ନୂଆଦିଲ୍ଲୀ: ଏଣିକି ଟ୍ରେନ ଲୁଟେରା ସାବଧାନ । ଲୁଟେରା କିମ୍ବା କୌଣସି ସନ୍ଦିଗ୍ଧ ବ୍ୟକ୍ତି ଟ୍ରେନରେ ଚଢିବା ମାତ୍ର ହେଁ କଣ୍ଟ୍ରୋଲ ରୁମ୍କୁ ପହଞ୍ଚିଯିବ ଖବର । ଖୁବ ଶୀଘ୍ର ରେଳ କୋଚ ଗୁଡିକ କରାଯିବ ସ୍ମାର୍ଟ । କୋଚରେ ଲଗାଯିବ ଅତ୍ୟାଧୁନିକ ଉପକରଣ ।
କୋଚ ଗୁଡିକରେ ଲାଗିବ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି (ଏଆଇ) କ୍ୟାମେରା । ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାରେ 6ଟି ଗୁରୁତ୍ବପୂର୍ଣ୍ଣ ସିଷ୍ଟମକୁ ପରିବର୍ତ୍ତନ କରାଯିବ । ଏଆଇ କ୍ୟାମେରା ବିଶେଷ୍ବତ ହେଉଛି ସାରା ଦେଶର ଛୋଟ ବଡ ଅପରାଧିଙ୍କ ଫଟୋ ଏବଂ ସେମାନଙ୍କ ସମ୍ପର୍କରେ ଏଥିରେ ଆଗରୁ ହିଁ ସୂଚନା ରହିଥାଏ । ଏହାକୁ କ୍ଲାଉଡ ଇଣ୍ଟରନେଟ ସହ ଜଡିତ ରଖାଯାଇଥାଏ ।
ତେଣୁ ଟ୍ରେନରେ ଚଢିବା କ୍ଷଣି ଯାତ୍ରୀଙ୍କ ଫଟୋ ଉଠିଯିବ । ଆଉ ଏହି ଫଟୋ ଗୁଡିକ ପୂର୍ବରୁ ସିଷ୍ଟମରେ ଥିବା ସନ୍ଦିଗ୍ଧ ଫଟୋ ସହ ମିଳାଯିବ । ଯଦି ସେଥିରୁ କୌଣସି ଯାତ୍ରୀଙ୍କ ଚେହେରା ସନ୍ଦିଗ୍ଧ ବ୍ୟକ୍ତିଙ୍କ ସହ ମିଶେ ସଙ୍ଗେ ସଙ୍ଗେ କଣ୍ଟ୍ରୋଲ ଏହାର ଖବର ଦେବ । ଏଥିସହ କେହି ଯାତ୍ରୀ ଯଦି କୌଣସି ହତିଆର କିମ୍ବା ମାରଣାସ୍ତ୍ର ଧରି ଟ୍ରେନରେ ଚଢିବେ ତା ଖବର ବି କଣ୍ଟ୍ରୋଲ ରୁମ ଦେବ । ଏହାସହ କୋଚରେ ସେନସର ମଧ୍ୟ ଲଗାଯିବ ।