କେନ୍ଦ୍ର କ୍ୟାବିନେଟ ଷ୍ଟାର୍ସ ବା ‘STARS’(ଷ୍ଟ୍ରେନଥନିଙ୍ଗ୍ ଟିଚିଙ୍ଗ-ଲର୍ଣ୍ଣିଙ୍ଗ ଏଣ୍ଡ ରେଜଲଟସ ଫର୍ ଷ୍ଟେଟସ) ନାମରେ ଏକ ନୂଆ ପ୍ରକଳ୍ପକୁ ଅନୁମୋଦନ କରିଛି । ଏଥିପାଇଁ ବିଶ୍ବ ବ୍ୟାଙ୍କ ଆଂଶିକ ଆର୍ଥିକ ସହାୟତା ଯୋଗାଇ ଦେବ। ନୂତନ ପୀଢି ଯେପରି ଉନ୍ନତ ମାନର ଶିକ୍ଷା ଲାଭ କରିପାରିବେ ସେଥିପାଇଁ ସ୍କୁଲସ୍ତରରେ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ହେଉଛି ଏହି ପ୍ରକଳ୍ପର ଲକ୍ଷ୍ୟ ।
ଗତବର୍ଷ ଫେବ୍ରୁଆରୀ ମାସରେ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର 250 କୋଟି ଟଙ୍କାର ବଜେଟ ଅଟକଳରେ ‘STARS’ର ଶୁଭାରମ୍ଭ କରିଥିଲେ। ବାସ୍ତବିକ ଗବେଷଣା କ୍ଷେତ୍ରକୁ ଅଧିକ ଉତ୍ସାହିତ କରିବା ପାଇଁ ବିଜ୍ଞାନ ପ୍ରକଳ୍ପକୁ ସହାୟତା କରିବା ହେଉଛି ବାସ୍ତବିକ ଏହି ପ୍ରକଳ୍ପର ମୂଳ ଉଦ୍ଦେଶ୍ୟ। ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ଅଣାଗଲେ ଏହାଦ୍ବାରା କର୍ମନିଯୁକ୍ତି ସୁବିଧା ସୁଯୋଗ ସୃଷ୍ଟି ହୋଇପାରିବ । ଏହି ଲକ୍ଷ୍ୟ ରଖି ଏଭଳି ପ୍ରୟାୟ ଆରମ୍ଭ ହୋଇଥିବା ଜାଭଡେକର କହିଛନ୍ତି । ଏହାଦ୍ବାରା ବୋର୍ଡ ପରୀକ୍ଷାରେ ଉନ୍ନତି ଆସିବ ଏବଂ ଶିକ୍ଷକ-ତାଲିମ ବ୍ୟବସ୍ଥା ସମୃଦ୍ଧ ହୋଇପାରିବ ।
କେନ୍ଦ୍ର ଶିକ୍ଷା ମନ୍ତ୍ରଳାଳୟ ଏହି ପ୍ରକଳ୍ପ ପାଇଁ ମୋଟ 5 ହଜାର 718 କୋଟି ଟଙ୍କାର ବ୍ୟୟ ଅଟକଳ କରିଛି। ଏହାମଧ୍ୟରୁ ବିଶ୍ବ ବ୍ୟାଙ୍କ 3 ହଜାର 700 କୋଟି ଟଙ୍କା ସହାୟତା ଯୋଗାଇ ଦେବ। ଏହି ପ୍ରକଳ୍ପ ହିମାଚଳ ପ୍ରଦେଶ, ରାଜସ୍ଥାନ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, କେରଳ ଏବଂ ଓଡ଼ିଶା ରାଜ୍ୟରେ କାର୍ଯ୍ୟକାରୀ କରାଯିବ। ସ୍କୁଲ ଶିକ୍ଷା କ୍ଷେତ୍ରରେ ଉନ୍ନତ ମାନର ଶିକ୍ଷା ଯୋଗାଇ ଦେବା ଉଦ୍ଦେଶ୍ୟରେ ଏସିଆନ୍ ଡେଭଲପମେଣ୍ଟ ବ୍ୟାଙ୍କ (ଏଡିବି) ଗୁଜରାଟ, ତାମିଲନାଡୁ, ଉତ୍ତରାଖଣ୍ଡ, ଝାଡ଼ଖଣ୍ଡ ଏବଂ ଆସାମରେ ଅନୁରୂପ ଯୋଜନା ପାଇଁ ପୂର୍ବରୁ ଅର୍ଥ ଯୋଗାଇ ଦେଇ ଆସୁଛି। କେନ୍ଦ୍ର ମନ୍ତ୍ରୀ ଯଦିଓ କହିଛନ୍ତି ଯେ, ସାଗୁନ ଏବଂ ଦୀକ୍ଷା ଭଳି ଅନଲାଇନ ପୋର୍ଟାଲ ସହାୟତାରେ ରାଜ୍ୟ ଗୁଡ଼ିକ ସେମାନଙ୍କର ସହଯୋଗୀ ରାଜ୍ୟଗୁଡ଼ିକର ଅଭିଜ୍ଞତାରୁ ଫାଇଦା ଉଠାଇ ପାରିବେ....ହେଲେ ଜାତୀୟ ସ୍ତରରେ ସ୍କୁଲ ଶିକ୍ଷାକୁ ସୁଦୃଢ କରିବାରେ ଏହା କ’ଣ ଏକ ସଫଳ ପନ୍ଥା ହୋଇପାରିବ ? କିଛିଦିନ ତଳେ କେନ୍ଦ୍ର ମନ୍ତ୍ରୀ ଘୋଷଣା କରିଥିଲେ ଯେ, ଦେଶରେ 11 ଲକ୍ଷ ଶିକ୍ଷକ ଶିକ୍ଷା ପ୍ରଦାନ କ୍ଷେତ୍ରରେ ଉପଯୁକ୍ତ ତାଲିମପ୍ରାପ୍ତ ନୂହଁନ୍ତି। ବିହାର ଏବଂ ପଶ୍ଚିମ ବଙ୍ଗରେ ପ୍ରାଥମିକ ଏବଂ ମାଧ୍ୟମିକ ସ୍କୁଲ ଶିକ୍ଷକଙ୍କ ମଧ୍ୟରୁ ଏକ ତୃତୀୟାଂଶଙ୍କ ପାଖରେ ଆବଶ୍ୟକ ଶିକ୍ଷାଗତ ଯୋଗ୍ୟତା ନାହିଁ। ଏପରି କ୍ଷେତ୍ରରେ ମାତ୍ର କିଛି ରାଜ୍ୟରେ ସୀମିତ ଏହି ନୂଆ ପ୍ରକଳ୍ପ କାର୍ଯ୍ୟକାରୀ କରାଗଲେ ଦେଶବ୍ୟାପୀ ସ୍କୁଲ ଶିକ୍ଷାରେ ଗୁଣବତ୍ତା ବଢି ପାରିବ କି ?
ବିଶ୍ବ ବ୍ୟାଙ୍କ ନିକଟରେ ଆକଳନ କରିଛି ଯେ, କୋଭିଡ ବିପର୍ଯ୍ୟୟ କାରଣରୁ ଦେଶବ୍ୟାପୀ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ଏବଂ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଓ ମାତ୍ରାତ୍ମକ ଶିକ୍ଷା ପ୍ରଦାନରେ କ୍ଷତି ଯୋଗୁଁ ଭାରତ ବର୍ଷକୁ 30 ଲକ୍ଷ କୋଟି ଟଙ୍କା ହରାଇବ। କୋଭିଡ ବିପର୍ଯ୍ୟୟ ଦୃଷ୍ଟିରୁ ଯଦି ଦେଶ ଗୋଟିଏ ବର୍ଷରେ ଏତେ ପରିମାଣରେ କ୍ଷତି ସହିବ, ତେବେ ଆବଶ୍ୟକ ଯୋଗ୍ୟତା ଓ ତାଲିମସମ୍ପନ୍ନ ଶିକ୍ଷକ ଅଭାବରୁ ଛାତ୍ରଛାତ୍ରୀଙ୍କୁ ଉନ୍ନତ ମାନର ଶିକ୍ଷା ଦେଇନପାରି ଦେଶ ବର୍ଷକୁ ବର୍ଷ କେତେ ଯେ କ୍ଷତି ସହିବ ତାହା ଆକଳନ କିପରି କରିବା ? ଯଦିଓ କୋଥାରି କମିଶନ, ଚଟ୍ଟୋପାଧ୍ୟାୟ କମିଟି ଏବଂ ୟସପାଲ କମିଟି ଦେଶରେ ଶିକ୍ଷକ ଏବଂ ଶିକ୍ଷା ବ୍ୟବସ୍ଥାର କିପରି ଉନ୍ନତି ଅଣାଯାଇପାରିବ ତାହା ବିସ୍ତୃତ ଭାବେ କହିସାରିଛନ୍ତି, କିନ୍ତୁ ବର୍ଷ ବର୍ଷ ଧରି ସରକାରଙ୍କ ତରଫରୁ ଯେତିକ ଉଦ୍ୟମ ହେବା କଥା ତାହା ଆଦୌ ଉତ୍ସାହଜନକ ନୁହେଁ। ସ୍କୁଲରେ ଗୁଣାତ୍ମକ ଶିକ୍ଷା ପ୍ରଦାନ ବ୍ୟବସ୍ଥା କରିବା ସକାଶେ ତିନି ବର୍ଷ ପୂର୍ବେ ଶିକ୍ଷା ଅଧିକାର ଆଇନ ସଂଶୋଧିତ ହୋଇଥିଲା। ଏଥିରେ ସ୍କୁଲ ଶିକ୍ଷକଙ୍କୁ ତାଲିମ ପ୍ରଦାନ ବାଧ୍ୟତାମୂଳକ କରାଯାଇଥିଲା, କିନ୍ତୁ ସ୍ଥିତିରେ କୌଣସି ପ୍ରକାର ଉନ୍ନତି ଦେଖିବାକୁ ମିଳିନାହିଁ। ଦେଶବ୍ୟାପୀ 42 ଲକ୍ଷ ସ୍କୁଲ ଶିକ୍ଷକଙ୍କ ପାଠପଢା ଦକ୍ଷତାରେ ଉନ୍ନତି ଆଣିବା ପାଇଁ ଗତ ବର୍ଷ ଦୁଇବର୍ଷିଆ ଏକ ତାଲିମ କାର୍ଯ୍ୟକ୍ରମ ବିଶେଷଜ୍ଞମାନଙ୍କ ସହାୟତାରେ ‘ଶିକ୍ଷା’ ନାମରେ ଆରମ୍ଭ କରିବା ପାଇଁ ପରିକଳ୍ପନା କରାଯାଇଥିଲା ।
କିନ୍ତୁ ଏହା ଏଯାଏଁ ଆରମ୍ଭ ବି ହୋଇପାରିନାହିଁ। ଗୁଣାତ୍ମକ ଶିକ୍ଷା ପ୍ରଦାନ କ୍ଷେତ୍ରରେ ଯେଉଁସବୁ ରାଷ୍ଟ୍ର ବେଶ୍ ସମୃଦ୍ଧ ଏବଂ ଯେଉଁମାନେ ଯୁଦ୍ଧକାଳୀନ ଭିତ୍ତିରେ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେଇ ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିଛନ୍ତି ସେସବୁ ଦେଶର ଅଭିଜ୍ଞତାରୁ କେନ୍ଦ୍ର ସରକାର ଶିକ୍ଷା ଗ୍ରହଣ କରିବା ଉଚିତ୍। ଦକ୍ଷିଣ କୋରିଆ, ଫିନଲାଣ୍ଡ, ସିଙ୍ଗାପୁର ଏବଂ ହଂକଂ ଆଦି ରାଷ୍ଟ୍ର ଶିକ୍ଷା କ୍ଷେତ୍ରକୁ ମଜବୁତ କରିବା ପାଇଁ ଅଭିନବ ଉପାୟ ସବୁ ବାହାର କରୁଛନ୍ତି ଏବଂ ମେଧାବୀମାନଙ୍କୁ ନିୟମିତ ତାଲିମ ଏବ ଆକର୍ଷଣୀୟ ବେତନ ଦେଇ ଶିକ୍ଷକ ହେବାକୁ ପ୍ରଲୋଭନ ସୃଷ୍ଟି କରୁଛନ୍ତି। ଦକ୍ଷ ଓ ଅଭିଜ୍ଞ ଶିକ୍ଷକ ଏବଂ ନିଷ୍ଠାପର ଶିକ୍ଷାବିତ୍ ହିଁ କୌଣସି ବି ଦେଶରେ ଶ୍ରେଷ୍ଠ ଇଂଜିନିୟର, ଡାକ୍ତର, ଆଇନଜୀବୀ ଏବଂ ଅନ୍ୟ ପ୍ରଫେସନାଲ ତିଆରି କରିପାରିବେ। ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ଶିକ୍ଷକଙ୍କୁ ତାଲିମ ଦେବା ପାଇଁ ଜାତୀୟ ସ୍ତରରେ ଆଇଆଇଟି ଏବଂ ଆଇଆଇଏମ୍ ଭଳି ଏକ ସର୍ବୋଚ୍ଚ ଶିକ୍ଷା ପ୍ରତିଷ୍ଠାନ ସ୍ଥାପନ କରାଯିବା ଉଚିତ୍ । ସମ୍ପୂର୍ଣ୍ଣ ସ୍ବୟଂଶାସିତ ଏବଂ ସ୍ବତନ୍ତ୍ର ଜାତୀୟ ଶିକ୍ଷା ଅନୁଷ୍ଠାନ ସ୍ଥାପନ କରାଗଲେ ବର୍ତ୍ତମାନ ରହିଥିବା ତ୍ରୁଟିବିଚ୍ୟୁତି ଦୂର ହେବା ସହ ଦେଶରେ ସ୍କୁଲ ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ଆସିପାରିବ।