ନୂଆଦିଲ୍ଲୀ: କୋରୋନା ଲକଡାଉନ କାରଣରୁ ଦେଶର ବିଭିନ୍ନ ରାଜ୍ୟରେ ପ୍ରବାସୀ ଶ୍ରମିକ ମାନେ ଫସି ରହିଥିଲେ । ଏମାନଙ୍କୁ ନିଜ ଘରକୁ ପଠାଇବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଶ୍ରମିକ ସ୍ପେଶାଲ ଟ୍ରେନ ଆରମ୍ଭ ହୋଇଥିଲା । ଯାହାଫଳରେ ଶ୍ରମିକମାନେ ନିଜ ନିଜ ଗନ୍ତବ୍ୟସ୍ଥଳକୁ ବିନା ସମସ୍ୟାରେ ପହଞ୍ଚିପାରିବେ । ହେଲେ ଟ୍ରେନ ଯାତ୍ରାରେ ସମୟରେ ବର୍ତ୍ତମାନ ସୁଦ୍ଧା 80 ଜଣ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଏକ ତଥ୍ୟ ରେଳବାଇର ଜଣେ ଅଧିକାରୀ ସେୟାର କରିଛନ୍ତି । ଏହି ତଥ୍ୟ ଅନୁସାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ କୋରୋନା କାରଣରୁ ହୋଇଥିବା ବେଳେ 11 ଜଣଙ୍କ ସେମାନଙ୍କୁ ଥିବା ରୋଗ କାରଣରୁ ହୋଇଛି । ସେପଟେ ରେଲୱେର ଏହି ତଥ୍ୟ ସାମନାକୁ ଆସିବା ପରେ କେନ୍ଦ୍ର ଉପରେ ବର୍ଷିଛନ୍ତି କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ।
ସେ କହିଛନ୍ତି ଯେ, ଶ୍ରମିକ ଟ୍ରେନରେ 80 ଜଣଙ୍କ ମୃତ୍ୟୁ ହୋଇଛି । 40 ପ୍ରତିଶତ ଟ୍ରେନ ବିଳମ୍ବରେ ଚାଲୁଛି । ଅନେକ ଟ୍ରେନ ଭୂଲ ରୁଟ ଦେଇ ଯାତାୟତ କରୁଛି । ଅନେକ ସ୍ଥାନରେ ଯାତ୍ରୀଙ୍କ ସହ ଅମାନବୀୟ ବ୍ୟବହାର କରାଯାଇଥିବା ଦୃଶ୍ୟ ଦେଖିବାକୁ ମିଳିଛି । ଆଉ ଏସବୁ ଘଟଣା ମଧ୍ୟରେ ଦୁର୍ବଳ ବ୍ୟକ୍ତି ଟ୍ରେନର ଯାତ୍ରା ନ କରିବା ନେଇ ରେଳ ମନ୍ତ୍ରାଳୟର ବୟାନ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ।
ସେହିପରି ସ୍ୱାସ୍ଥ୍ୟ ଏବଂ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏକ ଆଡଭାଇଜରୀ ଜାରି କରାଯାଇଥିଲା । ଯେଉଁଥିରେ ଅସୁସ୍ଥ, ଉଚ୍ଚ ରକ୍ତଚାପ, ହୃଦ୍ ରୋଗୀ, କର୍କଟ ରୋଗୀ ଏବଂ ରୋଗ ପ୍ରତିରୋଧକ ଅଭାବ ଥିବା ଅସୁରକ୍ଷିତ ବ୍ୟକ୍ତି, ଗର୍ଭବତୀ ମହିଳା, 10 ବର୍ଷରୁ କମ ଏବଂ 65 ବର୍ଷରୁ ଅଧିକ ବୟସର ଲୋକଙ୍କୁ ଯାତ୍ରା ନକରିବାକୁ ପରାମର୍ଶ ଦିଆଯାଇଥିଲା । ଏହି ଆଡଭାଇଜରୀକୁ ନେଇ ମଧ୍ୟ ବର୍ଷିଛନ୍ତି ପ୍ରିୟଙ୍କା । ସେ ଟ୍ବିଟ କରି ଲେଖିଛନ୍ତି ଯେ, ଶ୍ରମିକ ଟ୍ରେନକୁ ଆରମ୍ଭରୁ ହିଁ ଏହାକୁ ଅଣଦେଖା କରାଯାଇଥିଲା । ଯେତେବେଳେକି ଏହି ସଙ୍କଟ ସମୟରେ ଶ୍ରମିକଙ୍କ ସହ ସମ୍ବେଦନଶୀଳ ରହିବା ଉଚିତ୍ ।