ନୂଆଦିଲ୍ଲୀ: ଗଲୱାନ ଘାଟିରେ ବୀର ଯବାନ ନିଜର ଦାୟିତ୍ବ ତୁଲାଇବା ବେଳେ ଶହୀଦ ହୋଇଛନ୍ତି । ଦେଶ ସେମାନଙ୍କ ବଳିଦାନକୁ କେବେ ବି ଭୁଲିବ ନାହିଁ । ଭାରତ-ଚୀନ ସୀମାର ଗଲୱାନ ଘାଟିରେ ଶହୀଦ ହୋଇଥିବା 20 ଯବାନଙ୍କୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ବୁଧବାର ଟ୍ବିଟ କରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହା ଲେଖିଛନ୍ତି ।
ସେ ପୁଣି ଲେଖିଛନ୍ତି, ଗଲୱାନ ଘାଟିରେ ସୈନିକଙ୍କୁ ହରାଇବା ଦୁଃଖଦାୟକ । ଆମ ଯବାନ ସେମାନଙ୍କ ଦାୟିତ୍ବ ତୁଲାଇଛନ୍ତି । ଏହାସହ ମନ୍ତ୍ରୀ ଶହୀଦ ଯବାନଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ଦେଶ ସେମାନଙ୍କ ସହ କାନ୍ଧରେ କାନ୍ଧ ମିଶାଇ ଠିଆ ହୋଇଛି ।
ମଙ୍ଗଳବାର ଯବାନ ଶହୀଦ ହେବା ଖବର ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଏହା ପ୍ରଥମ ବୟାନ । ଭାରତ-ଚୀନ ସେନା ମଧ୍ୟରେ ହିଂସାତ୍ମକ ସଂଘର୍ଷ ପରେ ଯବାନଙ୍କ ଶହୀଦ ଖବର ଆସିବା ପରଠୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କ୍ରମାଗତ ଭାବେ ସିଡିଏସ ଏବଂ 3 ସେନା ମୁଖ୍ୟଙ୍କୁ ନେଇ ତୁହାକୁ ତୁହା ବୈଠକ କରୁଛନ୍ତି । ସେ ପ୍ରଥମେ ସିଡିଏସ ଜେନେରାଲ ବିପିନ ରାୱତ ଓ ଅନ୍ୟ ସେନା ଅଧିକାରୀଙ୍କ ସହ କଥାବର୍ତ୍ତା କରିଥିଲେ ।
ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ସୁରକ୍ଷା ପ୍ରସଙ୍ଗ ବୈଠକରେ ରାଜନାଥ ମଧ୍ୟ ଭାଗ ନେଇଥିଲେ । ବୁଧବାର ସକାଳେ ରାଜନାଥ ସିଂ ଓ ପ୍ରତିରକ୍ଷା ମନ୍ତ୍ରଣାଳୟର ବରିଷ୍ଠ ସେନା ଅଧିକାରୀଙ୍କ ମଧ୍ୟରେ ଏକ ବିସ୍ତୃତ ବୈଠକ ଅନୁଷ୍ଠିତ ହୋଇଛି । ଏହି ସମୟ ମଧ୍ୟରେ ପ୍ରତିରକ୍ଷା ମନ୍ତ୍ରୀ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ସହ ମଧ୍ୟ କଥା ହୋଇଥିଲେ ।