ରାୟପୁର: ଦକ୍ଷିଣ ପରେ ପୂର୍ବ ଭାରତରେ ନିର୍ବାଚନୀ ପ୍ରଚାରରେ ଲାଗିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ସେ କ୍ରମାଗତ ଜନସଭା ସହ ବିଦ୍ୟାର୍ଥୀ ଓ ଯୁବବର୍ଗଙ୍କ ସହ କରୁଛନ୍ତି ସିଧାସଳଖ ଆଲୋଚନା । ଏହି କ୍ରମରେ ସେ ଆଜି ଓଡିଶାର ବରଗଡ଼ରେ କରିଛନ୍ତି ଏକ ଜନସଭା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ ।
ପିଏମ ମୋଦି ଓ ଓଡିଶା ମୁଖ୍ୟମନ୍ତ୍ରୀଙ୍କ ଉପରେ ଦୁର୍ନୀତି ଅଭିଯୋଗ ଆଣି କହିଛନ୍ତି ଯେ ଜଣେ ଦେଶରେ ଓ ଅନ୍ୟ ଜଣେ ରାଜ୍ୟରେ ଲୋକଙ୍କୁ ଠକିଛନ୍ତି । ଓଡିଶା ବେକାରୀଙ୍କ ସେଣ୍ଟର ହୋଇଯାଇଛି । ନବୀନ ପଟ୍ଟନାୟକ ରାଜ୍ୟର ନିଯୁକ୍ତି ଦେବାରେ ସଂପୂର୍ଣ୍ଣ ଅସଫଳ ହୋଇଛନ୍ତି । ଓଡିଶାକୁ ୫ ଜଣ ଅଧିକାରୀ ନିୟନ୍ତ୍ରଣ କରୁଛନ୍ତି । କଂଗ୍ରେସ କ୍ଷମତାକୁ ଆସିଲେ ରାଜ୍ୟବାସୀଙ୍କ ହିତରେ କାମ କରିବ ବୋଲି ରାହୁଲ ଜିଲ୍ଲାବାସୀଙ୍କୁ କହିଛନ୍ତି । ତେବେ ମୋଦିଙ୍କୁ ରାଫେଲ ମାମଲାରେ ଓ ନବୀନଙ୍କୁ ଚିଟଫଣ୍ଡ ମାମଲାରେ ଘେରିଛନ୍ତି ।
ନବୀନ ପଟ୍ଟନାୟକ ଓ ମୋଦିଙ୍କ ସରକାର ଶିକ୍ଷା ଓ ସ୍ବାସ୍ଥ୍ୟ ସେବାକୁ ଘରୋଇକରଣ କରୁଥିବାର ଅଭିଯୋଗ ଆଣିଛନ୍ତି ରାହୁଲ । ଏହାପରେ ସେ ଛତିଶଗଡର ରାଜଧାନୀ ରାୟପୁର ପହଞ୍ଚିଥିଲେ । ସେଠାରେ ସେ ଚାଷୀ ଓ କୃଷି ଉପରେ ନିଜ ମତ ରଖିଥିଲେ । ରାୟପୁରରେ ସେ ସ୍ବାସ୍ଥ୍ୟ କର୍ମୀଙ୍କ ସହ ଆଲୋଚନା କରିଛନ୍ତି ।