ଜୟପୁର: ସାରା ଦେଶରେ କୋରୋନା କଟକଣା ସ୍ବରୁପ ଲକଡାଉନ ଜାରି ରଖିଛନ୍ତି । ଏପରିସ୍ଥଳେ ରାଜସ୍ଥାନ ସରକାର ତାଲାବନ୍ଦ ସମୟରେ ରାଜ୍ୟରେ ଲୋକଙ୍କ ଗତିବିଧି ପାଇଁ ନିର୍ଦ୍ଦେଶାବଳୀକୁ ସାମାନ୍ୟ କୋହଳ କରିଛନ୍ତି । ଯାହା ଅନୁସାରେ ରାଜ୍ୟର ଜିଲ୍ଲା ମାନଙ୍କରେ ସକାଳ 7 ଟାରୁ ସନ୍ଧ୍ୟା 7ଟା ପର୍ଯ୍ୟନ୍ତ ବିନା ଅନୁମତିରେ ଭ୍ରମଣ ପାଇଁ ଅନୁମତି ରହିଛି । ଏହି କୋହଳ କଟକଣା କର୍ଫ୍ୟୁ ଜାରି ଅଞ୍ଚଳରେ ଉପଲବ୍ଧ ହେବ ନାହିଁ ।
ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ରବିବାର ଏହି ନୂତନ ନିର୍ଦ୍ଦେଶାବଳୀକୁ ଅନୁମୋଦନ କରିଛନ୍ତି, ଯାହା ତୁରନ୍ତ କାର୍ଯ୍ୟକାରୀ ହେବ । ପୂର୍ବରୁ ସମସ୍ତ ଆନ୍ତଃ ଜିଲ୍ଲା ଯାତ୍ରା ପାଇଁ ଟ୍ରାଭେଲ୍ ପାସ୍ ଆବଶ୍ୟକ ଥିଲା ।
ବସ୍ କିମ୍ବା ଟ୍ରେନ୍ ମାଧ୍ୟମରେ ଅନ୍ୟ ରାଜ୍ୟକୁ ଯାତ୍ରା କରିବା ଏବଂ କର୍ଫ୍ୟୁ ଅଞ୍ଚଳକୁ ଯିବା ପାଇଁ ଜିଲ୍ଲା କଲେକ୍ଟର ପାସ୍ ପ୍ରଦାନ କରିବେ । ଏହାସହ ସମ୍ପୃକ୍ତ ରାଜ୍ୟ ଦ୍ବାରା ଜାରି କରାଯାଇଥିବା ପାସ୍ ଅନ୍ୟ ରାଜ୍ୟରୁ ରାଜସ୍ଥାନକୁ ଆସୁଥିବା ଲୋକଙ୍କ ପାଇଁ ବୈଧ ହେବ । ଯଦି ସେହି ରାଜ୍ୟ ରାଜସ୍ଥାନରୁ ଏନଓସି ମାଗେ ତେବେ ସଂପୃକ୍ତ ଜିଲ୍ଲା କଲେକ୍ଟର ଏନଓସି ପ୍ରଦାନ କରିବେ ବୋଲି ପ୍ରକାଶ ରହିଛି ।
ଜିଲ୍ଲା କଲେକ୍ଟର, ପୋଲିସ୍ ଅଧୀକ୍ଷକ, ସବ୍-ଡିଭିଜନାଲ ଅଫିସର, ଡେପୁଟି ପୋଲିସ୍ ଅଧୀକ୍ଷକ, ତହସିଲଦାର, ଆରଟିଓ, ଡିଟିଓ ଏବଂ ଏସଏଚଓ ନିଜ ଗାଡିରେ ଅନ୍ୟ ରାଜ୍ୟକୁ ଯାଉଥିବା ଲୋକଙ୍କୁ ପାସ୍ ପ୍ରଦାନ କରିପାରିବେ । ଅନ୍ୟ ରାଜ୍ୟରୁ ରାଜସ୍ଥାନକୁ ଆସୁଥିବା ଲୋକଙ୍କ ପାଇଁ 14 ଦିନିଆ କ୍ବାରେଣ୍ଟାଇନ ବାଧ୍ୟତାମୂଳକ ହେବ ।