ଜୟପୁର: ଦିନକୁ ଦିନ ବଢାବାରେ ଲାଗିଛି ରାଜସ୍ଥାନ ରାଜନୀତିରେ ସସପେନ୍ସ । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ସଚିନ ପାଇଲଟଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ରାଜନୈତିକ ସଂଗ୍ରାମରେ ପଡୁନାହଁ ପୂର୍ଣ୍ଣଛେଦ । ଏପରିସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ବିଜେପି ବିରୋଧରେ ଅଭିଯୋଗ କରିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ।
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଗେହଲଟ କହିଛନ୍ତି ଯେ ରାଜସ୍ଥାନରେ ନିର୍ବାଚିତ ସରକାରକୁ ଭାଙ୍ଗିବାକୁ ପ୍ରୟାସ କରାଯାଉଛି । ସରକାର ଭାଙ୍ଗିବା ନେଇ ଯେଉଁ ଷଡଯନ୍ତ୍ର ଚାଲିଛି ଏଥିରେ ବିଜେପି ସାମିଲ ଥିବା ସେ କହିଛନ୍ତି ।
ସିଏମ ଗେହଲଟ କହିଛନ୍ତି ଏହି ଷଡଯନ୍ତ୍ରରେ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାଓ୍ବତଙ୍କ ହାତ ରହିଛି । ଏହାସହ କଂଗ୍ରେସ ଦଳର କିଛି ବଡ ନେତା ମଧ୍ୟ ଏଥିରେ ସାମିଲ ରହିଛନ୍ତି । ବିଧାୟକଙ୍କ କିଣାବିକା କରାଯାଇ ସରକାର ଭାଙ୍ଗିବାକୁ ଚେଷ୍ଟା କରାଯାଉଛି ।
ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଜୁଲାଇ 19ରେ ଏହି ଚିଠି ଲେଖିଥିବା ବେଳେ ବୁଧବାର ଏହା ସାମ୍ନାକୁ ଆସିଛି । ମଧ୍ୟପ୍ରଦେଶ ସରକାରକୁ ମଧ୍ୟ ଭଙ୍ଗାଯାଇଥିବା ଏହି ଚିଠିରେ ଉଲ୍ଲେଖ ରହିଛି । କୋରୋନା ସଙ୍କଟ ସମୟରେ କମଲନାଥଙ୍କ ସରକାରକୁ ଭାଙ୍ଗି ଦିଆଯାଇଥିବା ଗେହଲଟ ଅଭିଯୋଗ କରିଛନ୍ତି ।