ଚେନ୍ନାଇ: ଐତିହାସିକ ବିଜୟ ପରେ ନରେନ୍ଦ୍ର ମୋଦିଙ୍କ ଶପଥ ସମାରୋହରକୁ ଭବ୍ୟ ତଥା ସ୍ମରଣୀୟ କରିବା ପାଇଁ ବିଭିନ୍ନ ରାଷ୍ଟ୍ରର ତୁଙ୍ଗ ନେତା ତଥା ଦେଶ ମଧ୍ୟରୁ ଅନେକ ପ୍ରତିଭାଶାଳୀ ରାଜନେତା ଓ ସିନେତାରକାଙ୍କୁ ନିମନ୍ତ୍ରଣ ମିଳିଛି । ଏପରି ସମୟରେ ଦକ୍ଷିଣ ସୁପରଷ୍ଟାର ରଜନୀକାନ୍ତଙ୍କୁ ମୋଦିଙ୍କ ଶପଥ ଗ୍ରହଣକୁ ଆସିବା ପାଇଁ ନିମନ୍ତ୍ରଣ ଦିଆଯାଇଛି । ନିମନ୍ତ୍ରଣ ମିଳିବା ପରେ ରଜନୀକାନ୍ତ ମୋଦିଙ୍କୁ ଦେଶର ପୂର୍ବତନ ଦିବଙ୍ଗତ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ଓ ରାଜୀବ ଗାନ୍ଧୀଙ୍କ ପରି 'ଦିବ୍ୟ ପ୍ରତିଭା' ବୋଲି ଅଭିହିତ କରିଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜଣେ ପ୍ରେରଣାଦାୟୀ ନେତା ତଥା ଅନ୍ୟ ବ୍ୟକ୍ତିକୁ ଉଦ୍ବୁଦ୍ଧ କରିବାର ସାମର୍ଥ୍ୟ ରଖୁଥିବା ନେତା ବୋଲି ରଜନୀକାନ୍ତ କହିଛନ୍ତି । ମୋଦି ନେହେରୁ, ରାଜୀବଙ୍କ ପରି ଜଣେ ଯାଦୁଗର ଶ୍ରେଣୀର ଜନନେତା ବୋଲି କହିଛନ୍ତି ରଜନୀ ।
ରଜନୀକାନ୍ତ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଇସ୍ତଫା ପ୍ରସଙ୍ଗରେ ନିଜ ନିଜ ମତ ରଖିଛନ୍ତି । ରାହୁଲଙ୍କୁ ତାଙ୍କ ନିଷ୍ପତିରୁ ହଟିବା ଓ ଇସ୍ତଫା ବଦଳରେ ନିଜକୁ ପ୍ରମାଣିତ କରିବା କଥା କହିଛନ୍ତି ରଜନୀକାନ୍ତ । ସୁସ୍ଥ ଗଣତନ୍ତ୍ର ପାଇଁ ଏକ ସୁଦକ୍ଷ ବିପକ୍ଷର ଆବଶ୍ୟକତା ରହିବା ଉଚିତ୍ ବୋଲି ଚେନ୍ନାଇରେ ସମ୍ବାଦଦାତାଙ୍କୁ ନିଜ ପ୍ରତିକ୍ରିୟାରେ କହିଛନ୍ତି ରଜନୀକାନ୍ତ ।
ଏଠାରେ ସୂଚନା ଯୋଗ୍ୟ ଯେ 30ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହେବ । ଏହି ଶପଥ ଗ୍ରହଣ ଉତ୍ସବକୁ ଦକ୍ଷିଣ ସୁପରଷ୍ଟାର ରଜନୀକାନ୍ତି ଓ ନିକଟରେ ରାଜନୀତିରେ ପାଦ ଦେଇଥିବା କମଲ ହାସନଙ୍କୁ ନିମନ୍ତ୍ରଣ ମିଳିଛି ।