ନୂଆଦିଲ୍ଲୀ: ମହାମାରୀ କୋରୋନା ସଙ୍କଟ ମଧ୍ୟରେ ଚୀନ ପ୍ରସଂଗରେ ମୋଦି ସରକାରଙ୍କୁ ଘେରିବାରେ ଲାଗିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଚୀନ ଭାରତର 1200 ବର୍ଗ କିଲୋମିଚର ଜାଗା ଦଖଲ କରିନେଇଥିବା ଦାବି କରିଛନ୍ତି ରାହୁଲ । ଏହାସହ ଭାରତର ମାଟିକୁ ନେଇ କହିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପାଖରେ ଶବ୍ଦ କାହିଁକି ନାହିଁ ବୋଲି ପ୍ରଶ୍ନ କରିଛନ୍ତି ରାହୁଲ ।
ରାହୁଲ ଗାନ୍ଧୀ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି ଚୀନର ନାଁ ଏଥିପାଇଁ ନେଉନାହାନ୍ତି, କାରଣ ସେ ଆମ ଜାଗା ଉପରେ କବଜା କରିନେଇଥିବା ଲୋକଲୋଚନକୁ ଆସିଯିବ । ଏହାପୂର୍ବରୁ ମଙ୍ଗଳବାର ଦେଶବାସୀଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଯେଉଁ ସମ୍ବୋଧନ କରିଥିଲେ, ଏଥିରେ ଚୀନ ପ୍ରଂସଙ୍କ ଉପରେ ଶୁଣିବାକୁ ଚାହିଁଥିଲେ ରାହୁଲ ଗାନ୍ଧୀ ।
ମଙ୍ଗଳବାର ସଂଧ୍ୟା 6ଟାରେ ରାଷ୍ଟ୍ରକୁ ସମ୍ବୋଧଇତ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି । ସମ୍ବୋଧନର କିଛି କ୍ଷଣ ପୂର୍ବରୁ ମୋଦିଙ୍କୁ ଟାର୍ଗେଟ କରିଥିଲେ ରାହୁଲ । ସେ ଟ୍ବିଟ କରି କହିଥିଲେ ଯେ ପ୍ରିୟ ପ୍ରଧାନମନ୍ତ୍ରୀ, ସଂଧ୍ୟା 6ଟାରେ ଆପଣ ଦେଶବାସୀଙ୍କ ଉଦ୍ଦେଶ୍ୟରେ କରିବାକୁ ଥିବା ସମ୍ବୋଧନରେ ଭାରତୀୟ ସୀମାରୁ ଚୀନକୁ କେବେ ଉଠାଇ ଫିଙ୍ଗିବେ ସେନେଇ ବାର୍ତ୍ତା ଦିଅନ୍ତୁ । ହେଲେ ପ୍ରଧାନମନ୍ତ୍ରୀ ନିଜ ସମ୍ବୋଧନରେ ଚୀନ ଚୀନ ପ୍ରସଂଗରେ କୌଣସି ଗୋଟିଏ ଶବ୍ଦ ନକହି ମହାମାରୀ କୋରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ କିପରି ସତର୍କତା ଅବଲମ୍ବନ କରିବେ ଏନେଇ ଜେଶବାସୀଙ୍କ ପରାମର୍ଶ ଦେଇଥିଲେ ।
ଭାରତ ସହ ଚୀନର ବାରମ୍ବାର ସଂଘର୍ଷକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଆସୁଛନ୍ତି ରାହୁଲ ଗାନ୍ଧୀ । ଚୀନ ସେନା ଭାରତର ସୀମାକୁ ପ୍ରବେଶ କରି ଜାଗା ଦଖଲ କରିଥିବା ଦାବି କରୁଛି କଂଗ୍ରେସ । ଅନ୍ୟପକ୍ଷେ କଂଗ୍ରେସର ଏହି ଦାବିକୁ ଅନେକ ପୂର୍ବରୁ କେନ୍ଦ୍ର ସରକାର ଖଣ୍ଡନ କରିସାରିଛନ୍ତି । ଚୀନ ଆମ ଦେଶର ଗୋଟିଏ ଇଞ୍ଚ ଜାଗା ଦଖଲ କରିନଥିବା ପ୍ରଧାନମନ୍ତ୍ରୀ କହିଥିଲେ ।