ନୂଆଦିଲ୍ଲୀ: ବୁଧବାର ଋଷର ରାଷ୍ଟ୍ରପତି ଭ୍ଲାଦିମର ପୁଟିନ ଭାରତର ବିଭିନ୍ନ ଅଞ୍ଚଳରେ ବନ୍ୟା ଯୋଗୁଁ ପ୍ରାଣ ହରାଇଥିବା ଲୋକଙ୍କ ପ୍ରତି ସମବେଦନା ଜଣାଇଛନ୍ତି । ଦେଶର ବିଭିନ୍ନ ରାଜ୍ୟରେ ବନ୍ୟା ପରିସ୍ଥିତି ନେଇ ଋଷ ରାଷ୍ଟ୍ରପତି ପୁଟିନ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଗଭୀର ସମବେଦନା ଜଣାଇଛନ୍ତି।
ପୁଟିନ କହିଛନ୍ତି, ‘ବନ୍ୟାରେ ପ୍ରାଣ ହରାଇଥିବା ସମସ୍ତ ପ୍ରିୟଜନଙ୍କ ଦୁଃଖକୁ ବାଣ୍ଟିବାକୁ ଚାହେଁ ଋଷ । ଏହାସହ ସମସ୍ତ ଆହତଙ୍କ ଶୀଘ୍ର ପୁନରୁଦ୍ଧାର ପାଇଁ କାମନା କରୁଛି ’। ଭାରତ ପାଣିପାଗ ବିଭାଗ ରିପୋର୍ଟ ଅନୁଯାୟୀ, ଉତ୍ତର-ପୂର୍ବ ରାଜ୍ୟ ଗୁଡିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାବେଳେ ଉତ୍ତର ଭାରତର କିଛି ବିଚ୍ଛିନ୍ନ ସ୍ଥାନ ଗୁଡିକରେ ପ୍ରବଳରୁ ମଧ୍ୟମ ଧରଣର ବର୍ଷା ହେବ।
ବୁଧବାର ଆସାମରେ ବନ୍ୟା ପରିସ୍ଥିତି ଆହୁରି ବିଗିଡିଛି । ବାରପେଟା ଜିଲ୍ଲାରେ ଆଉ 2 ଜଣଙ୍କର ମୃତ୍ୟୁ ଘଟି ମୋଟ ମୃତ୍ୟୁସଂଖ୍ୟା 89ରେ ପହଞ୍ଚିଛି । ରାଜ୍ୟର 33 ଟି ଜିଲ୍ଲା ମଧ୍ୟରୁ 26 ଟିରେ ପ୍ରାୟ 26.32 ଲକ୍ଷ ଲୋକ ଏହି ବନ୍ୟା ଦ୍ବାରା ପ୍ରଭାବିତ ହୋଇଛନ୍ତି। ଏହାସହ ବିହାରର ଅନେକ ଅଂଶ ବନ୍ୟା ଜଳରେ ବୁଡି ଯାଇଥିବା ଏନଡିଆରଏଫର ମହାନିର୍ଦ୍ଦେଶକ ସତ୍ୟ ପ୍ରଧାନ କହିଛନ୍ତି । ରାଜ୍ୟରେ ଜାତୀୟ ବିପର୍ଯ୍ୟୟ ମୁକାବିଲା ପାଇଁ ମୋଟ 19 ଟି ଟିମ୍ ନିୟୋଜିତ ଅଛନ୍ତି।