ନୂଆଦିଲ୍ଲୀ: ନିର୍ଦ୍ଧାରିତ ସମୟସୀମା ପୂର୍ବରୁ ଲୋଧି ଇଷ୍ଟେଟ୍ ସ୍ଥିତ ସରକାରୀ ବାସଭବନ ଖାଲି କରିଛନ୍ତି କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ । ଏନେଇ ବିଶେଷ ସୂତ୍ରରୁ ସୂଚନା ମିଳିଛି । କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଅଗଷ୍ଟ ୧ ସୁଦ୍ଧା ଏହି ବାସଭବନ ଖାଲି କରିବାକୁ ନୋଟିସ ପଠାଇଥିଲେ କେନ୍ଦ୍ର ସରକାର । ତେବେ ସରକାରଙ୍କ ନୋଟିସ ପରେ ସେ ଏହି ବାସଭବନ ଖାଲି କରିବେ ବୋଲି ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ ।
ଗୃହ ଏବଂ ସହର ବିକାଶ ବିଭାଗ ପକ୍ଷରୁ ଜୁଲାଇ 1 ରେ ଏହି ନୋଟିସ ଜାରି ହୋଇଥିଲା । ଅଗଷ୍ଟ ୧ ପରେ ପ୍ରିୟଙ୍କା ଏହି ବଙ୍ଗଳାରେ ରହିପାରିବେ ନାହିଁ ବୋଲି ନୋଟିସରେ ଉଲ୍ଲେଖ କରାଯାଇଥିଲା । ତେବେ କିଛି ଦିନ ପୂର୍ବରୁ ଉକ୍ତ ବଙ୍ଗଳାକୁ ବିଜେପି ସାଂସଦ ତଥା ଦଳର ମୁଖପାତ୍ର ଅନୀଲ ବାଲୁନିଙ୍କୁ ଆବଣ୍ଟନ କରାଯାଇଥିଲା।
1997 ମସିହାରେ ଏହି ବାସଭବନ ପ୍ରିୟଙ୍କା ଗାନ୍ଧୀଙ୍କୁ ଆବଣ୍ଟନ କରାଯାଇଥିଲା। ତେବେ ପ୍ରିୟଙ୍କାଙ୍କ ଏସପିଜି ସୁରକ୍ଷା ବ୍ୟବସ୍ଥାକୁ ହଟାଇ ଦିଆଯାଇଛି । ଏହା ବଦଳରେ ତାଙ୍କୁ ଜେଡ୍ ପ୍ଲସ୍ ସୁରକ୍ଷା ଯୋଗାଇ ଦିଆଯାଉଛି । ଏହି ବ୍ୟବସ୍ଥାରେ ଯାହାକୁ ଏହି ସୁରକ୍ଷା ପ୍ରଦାନ କରାଯାଏ ତାଙ୍କୁ ସରକାରୀ ବାସଭବନ ପ୍ରଦାନ କରାଯିବା ନେଇ କୌଣସି ନିୟମ ନାହିଁ । ତେଣୁ ତାଙ୍କୁ ସରକାରୀ ବାସଭବନ ଖାଲି କରିବାକୁ ନୋଟିସ ଜାରି ହୋଇଥିଲା ।
ତେବେ ବର୍ତ୍ତମାନ ପ୍ରିୟଙ୍କା ଗାନ୍ଧୀ ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଥିବା ତାଙ୍କ ସମ୍ପର୍କୀୟଙ୍କ ଘରକୁ ଯିବେ ବୋଲି ଆଶା କରାଯାଉଛି ।