ହାଇଦ୍ରାବାଦ: କଲେଜରେ ରାଗିଂ ବର୍ତ୍ତମାନ ଏକ ସାଧାରଣ ଓ କ୍ଷଣକ ଖୁସି ପାଲଟି ଗଲାଣି । ରାଗିଂ ଆଳରେ ଅନେକ କଲେଜ ପଢୁଆ ଛାତ୍ରଛାତ୍ରୀ ଅପରାଧିକ କାର୍ଯ୍ୟ କରିବାକୁ ପଛାଇନଥାନ୍ତି । ଏହା ଭବିଷ୍ୟତ ପିଢିକୁ ସଙ୍କଟରେ ପକାଇବା ସହ ପିତା-ମାତାଙ୍କ ବିଶ୍ବାସକୁ ଭାଙ୍ଗିଥାନ୍ତି । ନୂଆ ଛାତ୍ରଛାତ୍ରୀଙ୍କୁ ସହଯୋଗ କରିବା ବାହାନାରେ ରାଗିଙ୍ଗ କରାଯାଇଥାଏ । ସିନିୟର ମାନେ ଜୁନିୟରଙ୍କୁ ରାଗିଙ୍ଗ କରିବେ, ଏହି ପ୍ରଥାକୁ ଆଗକୁ ନେବାରେ ବ୍ୟସ୍ତ ଯୁବପିଢି । ନିକଟରେ ଓଡିଶା ଓ ଉତ୍ତରପ୍ରଦେଶରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି ।
ଉତ୍ତରପ୍ରଦେଶର ଇତୱା ଅଞ୍ଚଳର ଏକ ମେଡିକାଲ କଲେଜରେ କିଛି ସିନିୟର ଛାତ୍ର ପ୍ରଥମ ବର୍ଷ ଛାତ୍ରଙ୍କୁ ନଣ୍ଡା ହୋଇ ଧଳା ଲୁଗା ପିନ୍ଧି କଲେଜ ଆସିବାକୁ ବାଧ୍ୟ କରିଥିଲେ । ଏହି ଘଟଣାକୁ କେତେକ ମୋବାଇଲରେ ରେକର୍ଡ କରି ୟୁଟ୍ୟୁବରେ ସେୟାର କରିଥିଲେ । ଏହାକୁ ନେଇ ବିବାଦ ସହ ଆନ୍ଦୋଳନ ଦେଖାଦେଇଥିଲା । କଲେଜର ଅଧ୍ୟକ୍ଷ ଏହାପରେ 12ଜଣିଆ ତଦନ୍ତ ଟିମ ଗଠନ କଲେ । ତଦନ୍ତ ପରେ ରାଗିଙ୍ଗର ବଡ ସମସ୍ୟା ସାମ୍ନାକୁ ଆସିଥିଲା । ଏହାପରେ ପ୍ରାୟ 7 ଜଣ ଛାତ୍ରଙ୍କୁ କଲେଜରୁ ନିଲମ୍ବିତ କରିବା ସହ 25,000 ଜରିମାନା ଦଣ୍ଡ ଦିଆଗଲା । ଏହାସହ 2018 ବ୍ୟାଚର ସମସ୍ତ ଛାତ୍ରଛାତ୍ରୀଙ୍କଠାରୁ 5 ହଜାରର ଜରିମାନା ନିଆଗଲା ।
ଉତ୍ତରପ୍ରଦେଶର ଏହି ମାମଲାର ଦୁଇ ଦିନପରେ ଓଡିଶାର ବିର ସୁରେନ୍ଦ୍ର ସାଏ ଟେକନିକାଲ ୟୁନିଭର୍ସିଟିରେ ସମାନ ସମସ୍ୟା ଦେଖିବାକୁ ମିଳିଥିଲା । ସ୍ବାଗତ ସମ୍ମିଳନୀରେ କିଛି ସିନିୟର ଛାତ୍ର ଜୁନିୟରଙ୍କୁ ଉଲଗ୍ନ ହୋଇ ନାଚିବାକୁ ବାଧ୍ୟ କରିଥିଲେ । ଏହି ମାମଲା ସାମ୍ନାକୁ ଆସିବା ପରେ ଜଣେ ମନ୍ତ୍ରୀଙ୍କ ନଜରରେ ଆସିଥିଲା ଓ ପରେ 52 ମେମ୍ବରଙ୍କୁ ନିଲମ୍ବିତ କରିବା ସହ 2000ର ଜରିମାନା ନେଇଥିଲେ । ସମାନ କଲେଜରେ କିଛିଦିନ ପୂର୍ବେ ରାଗିଙ୍ଗ ମାମଲାରେ 12 ଛାତ୍ରଙ୍କୁ ନିଲମ୍ବିତ କରାଯାଇଥିଲା । ମାତ୍ର ସମସ୍ୟା ଯେଉଁଠି ଥିବା କଥା ସେଇଠି ହିଁ ଅଛି ।
23 ବର୍ଷ ପୂର୍ବେ ରାଜା ମୁଥୈୟା ମେଡିକାଲ କଲେଜର ଜଣେ ସିନିୟର ଛାତ୍ର ଜନ ଡାଭି, ମାଡ୍ରାସ ୟୁନିଭର୍ସିଟିର କୁଳପତି ପୋନୁ ସ୍ୟାମୀଙ୍କ ପୁଅ ପନ୍ ନାଭାରାସୁଙ୍କୁ ହତ୍ୟା କରିଥିଲେ । ଏଥିପାଇଁ ଅପରାଧି ଜଣଙ୍କୁ 36 ବର୍ଷ କାରାଦଣ୍ଡ ଭୋଗିବାକୁ ପଡିଥିଲା । ଏହାକୁ ଗୁରୁତ୍ବର ସହ ନେଇ କର୍ଣ୍ଣାଟକ, ତାମିଲନାଡୁ, ଆନ୍ଧ୍ରାପ୍ରଦେଶ, ଉତ୍ତରପ୍ରଦେଶ ଓ ମହାରାଷ୍ଟ୍ର ସରକାର 2001ରେ ଆଣ୍ଟି ରାଗିଙ୍ଗ ଲ' ଆଣିଥିଲେ । ରାଗିଙ୍ଗକୁ ରୋକିବା ପାଇଁ ଅନେକ ଆଇନ ପ୍ରଣୟନ କରାଯାଇଛି ମାତ୍ର କଣ ରାଗିଙ୍ଗ କମିଛି ବୋଲି ଆମେ କହିପାରିବା!
ରାଗିଙ୍ଗରେ ଯେଉଁମାନେ ସାମିଲ ରହୁଛନ୍ତି ଆଇନ ଅନୁସାରେ ସେମାନେ ପାସପୋର୍ଟ, ବୃତ୍ତି ଓ ସରକାରୀ ଚାକିରୀ ପାଇଁ ଅଯୋଗ୍ୟ ପ୍ରମାଣିତ ହୋଇଥାନ୍ତି । 2013ରେ ପ୍ରାୟ 640ଟି ରାଗିଙ୍ଗ ମାମଲା ହୋଇଥିବା ବେଳେ 2017ରେ ଏହା ବଢି 901ରୁ 1015 ପର୍ଯ୍ୟନ୍ତ ରହିଥିଲା । ତେଲୁଗୁ ରାଜ୍ୟରେ ରାଗିଙ୍ଗର ଇତିହାସ ଅତି ଜଘନ୍ୟ । ଜସବୀର ସିଂହ, ରାଧିକା ରେଡ୍ଡି, ପଦ୍ମଜା ଓ ଅନେକ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଛନ୍ତି ଏହି ରାଗିଙ୍ଗ କାରଣରୁ । ନିକଟରେ ଚାରିମାସ ପୂର୍ବେ ପଞ୍ଜାବର ଜଣେ ଇଞ୍ଜିନିୟର ଛାତ୍ର ମନିଶ କୁମାର ରାଗିଙ୍ଗ ପାଇଁ ନିଜ ଜୀବନହାରି ଦେଇଥିଲେ । ହାଇଦ୍ରାବାଦ ଭଳି ସ୍ଥାନରେ ରାଗିଙ୍ଗ ବଢି ସ୍କୁଲ ପର୍ଯ୍ୟନ୍ତ ବଢିଲାଣି ।
ମୁଖ୍ୟତଃ ନିଶା ଦ୍ରବ୍ୟ ଏଭଳି ଅପରାଧର କାରଣ ହୋଇଥାଏ । ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ସ୍କୁଲମାନଙ୍କୁ ଅଧିକ ନିଶାଦ୍ରବ୍ୟ ଚାଲାଣ ହୋଇଛି । ସୁପ୍ରିମକୋର୍ଟ ଅନୁସାରେ, ସ୍କୁଲରେ ଏଭଳି କାର୍ଯ୍ୟକୁ ନରୋକାଗଲେ ସ୍କୁଲ କର୍ତ୍ତୁପକ୍ଷଙ୍କୁ ଏଥିପାଇଁ ଦଣ୍ଡ ସହିବାକୁ ପଡିବ । ତେବେ ରାଗିଙ୍ଗକୁ ନେଇ ଏଯାଏଁ କୌଣସି କଠୋର ଦଣ୍ଡ ଦିଆଯାଇଥିବା କଥା ସାମ୍ନାକୁ ଆସିନାହିଁ । ରାଗିଙ୍ଗ ରୋକିବା ପାଇଁ ଆଇନ ପ୍ରଣୟନ ହୋଇଥିଲା ମଧ୍ୟ ଏହାକୁ କାର୍ଯ୍ୟକାରୀ କରିବାକୁ କୁଣ୍ଠାବୋଧ କରୁଛନ୍ତି ସରକାର ।