ଡେରାଡୁନ: ଉତ୍ତରାଖଣ୍ଡରେ ମଙ୍ଗଳବାର ଓ ବୁଧବାର କ୍ରମାଗତ ଭାବେ 2 ଦିନ ଧରି ପ୍ରବଳମାତ୍ରାରେ ବରଫପାତ ହେବାର ସମ୍ଭାବାନ ରହିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ରେଡ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ଏହି ଦିନ ବରଫପାତ ସହ, କୁଆପଥର ବର୍ଷା ହେବାର ଆଶଙ୍କା କରିଛି ପାଣିପାଗ। ଏହା ଫଳରେ ରାଜ୍ୟରେ ହାଡଭଙ୍ଗା ଶୀତ ଅନୁଭୂତ ହେବ।

ପାଣିପାଗ ବିଭାଗ ନିର୍ଦ୍ଦେଶକ ବିକ୍ରମ ସିଂ ମଙ୍ଗଳବାର ଓ ବୁଧବାର ରାଜ୍ୟର ପାହାଡିଆ ଅଞ୍ଚଳରେ ପ୍ରବଳ ବରଫପାତ ହେବାର ଆଶଙ୍କା ଥିବା କହିଛନ୍ତି। ଯାହାଦ୍ବାରା 2500 ମିଟରରୁ ଊର୍ଦ୍ଧ୍ବ କ୍ଷେତ୍ର ଯଥା ଉତ୍ତରକାଶୀ, ଚମୋଲୀ, ରୁଦ୍ରପ୍ରୟାଗ, ନୈନିତାଲ, ପିଥୌରଗଡ ଆଦି ଜିଲ୍ଲାରେ ପ୍ରବଳ ମାତ୍ରାରେ ବରଫପାତ ସହ ଡେରାଡୁନ, ହରିଦ୍ବାର, ଉଦ୍ଧାମସିଂହ ନଗର ଓ ପୌରି ଗଡୱାଲରେ କୁଆପଥର ବର୍ଷା ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ସୂତ୍ରରୁ ପ୍ରକାଶ।

ସେହିଭଳି ରାଜ୍ୟର ସମତଳ ଅଞ୍ଚଳରେ ହାଲୁକା ବର୍ଷା ସହିତ ତାପମାତ୍ରା ହ୍ରାସ ପାଇପାରେ। ରାଜ୍ୟରେ ଏହି ଦୁଇ ଦିନ ଶୀତ ଲହରୀ ଜାରି ରହିବ। କେଦାରଘାଟିରେ ଥଣ୍ଡା ଗତ 20 ବର୍ଷର ରେକର୍ଡ ଭାଙ୍ଗିଛି । କେଦାରନାଥରେ ସୋମବାର ସର୍ବନିମ୍ନ ତାପମାତ୍ରା ମାଇନସ 7 ଡିଗ୍ରୀ ସେଲସିୟସ ରହିଛି। ଆଉ ତୁଙ୍ଗନାଥରେ ସର୍ବନିମ୍ନ ତାପମାତ୍ରା 3 ଡିଗ୍ରୀ ସେଲସିୟସ ରହିଛି।