ନୂଆଦିଲ୍ଲୀ: ସାଧାରଣତଃ ନୂଆ ଯାନବାହନ ଆଣିଲେ ମନ୍ଦିର ଯାଇ ପୂଜା କରାଯାଇଥାଏ I ଗାଡି ଉପରେ କାହା ନଜର ନପଡିବା ଓ ଗ୍ରହ ଦୋଷ କଟିବା ପାଇଁ ସମସ୍ତ ରୀତିନୀତି ଅନୁଯାୟୀ ପୂଜା କରାଯାଇଥାଏ । ଏହାସହ ପୂଜା ସାରିବା ପରେ ଗାଡି ଚକ ତଳେ ଲେମ୍ବୁ ରଖି ଗାଡି ଚଳେଇବାକୁ ପଡିଥାଏ । ପ୍ୟାରିସରେ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳଛି । ବହୁ ପ୍ରତୀକ୍ଷିତ ଲଢୁଆ ବିମାନ ରାଫେଲ ଭାରତକୁ ହସ୍ତାନ୍ତର ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପାରମ୍ପରିକ ରୀତିନୀତିରେ ପୂଜା କରିଛନ୍ତି ।
ରାଫେଲ ଆଣିବା ପାଇଁ ତ୍ରିଦିବସୀୟ ଗସ୍ତରେ ପ୍ୟାରିସରେ ରାଜନାଥ । ଫ୍ରାନ୍ସ ଠାରୁ ରାଫେଲ ଗ୍ରହଣ କରିବା ପରେ ସେ ପୂଜାର୍ଚ୍ଚନା କରିଛନ୍ତି । ରାଫେଲରେ ସିନ୍ଦୁରରେ ଓମ୍ ଲେଖିଛନ୍ତି ।
ରାଫେଲ୍ ବିମାନକୁ ହସ୍ତାନ୍ତର କରିବାର କାର୍ଯ୍ୟକ୍ରମ ବୋର୍ଡୋକ୍ସର ମେରିଗ୍ରେକ୍ ରେ ଦଶା ଏଭିଏସନ୍ ପରିସରରେ ଅନୁଷ୍ଠିତ ହୋଇଥିଲା । ପ୍ରତିରକ୍ଷା ମନ୍ତ୍ରୀ ୩୬ ରାଫେଲ୍ ଜେଟ୍ ମଧ୍ୟରୁ ପ୍ରଥମ ବିମାନକୁ ପ୍ରାପ୍ତ କରିବେ । କିନ୍ତୁ ଆଉ ଚାରୋଟି ବିମାନ ଆସନ୍ତାବର୍ଷ ମେ ମାସରେ ଭାରତ ଆସିବ ।
ଏଠାରେ ସୂଚନାଯୋଗ୍ୟ, ‘ଶସ୍ତ୍ର ପୂଜା’ ନବରାତ୍ରୀର ଏକ ଅଭିନ୍ନ ଅଙ୍ଗ । ଏହି ଅସ୍ତ୍ରଶସ୍ତ୍ର ପୂଜା ମହାଭାରତ, ରାମାୟଣ ଯୁଗରୁ ଚାଲି ଆସୁଛି ।
ମଙ୍ଗଳବାର ଭାରତ ପ୍ରଥମ ରାଫେଲ୍ ଯୁଦ୍ଧ ବିମାନ ଗ୍ରହଣ କରିବା ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ରାଫେଲ ପୂଜା କରିଛନ୍ତି । ରାଜନାଥ ପ୍ରତିବର୍ଷ ଦଶହରାରେ ଶସ୍ତ୍ର ପୂଜା କରିଥାନ୍ତି ।