ନୂଆଦିଲ୍ଲୀ: ଅନେକ ବାଦ ବିବାଦ ପରେ ସୋମବାର ରାଜ୍ୟସଭାରେ ମଧ୍ୟ ଜମ୍ମୁ-କାଶ୍ମୀରରେ ରାଷ୍ଟ୍ରପତି ଶାସନ ବୃଦ୍ଧି କରିବାର ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ତେବେ 3 ଜୁଲାଇରୁ ରାଜ୍ୟରେ ଆଗାମି 6 ମାସ ପାଇଁ ପୁଣିଥରେ ରାଷ୍ଟ୍ରପତି ଶାସନ ଲାଗୁ ହେବ । ଏହା ସହିତ ଜମ୍ମୁ-କାଶ୍ମୀରର ସଂରକ୍ଷଣ ସଂଶୋଧିତ ବିଲ୍ ମଧ୍ୟ ରାଜ୍ୟସଭାରେ ପାରିତ ହୋଇଛି । ଉଭୟ ବିଲ୍ ଗତ ଶୁକ୍ରବାର ଦିନ ଲୋକସଭାରେ ପାରିତ ହୋଇସାରିଛି ।
ଏହା ପୂର୍ବରୁ ଗୃହମନ୍ତ୍ରୀ ଅମିତ୍ ଶାହା ଉଭୟ ବିଲ୍ ରାଜ୍ୟସଭାରେ ଆଗତ କରିଥିଲେ । ଏହାକୁ ନେଇ ଗୃହରେ ଅନେକ ବାଦ ବିବାଦ ମଧ୍ୟ ଦେଖାଦେଇଥିଲା । ରାଷ୍ଟ୍ରପତି ଶାସନ ବୃଦ୍ଧି ବିଲ୍କୁ ନେଇ ବିରୋଧୀଙ୍କ ଉପରେ ବର୍ଷିଥିଲେ ଶାହା । ବାର ଆର୍ଟିକଲ 356ର ପ୍ରୟୋଗ ସର୍ବାଧିକ କଂଗ୍ରେସ ସମୟରେ ହୋଇଥିବା ସେ କହିଛନ୍ତି । ତେବେ ରାଜ୍ୟର ସୁରକ୍ଷା ଦୃଷ୍ଟିକୁ ଆଖିରେ ରଖି ସରକାର ରାଷ୍ଟ୍ରପତି ଶାସନ ବୃଦ୍ଧି କରିବାର ନିଷ୍ପତ୍ତି ନେଇଥିବା ଶାହା କହିଛନ୍ତି ।