ଚଣ୍ଡିଗଡ଼: ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ। କୋରୋନା ଟିକା ବିତରଣକୁ ନେଇ ପଞ୍ଜାବ ମୁଖ୍ୟମନ୍ତ୍ରୀ ଏହି ଚିଠି ଲେଖିଛନ୍ତି। ପଞ୍ଜାବରେ କୋରୋନାଜନିତ ମୃତ୍ୟୁ ହାର ଅଧିକ ରହିଛି। ଏଭଳି ସ୍ଥିତିରେ କୋରୋନା ଟିକା ବିତରଣବେଳେ ପଞ୍ଜାବକୁ ପ୍ରଥମେ ପ୍ରାଧାନ୍ୟ ଦେବାକୁ ଚିଠିରେ ଉଲ୍ଲେଖ କରାଯାଇଛି।
କୋରୋନା ଯୋଗୁଁ ପଞ୍ଜାବରେ ମୃତ୍ୟୁହାର ଅଧିକ ରହିଛି। ବିଶେଷ କରି ଏହି ରାଜ୍ୟରେ ବୟସ୍କ ଲୋକଙ୍କ ମୃତ୍ୟୁ ସଂଖ୍ୟା ଅଧିକ ରହିଛି। ଏଥିପାଇଁ କୋରୋନା ଟିକା ପରିଚାଳନା ବେଳେ ପଞ୍ଜାବକୁ ପ୍ରଥମ ପ୍ରାଧାନ୍ୟ ଦେବାକୁ କୁହାଯାଇଛି। ଏହାଦ୍ବାରା ପଞ୍ଜାବରେ କୋରୋନା ସ୍ଥିତି ନିୟନ୍ତ୍ରଣାଧୀନ ଆସି ପାରିବ ବୋଲି କହିଛନ୍ତି କ୍ୟାପଟେନ ସିଂହ।
କୋରୋନା ଟିକା ଆସିଲେ ପଞ୍ଜାବର ସୁରକ୍ଷାକର୍ମୀ, ପୌରାଞ୍ଚଳ କର୍ମଚାରୀ ଓ ପ୍ରାଥମିକ ସ୍କୁଲ ଶିକ୍ଷକଙ୍କୁ ପ୍ରଥମ ଅଗ୍ରାଧିକାର ଦିଆଯିବ। ଏହାସହ ଅନ୍ୟ ଜରୁରୀକାଳୀନ କାର୍ଯ୍ୟାଳୟରେ ନିୟୋଜିତ ହୋଇଥିବା କର୍ମଚାରୀଙ୍କୁ ଏଥିରେ ଅନ୍ତର୍ଭୁକ୍ତ କରାଯିବ। ଏନେଇ ପ୍ରଧାନମନ୍ତ୍ରୀଙ୍କୁ ଲେଖାଯାଇଥିବା ଚିଠିରେ ଉଲ୍ଲେଖ କରିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ। ଏହାସହ ସେ ଭାରତରେ କୋରୋନା ଟିକା ଉପଲବ୍ଧ ହେବାକୁ ଯାଉଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେଇଛନ୍ତି କ୍ୟାପଟେନ ସିଂହ।
@ani