ଭୁବନେଶ୍ବର: ପ୍ରତିବର୍ଷ ଚୈତ୍ର ମାସ ଶୁକ୍ଲପକ୍ଷ ନବମୀ ତିଥିରେ ପଡେ ପବିତ୍ର ରାମ ନବମୀ । ଏହିଦିନକୁ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରାରାମଙ୍କ ଜନ୍ମୋତ୍ସବ ରୂପେ ପାଳନ କରାଯାଏ । ଏଥିପାଇଁ ସବୁ ରାମ ମନ୍ଦିର ଗୁଡିକରେ ସକାଳୁ ସକାଳୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ ଲାଗେ । ଆଉ ସ୍ବତନ୍ତ୍ର ରୀତିନୀତିରେ ସର୍ବଶ୍ରେଷ୍ଠ ପୁରୁଷ ରାମଙ୍କ ପୂଜାର୍ଚ୍ଚନା କରାଯାଏ । ମାତ୍ର କୋରୋନା ଭୟରେ ହୋଇଥିବା ଲକଡାଉନ କାରଣରୁ ଚଳିତବର୍ଷ ଫିକା ପଡିଛି ରାମ ନବମୀ । କୋଭିଡ-19 ସଂକ୍ରମଣ ଆଶଙ୍କାରେ ମନ୍ଦିରରେ ବନ୍ଦ ରହିଛି ସାଧାରଣ ଦର୍ଶନ ।
ଶ୍ରୀରାମ ନବମୀ ଉପଲକ୍ଷେ 9ଦିନ ବ୍ୟାପୀ ଭଜନ କୀର୍ତ୍ତନ, ଅଖଣ୍ଡ ପାଠ ଚାଲିବା ସହ ବିଶେଷ ଭାବରେ ରାମଚରିତ ମାନସ ପାଠ କରାଯାଏ। ବିଷ୍ଣୁଙ୍କ ସପ୍ତମ ମନୁଷ୍ୟ ଅବତାର ହେଲେ ଶ୍ରୀରାମଚନ୍ଦ୍ର । ଏହି ସମୟରେ ସେ ସଂପୂର୍ଣ୍ଣ ମାନବ ଜୀବନ ଯାପନ କରିଥିଲେ ।
ମାତ୍ର ରାମ ନବମୀର ବିଶେଷତ୍ବ ଓ ପ୍ରଭୁ ଶ୍ରୀରାମଙ୍କ ମାହାତ୍ମ୍ୟ ବିଷୟରେ ଏମିତି ଅନେକ କିଛି ରୋଚକ କଥା ରହିଛି । ଯାହାକୁ ସାଧାରଣ ମନୁଷ୍ୟ ସମାଜ ପାଳନ କଲେ, ସେମାନଙ୍କ ଜୀବନକୁ ନୂଆ ଦିଗଦର୍ଶନ ଦେବାରେ ସହାୟକ ହେବ ।
ଶ୍ରୀରାମଙ୍କ ମାହାତ୍ମ୍ୟ....
ତ୍ରେତୟା ଯୁଗରେ ଅଯୋଧ୍ୟାର ରାଜା ଥିଲେ ଦଶରଥ । ତାଙ୍କର କୌଶଲ୍ୟା, କୈକେୟୀ ଓ ସୁମିତ୍ରା ନାମକ ତିନିରାଣୀ ଥିଲେ । ରାଜାଙ୍କର ବଡ ଦୁଃଖ ଥିଲା ଯେ, ତାଙ୍କ ଉତ୍ତରାଧିକାରୀ ହେବାକୁ ରଘୁ କୁଳରେ କେହି ନଥିଲେ । କୁଳଗୁରୁ ବଶିଷ୍ଠ ପ୍ରାର୍ଥିତ ସନ୍ତାନ ପ୍ରାପ୍ତି ନିମନ୍ତେ ଋଷି ଶୃଙ୍ଗଙ୍କ ଦ୍ବାରା ପୁତ୍ରେଷ୍ଟି ଯଜ୍ଞ କରିବାକୁ ଦଶରଥଙ୍କୁ ଯଜ୍ଞକୁଣ୍ଡରୁ ଆବିର୍ଭୁତ ହୋଇଥିବା ଏକ ଚରୁଅନ୍ନ ପୂର୍ଣ୍ଣ ପାତ୍ର ରାଜା ଦଶରଥଙ୍କୁ ପ୍ରଦାନ କରିଥିଲେ ।
ଦଶରଥ ଅଧା ଚରୁଅନ୍ନ କୌଶଲ୍ୟାଙ୍କୁ ଓ ଅନ୍ୟ ଅଧା ଭାଗକୁ କୈକେଇଙ୍କୁ ଖାଇବାକୁ କହିଥିଲେ । କୌଶଲ୍ୟା ଓ କୈକେୟୀ ନିଜ ନିଜର ଚରୁଅନ୍ନର ଅଧାଭାଗରୁ କନିଷ୍ଠା ରାଣୀ ସୁମିତ୍ରାଙ୍କୁ ସେବନ କରିବାକୁ ଦେଲେ । ଏହାର କିଛିଦିନ ପରେ ତିନିରାଣୀ ଅନ୍ତଃସତ୍ତ୍ବା ହେଲେ । ପବିତ୍ର ଚୈତ୍ର ନବମୀ ଦିନ ଦ୍ବିପ୍ରହରରେ ରାଣୀ କୌଶଲ୍ୟା ପ୍ରଭୁ ରାମଚନ୍ଦ୍ରଙ୍କୁ, କୈକେୟୀ ଭରତଙ୍କୁ ଓ ସୁମିତ୍ରା ଯମଜ ସନ୍ତାନ ଲକ୍ଷ୍ମଣ ଓ ଶତ୍ରୁଘ୍ନଙ୍କୁ ଜନ୍ମ ଦେଲେ ।
ପରେ ପ୍ରଭୁ ରାମଚନ୍ଦ୍ର ଲକ୍ଷ୍ମୀଙ୍କ ଅବତାର ଦେବୀ ସୀତାଙ୍କୁ ବିବାହ କରିଥିଲେ । ଆଉ ବିବାହର କିଛିଦିନ ପରେ ରାଜସୁଖକୁ ପରିତ୍ୟାଗ କରି ପିତୃ ସତ୍ୟ ପାଳନ କରିବାକୁ ପ୍ରଭୁ ରାମଚନ୍ଦ୍ର ଦେବୀ ସୀତା ଓ ଅନୁଜ ଲକ୍ଷ୍ମଣଙ୍କୁ ସାଙ୍ଗରେ ଧରି 14 ବର୍ଷ କାଳ ବନବାସ ବିତାଇଥିଲେ । ମାତା ସୀତାଙ୍କୁ ଅପହରଣ କରିବା ପଶ୍ଚ୍ୟାତ୍ ଦୂରାଚାରୀ ରାବଣ ଓ ସମସ୍ତ ରାକ୍ଷାସଙ୍କୁ ନିଧନ କରି ସୀତାଙ୍କୁ ଉଦ୍ଧାର କରି ଅସତ୍ୟ ଓ ଅଧର୍ମ ଉପରେ ଧର୍ମର ସ୍ଥାପନା କରିଥିଲେ । ପରେ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କରି ରାଜସିଂହାସନ ଆରୋହଣ କରି ରାଜଧର୍ମ ପାଳନ କରି ପ୍ରଜାଙ୍କ ସେବା ଓ ସୁଖ ଦୁଃଖ ବୁଝି ଜଣେ ମହାନ ରାଜାର କର୍ତ୍ତବ୍ୟ ପାଳନ କରିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ