କାନପୁର: କୌଣସି ଟ୍ରେନ ଟ୍ରାକରେ ଯାଉ ଯାଉ ଅଧା ବାଟରେ ଅଟକି ଯିବା କିଛି ନୂଆ କଥା ନୁହେଁ । ମାତ୍ର ଲକ୍ଷ୍ନୌରୁ ମୁମ୍ବାଇ ଯିବାକୁ ଥିବା ପୁଷ୍ପକ ଏକ୍ସପ୍ରେସ ଆଗକୁ ଯିବା ପରିବର୍ତ୍ତେ ଓଲଟା ଯାତ୍ରା କରିଥିଲା । ଯାହାକୁ ନେଇ ଟ୍ରେନରେ ବସିଥିବା ଯାତ୍ରୀମାନେ ଭୟଭୀତ ହେବା ସହ ବିଳମ୍ବିତ ରାତ୍ରୀ ଯାଏଁ ହୋ ହାଲ୍ଲା କରିଥିଲେ ।
ସୂଚନା ମୁତାବକ, ମଙ୍ଗଳବାର ରାତି ପ୍ରାୟ 10.30 ବେଳକୁ ପୁଷ୍ପକ ଏକ୍ସପ୍ରେସ କାନପୁରରୁ ବାହାରି ଝାନସୀ ଆଡକୁ ଯାଉଥିବାବେଳେ ହଠାତ୍ ବିପରୀତ ଦିଗକୁ ଗଡିଥିଲା । ଗୋବିଦପୁରୀ ଷ୍ଟେସନରୁ ଆଗକୁ ଯିବା ପରିବର୍ତ୍ତେ ଓଲଟା ଗତି କରିଥିଲା ।
ତେବେ ଟ୍ରେନ ଏଭଳି ପଛକୁ ଗଡୁଥିବା ଦେଖି ଯାତ୍ରୀ ଆତଙ୍କିତ ହୋଇଯାଇଥିଲେ । ତେବେ ଟ୍ରେନର ଗୋଟିଏ କୋଚର ଏସି ଫେଲ ହେବା କାରଣରୁ ଟ୍ରେନଟିକୁ ପୁଣି କାନପୁର ଷ୍ଟେସନକୁ ଫେରିବାକୁ ପଡିଥିବା ରେଲୱେ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।