ନୂଆଦିଲ୍ଲୀ: କୋରୋନା ଯୋଗୁଁ ବନ୍ଦ ହୋଇଥିବା ଟ୍ରେନ ଏବେ ଧୀରେ ଧୀରେ ଟ୍ରାକକୁ ଫେରିବା ଆରମ୍ଭ କରୁଛି । ରେଲୱେ ସେପ୍ଟେମ୍ବର 12 ରୁ 80 ଟି ନୂତନ ସ୍ବତନ୍ତ୍ର ଟ୍ରେନ ଚଳାଇବାକୁ ଯାଉଛି। ଏଗୁଡିକ ପାଇଁ ରିଜର୍ଭେସନ 10 ସେପ୍ଟେମ୍ବରରୁ ଆରମ୍ଭ ହେବ । ଏନେଇ ରେଲୱେ ବୋର୍ଡ ଅଧ୍ୟକ୍ଷ ବିନୋଦ କୁମାର ଯାଦବ ଶନିବାର ସୂଚନା ଦେଇଛନ୍ତି ।
ବର୍ତ୍ତମାନ ପ୍ରାୟ 230 ଟି ସ୍ବତନ୍ତ୍ର ଟ୍ରେନ ଚଳାଚଳ କରୁଛି । ତେବେ ଏହି ଟ୍ରେନ ସମ୍ପର୍କରେ ଖୁବ ଶୀଘ୍ର ବିଜ୍ଞପ୍ତି ଜାରି କରାଯିବ ବୋଲି ବିନୋଦ କୁମାର କହିଛନ୍ତି। ସେ କହିଛନ୍ତି, ସେପ୍ଟେମ୍ବର 12 ରୁ 80 ଟି ନୂଆ ସ୍ବତନ୍ତ୍ର ଟ୍ରେନ ଅର୍ଥାତ 40 ଯୋଡି ଟ୍ରେନ ଆରମ୍ଭ ହେବ । ଏଥିପାଇଁ ସେପ୍ଟେମ୍ବର 10ରୁ ରିଜର୍ଭେସନ ଆରମ୍ଭ ହେବ । ଏହି ଟ୍ରେନ ଗୁଡିକ ପୂର୍ବରୁ ଚାଲୁଥିବା 230 ଟ୍ରେନ ସହିତ ଚାଲିବ । ରେଲୱେ ବର୍ତ୍ତମାନ ଚାଲୁଥିବା ସମସ୍ତ ଟ୍ରେନ ଉପରେ ନଜର ରଖିବ ଏବଂ କେଉଁ ଟ୍ରେନରେ ୱେଟିଂ ଲିଷ୍ଟ ଅଧିକ ରହୁଛି ତାହା ତଦାରଖ କରିବ ବୋଲି ସେ କହିଛନ୍ତି ।
ରେଲୱେ ବୋର୍ଡର ଅଧ୍ୟକ୍ଷ ଆହୁରି କହିଛନ୍ତି ଯେ , ପରୀକ୍ଷା କିମ୍ବା ଅନ୍ୟ କୌଣସି ଉଦ୍ଦେଶ୍ୟରେ ରାଜ୍ୟଗୁଡିକର ଅନୁରୋଧ କ୍ରମେ ରେଲୱେ ପକ୍ଷରୁ ଅତିରିକ୍ତ ଟ୍ରେନ ଚଳାଚଳ କରାଯିବ। ସ୍ବତନ୍ତ୍ର ଟ୍ରେନ ପାଇଁ ଯେତେବେଳେ ବି ଆବଶ୍ୟକତା ଅନୁଭବ ହେବ, ଯେଉଁଠାରେ ୱେଟିଂ ଲିଷ୍ଟ ଲମ୍ବା ରହିବ ସେତେବେଳେ ଆମେ ମୂଳ ଟ୍ରେନ ପରେ ସେହିଭଳି ଆଉ ଏକ ଟ୍ରେନ(କ୍ଲୋନ ଟ୍ରେନ) ଚଳାଚଳ କରିବୁ । ଯାତ୍ରୀମାନେ ସେହି ଟ୍ରେନରେ ଯାତ୍ରା କରିପାରିବେ । ସ୍ବତନ୍ତ୍ର ଟ୍ରେନ ତୁଳନାରେ କ୍ଲୋନ ଟ୍ରେନ ଗୁଡିକ କମ୍ ଷ୍ଟେସନରେ ଅଟକିବ । କ୍ଲୋନ ଟ୍ରେନର ଷ୍ଟପେଜ ହ୍ରାସ କରିବା ପାଇଁ ଆମେ ଯୋଜନା କରୁଛୁ । ଯେଉଁମାନେ କମ ସମୟ ମଧ୍ୟରେ ଯାତ୍ରା କରିବାକୁ ଚାହୁଁଛନ୍ତି, ସେମାନେ କ୍ଲୋନ ଟ୍ରେନରେ ଯାତ୍ରା କରିପାରିବେ ବୋଲି ସେ କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ