ମୁମ୍ବାଇ: ସୋମବାର ମହାରାଷ୍ଟ୍ରରେ ଭର୍ଚୁଆଲ ରାଲିକୁ ସମ୍ବୋଧିତ କରିବା ସମୟରେ ମହାରାଷ୍ଟ୍ରର ମହାବିକାଶ ଅଘାଡି ସରକାରଙ୍କୁ ଘେରିଥିଲେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ସରକାରଙ୍କ କାମ କରିବାର ଶୈଳୀକୁ ନେଇ ମହାରାଷ୍ଟ୍ର ସରକାରଙ୍କ ତୁଳନା ସେ 'ସର୍କସ' ସହିତ କରିଥିଲେ । ମଙ୍ଗଳବାର ଯାହାର ଜବାବ ସୋସିଆଲ ମିଡିଆ ମାଧ୍ୟମରେ ରଖିଛନ୍ତି ମହାରାଷ୍ଟ୍ର ସରକାରର ମନ୍ତ୍ରୀ ନବାବ ମଲିକ । ସେ ସର୍କସର ରିଙ୍ଗ୍ ମାଷ୍ଟର ଏବଂ ହଣ୍ଟରର କଥା ମାଧ୍ୟମରେ ନିଜର ବାର୍ତ୍ତା ଦେଇଛନ୍ତି ।
ନବାବ ମଲିକ କହିଛନ୍ତି ଯେ ମହାରାଷ୍ଟ୍ରରେ ଗଣତାନ୍ତ୍ରିକ ଢଙ୍ଗରେ ଚାଲୁଥିବା ସରକାର ଭଲ କାମ କରୁଛନ୍ତି । ଆଇସିଏମଆର କୋଭିଡ-19ରେ ମୁମ୍ବାଇ ମଡେଲକୁ ପ୍ରଶଂସା କରିଛନ୍ତି । ଏଥିସହ ନବାବ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ବ୍ୟଙ୍ଗ କରି କହିଛନ୍ତି ଯେ, ରିଙ୍ଗ ମାଷ୍ଟର ଏବଂ ହଣ୍ଟର ଦ୍ବାରା ପରିଚାଳିତ ସରକାରଙ୍କ ମନ୍ତ୍ରୀ ଗଣତାନ୍ତ୍ରିକ ଢଙ୍ଗରେ ଚାଲୁଥିବା ସରକାରଙ୍କୁ ସର୍କସ ବୋଲି କହୁଛନ୍ତି ।
ପ୍ରକାଶ ଥାଉ କି, ବିଜେପି ଭିଡିଓ କନଫରେନ୍ସିଂ ମାଧ୍ୟମରେ କାର୍ଯ୍ୟକର୍ତ୍ତା ଏବଂ ସମର୍ଥକଙ୍କ ନିକଟରେ ପହଞ୍ଚିବାକୁ ଚେଷ୍ଟା କରୁଛି । ଏହି ଅବସରରେ ରାଜନାଥ ଶିବସେନାକୁ ଟାର୍ଗେଟ କରି କହିଥିଲେ ଯେ, ପ୍ରଥମେ ଶିବସେନା-ବିଜେପି ଏକାଠି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ, ହେଲେ କ୍ଷମତା ଲୋଭରେ ଶିବସେନା ବିଜେପ ସହ ବିଶ୍ବାସଘାତକତା କରିଥିଲା । ବର୍ତ୍ତମାନ କୋରୋନା ସଙ୍କଟ ସମୟରେ ମହାରାଷ୍ଟ୍ର ସରକାରଙ୍କ ଯେତିକି ସାହାଯ୍ୟ ଆବଶ୍ୟକ ତାହା କେନ୍ଦ୍ର ପକ୍ଷରୁ ଯୋଗାଇ ଦିଆଯାଉଛି । ହେଲେ ମହାରାଷ୍ଟ୍ରରେ 3 ଦଳର ସରକାର ରହିଛି, ଏମିତି ଲାଗୁଛି ଯେ ଏହା ସରକାର ନୁହେଁ ବରଂ ଏକ ସର୍କସ ।