ରର ସରକାରଙ୍କ ମୁଖ୍ୟ (ପ୍ରଧାନମନ୍ତ୍ରୀ) ଏବଂ ରାଷ୍ଟ୍ରମୁଖ୍ୟ (ରାଷ୍ଟ୍ରପତି) ଉପସ୍ଥିତ ଥିଲେ ଏବଂ ପାକିସ୍ତାନ ପକ୍ଷରୁ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କ ସ୍ବତନ୍ତ୍ର ପ୍ରତିନିଧି ଭାବରେ କନିଷ୍ଠ ସ୍ବାସ୍ଥ୍ୟମନ୍ତ୍ରୀ ଜାଫର ମିର୍ଜା ତାଙ୍କର ପ୍ରତିନିଧିତ୍ବ କରିଥିଲେ ।
ପ୍ରଥମେ ଶୁକ୍ରବାର ସନ୍ଧ୍ୟାରେ ଏହି ପ୍ରସ୍ତାବର ସୂତ୍ରପାତ ହୋଇଥିଲା ଏବଂ ଘଣ୍ଟାଏ କି ଦୁଇ ଘଣ୍ଟା ମଧ୍ୟରେ କ୍ଷେତ୍ରୀୟ ନେତାମାନେ ଏହାକୁ ସ୍ବୀକାର କରି ନେଇଥିଲେ । କେତେକ ସୂତ୍ର ଅନୁସାରେ, ଶନିବାର ସନ୍ଧ୍ୟାରେ ଭାରତ ଦ୍ବାରା ଏହି ପ୍ରସ୍ତାବର ଅତିରିକ୍ତ ରୂପରେଖ ପ୍ରଦାନ କରାଯାଇଥିଲା ଏବଂ ରବିବାର ଦିନ ଏହି ଉଚ୍ଚସ୍ତରୀୟ ଭିଡିଓ କନଫରେନ୍ସ ଅନୁଷ୍ଠିତ ହୋଇଥିଲା । ବୈଠକରେ ଆଲୋଚିତ ବିଷୟ ସଂପର୍କରେ ଜଣେ ବରିଷ୍ଠ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ ଯେ, ଚୀନ ଓ ଇଟାଲୀରେ ହଜାର ହଜାର ଲୋକ କରୋନା ଭାଇରସରେ ସଂକ୍ରମିତ ହୋଇଥିବା ସମୟରେ ଅପେକ୍ଷାକୃତ ଅଧିକ ସଘନ ଲୋକସଂଖ୍ୟା ବିଶିଷ୍ଟ ସାର୍କ ଦେଶ ସମୂହରେ ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ପ୍ରାୟ 150 ରହିଛି ଏବଂ ତୁଳନାତ୍ମକ ଭାବେ ଏହି ସଂଖ୍ୟା ଖୁବ କମ୍ ହୋଇଥିଲେ ହେଁ କ୍ଷେତ୍ରୀୟ ଦେଶ ସମୂହ ଏ ଦିଗରେ ସଜାଗ ରହିବା ଉଚିତ ଏବଂ ‘ପରିଣାମକୁ ଅପେକ୍ଷା ନ କରି କିଛିଟା ଦୂରଦର୍ଶିତାର ସହ କାର୍ଯ୍ୟ କରିବା’ ଉଚିତ । ଅଧିକାରୀ ଜଣକ କହିଲେ ଯେ, “କ୍ଷେତ୍ରୀୟ ପ୍ରସଙ୍ଗରେ, ଆମେ ପଡ଼ୋଶୀ ଦେଶ ସହ ସହଯୋଗିତାପୂର୍ଣ୍ଣ ସଂପର୍କ ବଜାୟ ରଖିବା ହେଉଛି ପ୍ରଥମ ଏବଂ ସର୍ବପ୍ରଧାନ କଥା । କାରଣ, ଆମର ଦେଶ ଦେଶ ମଧ୍ୟରେ ସାଧାରଣ ସୀମାରେଖା ରହିଛି, ସୀମାରେଖାର ବିଭିନ୍ନ ସ୍ଥଳରେ ଯାତାୟାତ ହେଉଛି ଏବଂ ସମାନ ସ୍ଥିତି ରହିଛି । ତେଣୁ କୌଣସି ନା କୌଣସି ସ୍ତରରେ କିଛିଟା ସହଯୋଗ ସ୍ଥାପନ କରିବା ଗୁରୁତ୍ବପୂର୍ଣ୍ଣ କଥା ।” ଅଧିକାରୀ ଜଣକ ଦର୍ଶାଇଥିଲେ ଯେ କୋଭିଡ19 ପ୍ରସଙ୍ଗରେ ସାର୍କ କ୍ଷେତ୍ରରେ ଥିବା ପ୍ରତିଟି ରାଷ୍ଟ୍ରର ଅଲଗା ଅଲଗା ସମସ୍ୟା ରହିଛି । ମାଲଦ୍ବୀପ ଭଳି କ୍ଷୁଦ୍ର ରାଷ୍ଟ୍ର ପାଖରେ ପର୍ଯ୍ୟାପ୍ତ ସମ୍ବଳ ନାହିଁ, ଶ୍ରୀଲଙ୍କା ଓ ନେପାଳକୁ ଇଟାଲୀ ଓ ଚୀନରୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଆସିଥାଆନ୍ତି ଏବଂ ଆଫଗାନିସ୍ତାନ ସୀମାକୁ ଲାଗି ଚୀନ ରହିଛି । ଅନ୍ୟ କେତେକ ସୂତ୍ର କହିଛନ୍ତି ଯେ, ଯଦିଓ କିଛି ସମୟ ଧରି ସାର୍କର କାର୍ଯ୍ୟକ୍ରମ ଶୀତଳ ଭଣ୍ଡାରରେ ପଡ଼ିରହିଛି, ତଥାପି କୌଣସି ନା କୌଣସି ସ୍ତରରେ ସହଯୋଗ ବୃଦ୍ଧି କରିବା ଏବଂ ଏକ ସାମୂହିକ ପଦକ୍ଷେପ ନେବାର ଆବଶ୍ୟକତା ଅପରିହାର୍ଯ୍ୟ ବୋଲି ବୈଠକରେ ଅନୁଭୂତ ହୋଇଥିଲା ।
ହେଲେ, 2016ରେ ଉରିରେ ଆତଙ୍କବାଦୀ ଆକ୍ରମଣ ଘଟଣା ପରବର୍ତ୍ତୀ ସମୟରେ ପାକିସ୍ତାନରେ ହେବାକୁ ଥିବା ସାର୍କ ସମ୍ମିଳନୀକୁ ଭାରତ ନେତୃତ୍ବରେ ବର୍ଜନ କରାଯାଇଥିଲା ଏବଂ ତା’ ପରଠାରୁ ଏହା ଶୀତଳ ଭଣ୍ଡାରରେ ପଡ଼ି ରହିଥିବାରୁ ସାର୍କ ରାଷ୍ଟ୍ର ସମୂହ ମଧ୍ୟରେ ପୁଣି ରାଜନୈତିକ ପ୍ରକ୍ରିୟା ସ୍ଥାପନ କରିବା ସଂପର୍କରେ କିଛି କହିବାର ସମୟ ଏବେ ବି ଆସିନାହିଁ । ପ୍ରଥମେ ପାକିସ୍ତାନ ଭାରତର ପ୍ରସ୍ତାବକୁ ଗ୍ରହଣ କରିନେଇ ସକାରାତ୍ମକ ଦୃଷ୍ଟିକୋଣ ପ୍ରଦର୍ଶନ କରିଥିଲା । କିନ୍ତୁ ପରେ ଇମ୍ରାନ ଖାନ ଭିଡିଓ କନଫରେନ୍ସ ବୈଠକରେ ଅଂଶଗ୍ରହଣ କରିବେ ନାହିଁ ସ୍ଥିର କରାଯାଇଥିଲା । ତାହା ବି ଏଭଳି ଏକ ସମୟରେ, ଯେତେବେଳେ କି ହସପିଟାଲରେ ଏକ ଜଟିଳ ଅସ୍ତ୍ରୋପଚାର କରାଇ ଘରକୁ ଫେରିବାର ଠିକ୍ ଦିନକ ପରେ ନେପାଳ ପ୍ରଧାନମନ୍ତ୍ରୀ କେ.ପି.ଶର୍ମା ଓଲି ମଧ୍ୟ ଏହି ଅନଲାଇନ ଆଲୋଚନାରେ ଭାଗ ନେବାକୁ ସ୍ଥିର କରିଥିଲେ । ସୂତ୍ରରୁ ପ୍ରକାଶ ଯେ, ଭିଡିଓ କନଫରେନ୍ସ ଅବସରରେ ପାକିସ୍ତାନ ପ୍ରତିନିଧିଙ୍କ ମତାମତ ଶେଷ ହୋଇ ଆସିବା ବେଳକୁ ତାଙ୍କୁ କିଛି ଲେଖା ରହିଥିବା ଏକ କାଗଜ ଦିଆଯାଇଥିଲା ଏବଂ ଏହା ପରେ ସେ କାଶ୍ମୀର ପ୍ରସଙ୍ଗ ଉଠାଇଥିଲେ, ଯାହାକି ‘ଅଭଦ୍ରୋଚିତ’ ଏବଂ ‘ଅବାଞ୍ଛିତ’ ଥିଲା ।
ଜଣେ ବରିଷ୍ଠ ଅଧିକାରୀ କହିଲେ, “ଆମର ବନ୍ଧୁମାନେ ଏକ ମାନବୀୟ ଉପକ୍ରମର ରାଜନୀତିକରଣ ଲାଗି ଚେଷ୍ଟା କରିଛନ୍ତି । ସାର୍କର ପୁନରୁତ୍ଥାନ ସଂପର୍କରେ କିଛି କହିବା ଖୁବ ଆଗତୁରା ହେବ ।” ସେ ଆହୁରି କହିଲେ, “ଆମେ ଏଭଳି ଏକ ଉପକ୍ରମ ସଂପର୍କରେ କହୁଛୁ, ଯାହାକି ଏକ ସମ୍ଭାବ୍ୟ ସଂକଟଜନକ ପରିସ୍ଥିତିରେ ସାର୍କ ସଦସ୍ୟ ରାଷ୍ଟ୍ର ସମୂହର ନେତାମାନଙ୍କୁ ଏକତ୍ର କରିଛି । ଏଭଳି ଉପାୟରେ ଏକ ବୈଠକର ଆୟୋଜନ ଲାଗି ଏହି ପରିସ୍ଥିତିର ଯଥେଷ୍ଟ ଗୁରୁତ୍ବ ରହିଛି । ଏହାର ଆୟୋଜନ କାରଣରୁ ଅନ୍ୟ କେତେକ ପ୍ରସଙ୍ଗରେ ଏଭଳି କ୍ଷେତ୍ରୀୟ ଉପକ୍ରମ ହେବ କି ନାହିଁ ସେ ସଂପର୍କରେ ଆମେ ହଁ କି ନା ବୋଲି କୌଣସି ମନ୍ତବ୍ୟ ଦେଇପାରିବୁ ନାହିଁ । ପାକିସ୍ତାନର ମନ୍ତବ୍ୟ କୌଣସି ପ୍ରତିକ୍ରିୟାର ଯୋଗ୍ୟ ନୁହେଁ । ଏଥିରୁ ଏତିକି ଜଣାପଡ଼ିଗଲା ଯେ କ’ଣ ପାଇଁ ସେମାନେ ପରିଚିତ ।”
କୋଭିଡ19 ପ୍ରାଦୁର୍ଭାବ ପରେ ବିଭିନ୍ନ ଦେଶରୁ ଭାରତ ଏ ପର୍ଯ୍ୟନ୍ତ 1444 ଜଣ ଭାରତୀୟ ନାଗରିକଙ୍କୁ ଦେଶକୁ ଫେରାଇ ଆଣିସାରିଲାଣି । ସେଥିରେ ଚୀନରୁ 766 ଜଣ, ଜାପାନରୁ 124, ଇରାନରୁ 336 ଏବଂ ଇଟାଲୀରୁ 218 ଜଣ ଅନ୍ତର୍ଭୁକ୍ତ । ଆଗକୁ ଭୂତାଣୁ ସଂକ୍ରମଣ ବ୍ୟାପ୍ତିକୁ ପ୍ରତିହତ କରିବା ଲାଗି ଚିହ୍ନଟ ସଂକ୍ରମିତ ରୋଗୀମାନଙ୍କୁ ଭାରତକୁ ନ ଆଣି ସେମାନେ ଯେଉଁଠି ଅଛନ୍ତି ସେଠାରେ ହିଁ ରଖିବାକୁ ଭାରତ ସରକାର ଚାହୁଁଛନ୍ତି । ତଥାପି ଇଟାଲୀ ଓ ଇରାନରେ ସଂକ୍ରମଣର ଶିକାର ହୋଇ ନଥିବା କେତେକ ଭାରତୀୟଙ୍କୁ ଦେଶକୁ ଫେରାଇ ଆଣିବାର ବନ୍ଦୋବସ୍ତ କରାଯାଉଛି । କାରଣ, ସେଠାରେ ସେମାନଙ୍କ ନିଜ ଦେଶର ଲୋକମାନଙ୍କର ଚିକିତ୍ସା ପାଇଁ ସମ୍ବଳ ନିଃଶେଷ ହେବାରେ ଲାଗିଛି ଏବଂ ଚିକିତ୍ସା ସୁବିଧାର ଘୋର ଅଭାବ ଦେଖାଦେଇଛି । ସ୍ଥିତି ଉପରେ ନଜର ରଖିବା ଲାଗି, ଅତିରିକ୍ତ ସଚିବ ଏବଂ କୋଭିଡ19 ସଂଯୋଜକ ଦାମ୍ମୁ ରବିଙ୍କ ନିୟନ୍ତ୍ରଣରେ ବୈଦେଶିକ ବ୍ୟାପାର ମନ୍ତ୍ରାଳୟରେ ଦିନରାତି 24ଘଣ୍ଟା କାର୍ଯ୍ୟ କରିବା ପାଇଁ ଏକ ସ୍ବତନ୍ତ୍ର ସେଲ ଗଠନ କରାଯାଇଛି । ଯେଉଁ ସବୁ ଦେଶରେ ସ୍କୁଲ ଓ କଲେଜ ବନ୍ଦ ହୋଇଯାଇଛି ଏବଂ ଛାତ୍ରଛାତ୍ରୀମାନେ ବନ୍ଦ ହୋଇଯାଇଥିବା ହଷ୍ଟେଲରେ ବି ରହିପାରିବେ ନାହିଁ, ମାନବୀୟ ଦୃଷ୍ଟିକୋଣରୁ ସେଠାରେ ଅଟକି ରହିଥିବା କେତେକ ଯୁବ ଭାରତୀୟ ଛାତ୍ରଛାତ୍ରୀଙ୍କୁ ଦେଶକୁ ଫେରାଇ ଆଣିବା ଦିଗରେ ଏହି ସେଲ କାମ କରିବ । ସାର୍କ କ୍ଷେତ୍ରୀୟ ପ୍ରସଙ୍ଗରେ ଏକ ସାର୍କ ମହାମାରୀ ପାଣ୍ଠି ଗଠନ ଲାଗି ଭାରତ ଘୋଷଣା କରିଛି ଏବଂ ପ୍ରାରମ୍ଭିକ ଭାବରେ ଏହି ପାଣ୍ଠିକୁ 10 ମିଲିୟନ ବା ଏକ କୋଟି ଆମେରିକୀୟ ଡଲାର ପ୍ରଦାନ ସହିତ ଡାକ୍ତରୀ ଗବେଷଣା ଏବଂ ପଡ଼ୋଶୀ ଦେଶର ଅନୁରୋଧକ୍ରମେ ସେଠାରେ ତ୍ବରିତ କାର୍ଯ୍ୟାନୁଷ୍ଠାନ ପାଇଁ ଟିମ୍ ପଠାଇବାକୁ ଭାରତ ପ୍ରସ୍ତାବ ଦେଇଛି ।
ରବିବାର ଦିନ ଭିଡିଓ କନଫରେନ୍ସ ଜରିଆରେ ସମ୍ମିଳନୀ ଅନୁଷ୍ଠିତ ହେବା ପରେ ସାର୍କ ବୈଦେଶିକ ସଚିବ ଏବଂ ମିଶନ ଜରିଆରେ ଆଗକୁ ଆହୁରି ଅଧିକ ସମନ୍ବୟର ସହିତ କାର୍ଯ୍ୟାନୁଷ୍ଠାନ ହେବ । ଅନୁରୋଧ ମିଳିବାର 48 ଘଣ୍ଟା ମଧ୍ୟରେ ଭାରତ ମାଳଦ୍ବୀପକୁ ଏକ ତ୍ବରିତ କାର୍ଯ୍ୟାନୁଷ୍ଠାନ ଟିମ ପ୍ରେରଣ କରି ସାରିଛି ଏବଂ ଇରାନର କେତେକ ମାନବିକ ଅନୁରୋଧକୁ ବିଚାର କରୁଛି ବୋଲି କେତେକ ସୂତ୍ରରୁ ପ୍ରକାଶ । ଜଣେ ସରକାରୀ ଅଧିକାରୀ କହିଲେ, “ପ୍ରସ୍ତାବିତ ମହାମାରୀ ପାଣ୍ଠିର ରୂପରେଖ ସଂପର୍କରେ ଆମେ ଇଚ୍ଛାକୃତ ଭାବେ କୌଣସି ପ୍ରସ୍ତାବ ଦେଇ ନାହୁଁ । କାରଣ, ଏହାକୁ ଯେତେ ସମ୍ଭବ ସେତେ ପ୍ରଭାବଶାଳୀ ଢଙ୍ଗରେ ଏବଂ ଯେତେ ଶୀଘ୍ର ସମ୍ଭବ ସେତେ ଶୀଘ୍ର କାର୍ଯ୍ୟକାରୀ କରାଇବା ଆମର ଉଦ୍ଦେଶ୍ୟ ।”
ସାରା ବିଶ୍ବରେ ପ୍ରକଟ ହୋଇଥିବା ଏହି ସର୍ବବ୍ୟାପୀ ମହାମାରୀର ମୁକାବିଲା ନିମନ୍ତେ ସାର୍କ ଦେଶ ସମୂହର ଏହି ଅନଲାଇନ ସଂଯୋଗୀକରଣ ପ୍ରକ୍ରିୟାକୁ ଅନୁରୂପ ଭାବେ ଜି 20 କ୍ଷେତ୍ରରେ ମଧ୍ୟ ଲାଗୁ କରିବାକୁ ଭାରତ ପ୍ରସ୍ତାବ ଦେଇଛି ବୋଲି କେତେକ ସୂତ୍ରରୁ ପ୍ରକାଶ ।
ସ୍ମିତା ଶର୍ମା, ମିଡିଆ ପ୍ରଫେସନାଲ