ନୂଆଦିଲ୍ଲୀ: ରାଜ୍ୟସଭାରେ ମାନବ ଅଧିକାର ସୁରକ୍ଷା ସଂଶୋଧନ ବିଲ୍ 2019 ପାରିତ । ଗତ ସପ୍ତାହରେ ଏହି ବିଲ୍ ଲୋକସଭାରେ ପାରିତ ହୋଇଥିବାବେଳେ ସୋମବାର ରାଜ୍ୟସଭାରେ ଏହା ପାରିତ ହୋଇଛି । ଏହି ବିଲ୍ରେ ମାନବ ଅଧିକାର ସୁରକ୍ଷା ଧାରା 1993ରେ ସଂଶୋଧନ କରାଯାଇଛି ।
ଜାତୀୟ ମାନବ ଅଧିକାର କମିଶନ(ଏନଏଚଆରସି)ର ଅଧ୍ୟକ୍ଷ କେବଳ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ହେବାକୁ ଥିବା ନିୟମରେ ସଂଶୋଧନ କରାଯାଇଛି । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ସହିତ ସୁପ୍ରିମକୋର୍ଟର ବିଚାରପତି ମଧ୍ୟ ଅଧ୍ୟକ୍ଷ ହୋଇପାରିବେ ବୋଲି ବିଲ୍ରେ ସଂଶୋଧନ କରାଯାଇଛି । ସେହିପରି ରାଜ୍ୟ ମାନବ ଅଧିକାର କମିଶନର ଅଧ୍ୟକ୍ଷ ହେବାକୁ ଥିବା ନିୟମରେ ମଧ୍ୟ ସଂଶୋଧନ କରାଯାଇଛି । କେବଳ ହାଇକୋର୍ଟ ମୁଖ୍ୟ ବିଚାରପତି ନୁହଁନ୍ତି ହାଇକୋର୍ଟ ବିଚାରପତି ମଧ୍ୟ ଅଧ୍ୟକ୍ଷ ହୋଇପାରିବେ ବୋଲି ବିଲ୍ରେ ବ୍ୟବସ୍ଥା କରାଯାଇଛି।
ଏହା ସହ ବିଲ୍ରେ ଅଧ୍ୟକ୍ଷଙ୍କ କାର୍ଯ୍ୟକାଳ 5 ବର୍ଷ ପରିବର୍ତ୍ତେ 3 ବର୍ଷକୁ ସଂଶୋଧନ କରାଯାଇଛି । ତେବେ ଏହି ଅଧ୍ୟକ୍ଷଙ୍କୁ ପ୍ରଧାନମନ୍ତ୍ରୀ, ଲୋକସଭା ବାଚସ୍ପତି, ଗୃହମନ୍ତ୍ରୀ, ଲୋକସଭା ଉପବାଚସ୍ପତି ଓ ଉଭୟ ଗୃହର ବିରୋଧୀ ଦଳ ନେତା ବାଛିବେ ବୋଲି ନିୟମ ରହିଛି ।